ରଣଜୀ ସେମିଫାଇନାଲ୍‌ ୧୭ରୁ: ଦିଲ୍ଲୀ-ବେଙ୍ଗଲ, କର୍ଣ୍ଣାଟକ-ବିଦର୍ଭ

ନୂଆଦିଲ୍ଲୀ: ରଣଜୀ ଟ୍ରଫିର ସେମିଫାଇନାଲରେ ଏଥର ଦିଲ୍ଲୀ-ବେଙ୍ଗଲ ଏବଂ କର୍ଣ୍ଣାଟକ-ବିଦର୍ଭ ମଧ୍ୟରେ ଲଢ଼େଇ ହେବ। ଏହି ଦୁଇ ମୁକାବିଲା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। କ୍ୱାର୍ଟରଫାଇନାଲ୍‌ରେ ରବିବାର ମୁମ୍ବାଇକୁ କର୍ଣ୍ଣାଟକ ପାଳି ୨୦ ରନ୍‌ରେ ପରାସ୍ତ କରିଥିବାବେଳେ ସୋମବାର ମଧ୍ୟପ୍ରଦେଶକୁ ଦିଲ୍ଲୀ ୭ ଓ୍ଵିକେଟ୍‌ରେ, କେରଳକୁ ବିଦର୍ଭ ୪୧୨ ରନ୍‌ରେ ହରାଇଥିଲା। ଗୁଜରାଟ ବିପକ୍ଷରେ ବେଙ୍ଗଲ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଶେଷ ୪ରେ ନିଜ ପାଇଁ ସ୍ଥାନ ପକ୍କା କରିନେଇଥିଲା।
ଆନ୍ଧ୍ରପ୍ରଦେଶର ମୁଲାପଡ଼ୁରେ ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ ୭ ଓ୍ଵିକେଟ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଥିଲା। ଶେଷ ଦିନରେ ଦିଲ୍ଲୀ ପାଇଁ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଯାହାକି ଦିଲ୍ଲୀ ମାତ୍ର ୩ ଓ୍ଵିକେଟ୍‌ ହରାଇ ହାସଲ କରିନେଇଥିଲା। ଦିଲ୍ଲୀ ପକ୍ଷରୁ ଅଧିନାୟକ ଗୌତମ ଗମ୍ଭୀର (୯୫) ଏବଂ କୁନାଲ ଚାନ୍ଦେଲା (୫୭) ଅର୍ଧଶତକ ହାସଲ କରିଥିଲା ବେଳେ ଧୃବ ଶୋରେ ୪୬ ରନ୍‌ର ଉପଯୋଗୀ ପାଳି ଖେଳି ଏହି ବିଜୟ ଦେଇଥିଲେ। ପରାଜୟ ସତ୍ତ୍ୱେ ମଧ୍ୟପ୍ରଦେଶର ହରପ୍ରୀତ ସିଂହ (୧୦୭*, ୭୮) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ରାଜସ୍ଥାନର ଜୟପୁରରେ ଗୁଜରାଟ ବିପକ୍ଷରେ ବେଙ୍ଗଲ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ବେଙ୍ଗଲ ପ୍ରଥମ ପାଳିରେ ୩୫୪ ରନ୍‌ କରିଥିଲା ବେଳେ ଗୁଜରାଟ ୨୨୪ ରନ୍‌ କରି ପଛୁଆ ରହିଥିଲା। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ସେମିଫାଇନାଲ୍‌ ସ୍ଥାନ ପକ୍କା ହୋଇଯିବାରୁ ବେଙ୍ଗଲ ଦ୍ୱିତୀୟ ପାଳିରେ ବ୍ୟାଟିଂ ଅଭ୍ୟାସ କରି ୬ ଓ୍ଵିକେଟ୍‌ ହରାଇ ୬୯୫ ରନ୍‌ କରିଥିଲା। ଦଳ ପକ୍ଷରୁ ଋତିକ ଚାଟାର୍ଜୀ (୨୧୬) ଦ୍ୱିଶତକ, ଅନୁସ୍ତୁପ ମଜୁମଦାର (୧୩୨) ଓ ଅଭିମନ୍ୟୁ ଈଶ୍ୱରନ୍‌ (୧୧୪) ଶତକ କରିଥିଲେ। ଉଭୟ ପାଳିରେ ଶତକ ହାସଲ କରିଥିବା ଈଶ୍ୱରନ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଗୁଜରାଟର ସୁରତ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କେରଳ ବିପକ୍ଷରେ ବିଦର୍ଭ ବଡ଼ ବ୍ୟବଧାନରେ ବିଜୟ ପାଇଥିଲା। ପ୍ରଥମ ପାଳିରେ ବିଦର୍ଭ ୨୪୬ ରନ୍‌ କରିଥିଲା ବେଳେ କେରଳ ମାତ୍ର ୧୭୬ ରନ୍‌ କରିଥିଲା। ୭୦ ରନ୍‌ର ଅଗ୍ରଣୀ ପରେ ବିଦର୍ଭ ଦ୍ୱିତୀୟ ପାଳି ୫୦୭/୯ରେ ଘୋଷଣା କରି କେରଳ ଆଗରେ ୫୭୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏହାକୁ ପିଛା କରି କେରଳ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଦର୍ଭ ପକ୍ଷରୁ ଆଦିତ୍ୟ ସରଓ୍ଵାତ୍‌ ୬, ରାଜନୀଶ ଗୁରବାଣୀ ୨ ଏବଂ କର୍ନ ଶର୍ମା ଓ ଅକ୍ଷୟ ଓ୍ଵାଖାରେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। କେରଳ ପକ୍ଷରୁ ସଲମାନ ନିଜାର ୬୪ ରନ୍‌ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗୁରବାଣୀଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର