ରଣଜୀ ନକ୍‌ ଆଉଟ୍‌ ଖେଳିବାକୁ ଋଦ୍ଧିମାନ ମନାକଲେ

କୋଲକାତା : ନିଜ ରାଜ୍ୟ ପଶ୍ଚିମବଙ୍ଗ ପାଇଁ ରଣଜୀ ଟ୍ରଫି ନକ୍ ଆଉଟ୍ ପର୍ଯ୍ୟାୟରେ ଖେଳିବାକୁ ମନା କରି ଦେଇଛନ୍ତି ଅଭିଜ୍ଞ ୱିକେଟ୍‌କିପର ବ୍ୟାଟର୍‌ ଋଦ୍ଧିମାନ ସାହା। ସମ୍ପ୍ରତି ଫାଇନାଲ୍‌ ଉଠିଥିବା‌ ଗୁଜରାଟ ଟାଇଟନ୍ସ ପାଇଁ ଆଇପିଏଲ୍‌ ଖେଳୁଛନ୍ତି ସାହା। ବେଙ୍ଗାଲୁରୁଠାରେ ମଇ ୨୯ ତାରିଖରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଜୁନ୍‌ ୬ ତାରିଖରୁ ବେଙ୍ଗାଲୁରୁରେ ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ କ୍ବାର୍ଟରଫାଇନାଲ୍ ଖେଳିବ ବେଙ୍ଗଲ।

କ୍ରିକେଟ୍ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌ (ସିଏବି) ପକ୍ଷରୁ ଦିଆଯାଇଥିବା ପୁନଃବିଚାର ପ୍ରସ୍ତାବକୁ ସାହା ପ୍ରତ୍ୟାଖାନ କରି ଦେଇଥିବା ସଭାପତି ଅଭିଷେକ ଡାଲମିଆ ପ୍ରକାଶ କରିଛନ୍ତି। ସିଏବି ବାସ୍ତବରେ ପୂର୍ବରୁ ଘୋଷଣା କରିଥିବା ଦଳରେ ଋଦ୍ଧିମାନ ସାହା ଏବଂ ମହମ୍ମଦ ସାମିଙ୍କୁ ସାମିଲ କରି ବିବାଦରେ ପଡ଼ିଥିଲା। ସାହା କେଉଁଠି ସିଏବିର ଆପତ୍ତିବିହୀନ ପତ୍ର ଦାବି କରିଛନ୍ତି। ଏହା ଦ୍ବାରା ସିଏବି ସହ ତାଙ୍କ ମତଭେଦ ଥିବାର ଆଭାସ ମିଳୁଛି। ଏ ସମ୍ପର୍କରେ କୌଣସି ଟିପ୍ପଣୀ ରଖିବାକୁ ଅଭିଷେକ ମନା କରି ଦେଇଛନ୍ତି। ବର୍ତମାନ ଭାରତୀୟ ଚୟନକର୍ତାଙ୍କ ପସନ୍ଦ ବାହାରେ ଥିବା ସାହାଙ୍କ ବିରୋଧରେ ସିଏବିର ଯୁଗ୍ମ ସମ୍ପାଦକ ଦେବବ୍ରତ ଦାସ କିନ୍ତୁ ମନ୍ତବ୍ୟ ରଖିଥିଲେ। ‘ବେଙ୍ଗଲ କ୍ରିକେଟ୍‌ ପାଇଁ ଋଦ୍ଧିମାନ କୌଣସି ଦାୟିତ୍ବ ତୁଲାଉନାହାନ୍ତି। ଭାରତୀୟ ଦଳରୁ ଖେଳୁନଥିବାବେଳ ସେ ବେଙ୍ଗଲ ପାଇଁ ଖେଳିବା ଉଚିତ’ ବୋଲି ସେ ପ୍ରକାଶ କରିଥିଲେ। ଏହା ଦ୍ବାରା ସଂଘ-ଖେଳାଳି ବିବାଦ ରହିଥିବା ସନ୍ଦେହ ପ୍ରକଟ କରାଯାଉଛି। ଚଳିତ ଆଇପିଏଲ୍‌ରେ ସାହା କିନ୍ତୁ ଭଲ ଖେଳି ୧୦ ମ୍ୟାଚ୍‌ରୁ ୩୧୨ ରନ୍‌ ସଂଗ୍ରହ କରିଛନ୍ତି।

ସିଏବି ହ୍ବାଟ୍ସଆପ୍‌ ଗ୍ରୁପ୍‌ ଛାଡ଼ିଲେ
ଇତିମଧ୍ୟରେ ଋଦ୍ଧିମାନ ସାହା ସିଏବି (କ୍ରିକେଟ୍ ଆସୋସିଏସନ ଅଫ୍ ବେଙ୍ଗଲ୍‌)ର ହ୍ବାଟ୍ସଆପ୍‌ ଗ୍ରୁପ୍‌ରୁ ବାହାରିଯାଇଛନ୍ତି। ଫଳରେ ସିଏବି ସହ ତାଙ୍କ ସମ୍ପର୍କରେ ଦେଖା ଦେଇଥିବା ଫାଟ ତୀବ୍ର ହୋଇଛି ବୋଲି ସନ୍ଦେହ କ୍ରମେ ଦୃଢ଼ୀଭୂତ ହୋଇଛି। ସିଏବି ମଧ୍ୟ ୩୭ ବର୍ଷୀୟ ଋଦ୍ଧିଙ୍କୁ ଏନ୍‌ଓସି ଦେଇ ଅନ୍ୟ ରାଜ୍ୟରୁ ଖେଳିବା ସ‌ୁଯୋଗ ଦେବ ବୋଲି ବିଶ୍ବାସ ଜନ୍ମାଇଛି। ସାହାଙ୍କ ପତ୍ନୀ ରୋମି କିନ୍ତୁ ସିଏବିର ପ୍ରତିକ୍ରିୟା ଋଦ୍ଧିଙ୍କୁ ବାଧିଛି ବୋଲି ପ୍ରକାଶ କରିଛନ୍ତି। ହ୍ବାଟ୍ସୖଆପଗ୍ରୁପ୍‌ ଛାଡ଼ି ଋଦ୍ଧି ମଧ୍ୟ ସିଏବି ସହ ୧୫ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି। ୨୦୦୭ରେ ପଦାର୍ପଣ କରିଥିବା ସାହା ୧୨୨ ପ୍ରଥମ ଶ୍ରେଣୀ ଏବଂ ୧୦୨ ଲିଷ୍ଟ୍‌ ‘ଏ’ ମ୍ୟାଚ୍‌ ଖେଳିଛନ୍ତି। ସିଏବି ଅଧିକ ବିରକ୍ତ କି ବିବାଦ ଭିତରକୁ ନ ଯାଇ ତାଙ୍କୁ ଏନ୍‌ଓସି ପ୍ରଦାନ ‌କରିଦେବ ବୋଲି ମଧ୍ୟ ସୂଚନା ଦେଇଛି।

ସମ୍ବନ୍ଧିତ ଖବର