ରଣଜୀ ସେମିଫାଇନାଲ୍‌: ମନୋଜ ଓ ସାହବାଜ୍‌ଙ୍କ ଶତକ ସତ୍ତ୍ବେ ବେଙ୍ଗଲ ପଛୁଆ

ତିୱାରୀଙ୍କ କ୍ରମାଗତ ଶତକ, ଉତ୍ତର ପ୍ରଦେଶ ୧୮୦; ମୁମ୍ବାଇ ୩୪୬ ରନ୍‌ରେ ଆଗୁଆ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ରଣଜୀ ଟ୍ରଫି ସେମିଫାଇନାଲ୍‌ରେ ପୂର୍ବତନ ଅଧିନାୟକ ତଥା ମମତା ବାନାର୍ଜୀଙ୍କ ସରକାରରେ କ୍ରୀଡ଼ାମନ୍ତ୍ରୀ ଥିବା ମନୋଜ ତିୱାରୀ (୧୦୨) ଏବଂ ଅଲ୍‌ରାଉଣ୍ଡର ସାହବାଜ ଅହମ୍ମଦ (୧୧୮)ଙ୍କ ଶତକ ସତ୍ତ୍ବେ ମଧ୍ୟପ୍ରଦେଶ ବିପକ୍ଷରେ ବେଙ୍ଗଲ ପ୍ରଥମ ପାଳି ପଛୁଆ ରହିଯାଇଛି। ଏକ ସମୟରେ ୫୪ ରନ୍‌ରେ ୫ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ବେଙ୍ଗଲ ପକ୍ଷରୁ ଉଭୟ ତିୱାରୀ ଓ ସାହବାଜ୍‌ ଷଷ୍ଠ ୱିକେଟ୍‌ରେ ୧୮୩ ରନ୍ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ ମଧ୍ୟ ଦଳ ୨୭୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ମଧ୍ୟପ୍ରଦେଶ ପକ୍ଷରୁ କୁମାର କାର୍ତିକେୟ (୩/୬୧), ସାରାଂଶ ଜୈନ (୩/୬୩), ପୁନିତ ଦାତେ (୩/୪୮) ଏବଂ ଜି ଯାଦବ (୧/୪୯) ବେଙ୍ଗଲର ସମସ୍ତ ୱିକେଟ୍‌ ବାଣ୍ଟି ନେଇଥିଲେ। ଫଳରେ ମଧ୍ୟପ୍ରଦେଶର ପ୍ରଥମ ପାଳି ସ୍କୋର୍‌ ୩୪୧ଠାରୁ ବେଙ୍ଗଲ ୬୮ ରନ୍‌ ପଛରେ ପଡ଼ି ଯାଇଥିଲା। ତେବେ ଗୁରୁବାର ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ମଧ୍ୟପ୍ରଦେଶ ତା’ର ଦ୍ବିତୀୟ ପାଳିରେ ୨ ୱିକେଟ୍‌ ହରାଇ ୧୬୩ ରନ୍‌ କରି ଭଲ ସ୍ଥିତିରେ ପହଞ୍ଚିଯାଇଛି। ରଜତ ପଟିଦାର (୬୩*) ଅର୍ଦ୍ଧଶତକ ଏବଂ ଆଦିତ୍ୟ ଶ୍ରୀବାସ୍ତବ (୩୪*) ଅପରାଜିତ ରହି ଦଳକୁ ବଡ଼ ଅଗ୍ରଣୀ ଦେବାରେ ଲାଗିପଡ଼ିଛନ୍ତି। ପ୍ରଥମ ପାଳିର ଶତକ ହାସଲକାରୀ ହିମାଂଶୁ ମନ୍ତ୍ରୀ (୨୧) ଓ ୟାସ୍‌ ଦୁବେ (୧୨) ପାଭିଲିୟନ୍‌ ଫେରିଯାଇଥିଲା ବେଳେ ପଟିଦାର ଓ ଆଦିତ୍ୟ ଅସମାପ୍ତ ତୃତୀୟ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ିସାରିଛନ୍ତି। ଫଳରେ ହାତରେ ୮ ୱିକେଟ୍‌ ଥାଇ ମଧ୍ୟପ୍ରଦେଶ ମୋଟ ଉପରେ ୨୩୧ ରନ୍‌ରେ ଆଗୁଆ ରହିଛି।

ତିୱାରୀଙ୍କ କ୍ରମାଗତ ଶତକ
ଚଳିତ ରଣଜୀ ଟ୍ରଫିରେ ମନୋଜ ତିୱାରୀ କ୍ରମାଗତ ଶତକ ଜମାଇଛନ୍ତି। ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ୍‌ର ପ୍ରଥମ ପାଳିରେ ଗୁରୁବାର ଶତକ ପୂରଣ କରିଥିବା ତିୱାରୀ ଏହା ପୂର୍ବରୁ ଝାଡ଼ଖଣ୍ଡ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟ ଶତକ ହାସଲ କରିଥିଲେ। କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ର ପ୍ରଥମ ପାଳିରେ ୭୩ ଏବଂ ଦ୍ବିତୀୟ ପାଳିରେ ୧୩୬ ରନ୍‌ କରିଥିଲେ ତିୱାରୀ।

ଉତ୍ତର ପ୍ରଦେଶ ୧୮୦; ମୁମ୍ବାଇ ୩୪୬ ରନ୍‌ରେ ଆଗୁଆ
ଜଷ୍ଟ କ୍ରିକେଟ୍‌ ଏକାଡେମି ଗ୍ରାଉଣ୍ଡରେ ମୁମ୍ବାଇ ବୋଲରଙ୍କ ସାମ୍‌ନା କରିନପାରି ଉତ୍ତର ପ୍ରଦେଶ ୧୮୦ ରନ୍‌ରେ ପ୍ରଥମ ପାଳିର ସମସ୍ତ ୱିକେଟ୍‌ ହରାଇଛି। ତୁଷାର ଦେଶପାଣ୍ଡେ (୩/୩୪), ମୋହିତ ଅଭସ୍ତି (୩/୩୩), ତନୁଷ କୋଟିଆଁ (୩/୩୫) ଏବଂ ଧବଲ କୁଲ୍‌କର୍ଣ୍ଣି (୧/୨୫) ମିଳିତ ଭାବେ ଉତ୍ତର ପ୍ରଦେଶର ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ମୁମ୍ବାଇ ପ୍ରଥମ ପାଳି ସ୍କୋର୍‌ ୩୯୩ଠାରୁ ଉତ୍ତର ପ୍ରଦେଶ ୨୧୩ ରନ୍‌ ପଛରେ ରହିଯାଇଥିଲା। ଏହାପରେ ମୁମ୍ବାଇ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଦ୍ବିତୀୟ ପାଳିରେ କେବଳ ଅଧିନାୟକ ପୃଥ୍ବୀ ସ’ (୬୪)ଙ୍କ ୱିକେଟ୍‌ ହରାଇ ୧୩୩ ରନ୍ କରିନେଇଛି। ଯଶସ୍ବୀ ଜୟସ୍ବାଲ (୩୫*) ଏବଂ ଅର୍ମନ ଜାଫର (୩୨*) ଅସମାପ୍ତ ଦ୍ବିତୀୟ ୱିକେଟ୍‌ରେ ୬୭ ରନ୍ ଯୋଡ଼ି ଦଳର ସ୍ଥିତି ମଜବୁତ୍‌ କରିଦେଇଛନ୍ତି। ଏଥି ସହିତ ହାତରେ ୯ ୱିକେଟ୍‌ ଥାଇ ମୁମ୍ବାଇ ମୋଟ ଉପରେ ୩୪୬ ରନ୍‌ର ଅଗ୍ରଣୀ ପାଇସାରିଛି।

ସମ୍ବନ୍ଧିତ ଖବର