ରଜଣୀ ଟ୍ରଫି ସେମିଫାଇନାଲ୍‌:ନାୟାର, କୁନାଲ, ଗମ୍ଭୀରଙ୍କ ଶତକ

କୋଲ୍‌କାତା/ପୁନେ: ରଣଜୀ ଟ୍ରଫିର ସେମିଫାଇନାଲ୍‌ରେ ପ୍ରଥମ ପାଳି ଫାଇଦା କର୍ଣ୍ଣାଟକ ଏବଂ ଦିଲ୍ଲୀ ସପକ୍ଷରେ ଯାଉଛି। ବିଦର୍ଭ ବିପକ୍ଷରେ କର୍ଣ୍ଣାଟକ ପ୍ରଥମ ପାଳିରେ ଆଗୁଆ ହୋଇ ସାରିଥିବାବେଳେ ବେଙ୍ଗଲ୍‌ ବିପକ୍ଷରେ ଦିଲ୍ଲୀ ବଡ଼ ଅଗ୍ରଣୀର ମୂଳଦୁଆ ପକାଇଛି।
କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ସରେ ବିଦର୍ଭର ୧୮୫ ରନ୍‌ ଜବାବରେ କର୍ଣ୍ଣାଟକ ଦ୍ୱିତୀୟ ଦିନ ସୁଦ୍ଧା ୮ ଓ୍ଵିକେଟ୍‌ରେ ୧୯୪ ରନ୍‌ ସଂଗ୍ରହ କରିଛି। ଫଳରେ ହାତରେ ୨ ଓ୍ଵିକେଟ୍‌ ଥାଇ କର୍ଣ୍ଣାଟକ ୧୦୯ ରନ୍‌ର ଅଗ୍ରଣୀ ନେଇ ସାରିଛି। କର୍ଣ୍ଣାଟକ କିନ୍ତୁ କରୁଣ ନାୟାର (୧୪୮*, ୨୬୧ ବଲ୍‌) ଶତକୀୟ ପାଳି ବଳରେ ହିଁ ବଳିୟାନ ହୋଇଛି। ସିଏମ୍‌ ଗୌତମ (୭୩)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି କର୍ଣ୍ଣାଟକ ଖେଳାଳି ବିଦର୍ଭ ବୋଲିଂକୁ ମୁକାବିଲା କରିପାରିନଥିଲେ। ଯୁବ ମଧ୍ୟମଗତି ବୋଲର ରଜନୀଶ ଗୁରବାଣୀ (୧୬-୬-୪୫-୫) ଚମତ୍କାର ବୋଲିଂ କରିଥିଲେ। ଉମେଶ ଯାଦବ ୨ ଓ୍ଵିକେଟ୍‌ ନେଇଛନ୍ତି।
ପୁନେରେ ବେଙ୍ଗଲର ୨୮୬ ରନ୍‌ ଜବାବରେ ଦିଲ୍ଲୀ ଦ୍ୱିତୀୟ ଦିନ ସୁଦ୍ଧା ୩ ଓ୍ଵିକେଟ୍‌ରେ ୨୭୧ ରନ୍‌ ସଂଗ୍ରହ କରିଛି। ପ୍ରାରମ୍ଭିକ ଯୋଡ଼ି କୁନାଲ ଚାନ୍ଦିଲା (୧୧୩) ଏବଂ ଗୌତମ ଗମ୍ଭୀର (୧୨୭)ଙ୍କ ଦ୍ୱିଶତକ (୨୩୨) ଭାଗୀଦାରି ବଳରେ ଦିଲ୍ଲୀ ଦୃଢ଼ ଜବାବ ଦେଇଛି। କୁନାଲ ନିଜର ପ୍ରଥମ ଶତକ ଅର୍ଜନ କରିଥିବାବେଳେ ଗମ୍ଭୀର ୪୨ତମ ପ୍ରଥମ ଶ୍ରେଣୀ ଶତକ ପୂର୍ଣ୍ଣ କରିଥିଲେ। ସୋମବାର ସକାଳେ ପୂର୍ବରୁ ବେଙ୍ଗଲ୍‌ ୨୬୯/୭ରୁ ଖେଳି ୨୮୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଫଳରେ ଏକଦା ୩ ଓ୍ଵିକେଟ୍‌ରେ ୨୦୦ ରନ୍‌ କରିଥିବା ବେଙ୍ଗଲ ୮୬ ରନ୍‌ରେ ଶେଷ ୭ ଓ୍ଵିକେଟ୍‌ ହରାଇ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଦେଇଥିଲା।

ସମ୍ବନ୍ଧିତ ଖବର