ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ରଣଜୀ ଟ୍ରଫି ସେମିଫାଇନାଲ୍ରେ ପ୍ରଥମ ପାଳି ଅଗ୍ରଣୀ ପାଇଁ ବେଙ୍ଗଲ ସଂଘର୍ଷ କରୁଛି। କ୍ବାର୍ଟର ଫାଇନାଲ୍ରେ ବଡ଼ ସ୍କୋର୍ ସାଙ୍ଗକୁ ୯ ଜଣ ଅତିକମ୍ରେ ଅର୍ଦ୍ଧଶତକ ଜମାଇ କୀର୍ତ୍ତିମାନ ରଚିଥିବା ଏହି ଦଳ କିନ୍ତୁ ସେମିଫାଇନାଲ୍ରେ ମଧ୍ୟପ୍ରଦେଶ ବିପକ୍ଷରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଲୁରର କେଏସ୍ସିଏ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟପ୍ରଦେଶର ପ୍ରଥମ ପାଳି ସ୍କୋର୍ ୩୪୧ ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ବେଙ୍ଗଲ ୫ ୱିକେଟ୍ ବିନିମୟରେ ୧୯୭ ରନ୍ କରିଛି। କୁମାର କାର୍ତିକେୟ (୨/୪୩) ଏବଂ ପୁନିତ ଦାତ୍ତେ (୨/୩୪)ଙ୍କ ଚମତ୍କାର ବୋଲିଂ ଯୋଗୁଁ ଏକ ସମୟରେ ବେଙ୍ଗଲ ୫୪ ରନ୍ରେ ୫ ୱିକେଟ୍ ହରାଇ ଘୋର ସଂକଟରେ ପଡ଼ିଯାଇଥିଲା। ହେଲେ ପୂର୍ବତନ ଅଧିନାୟକ ତଥା ମମତା ବାନାର୍ଜୀଙ୍କ ସରକାରରେ କ୍ରୀଡ଼ାମନ୍ତ୍ରୀ ଥିବା ମନୋଜ ତିୱାରୀ (୮୪*) ଏବଂ ଅଲ୍ରାଉଣ୍ଡର ସାହବାଜ ଅହମ୍ମଦ (୭୨*) ଅପରାଜିତ ଅର୍ଦ୍ଧଶତକ ଜମାଇ ଦଳକୁ ଆଗେଇ ନେଇଛନ୍ତି। ଏ ଦୁହେଁ ଅସମାପ୍ତ ଷଷ୍ଠ ୱିକେଟ୍ରେ ୧୪୩ ରନ୍ ଯୋଡ଼ି ବେଙ୍ଗଲ ସ୍ଥିତି ସୁଧାରିବାରେ ଲାଗିଛନ୍ତି। ତଥାପି ଦ୍ବିତୀୟ ଦିବସ ଶେଷ ସୁଦ୍ଧା ହାତରେ ୫ ୱିକେଟ୍ ଥାଇ ବେଙ୍ଗଲ ୧୪୪ ରନ୍ ପଛରେ ରହିଛି।
ଏହା ପୂର୍ବରୁ ପ୍ରଥମ ଦିବସରେ ୨୭୧/୬ କରିଥିବା ମଧ୍ୟପ୍ରଦେଶ ଦ୍ବିତୀୟ ଦିବସରେ ଆଉ ୧୭୦ ରନ୍ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା। ପ୍ରଥମ ଦିବସରେ ଅପରାଜିତ ୧୩୪ ରନ୍ କରିଥିବା ଓପ୍ନର ହିମାଂଶୁ ମନ୍ତ୍ରୀ ୧୬୫ ରନ୍ରେ ଆଉଟ୍ ହୋଇଥିଲା ବେଳେ ପୁନିତ ଦାତ୍ତେଙ୍କ ୩୩ ରନ୍ ମହତ୍ବପୂର୍ଣ୍ଣ ରହିଥିଲା। ବେଙ୍ଗଲ ପକ୍ଷରୁ ମୁକେଶ କୁମାର (୪/୬୬), ସାହବାଜ ଅହମ୍ମଦ (୩/୮୬) ଏବଂ ଆକାଶ ଦୀପ (୨/୭୩) ୱିକେଟ୍ ବାଣ୍ଟି ନେଇଥିଲେ।
ମୁମ୍ବାଇ ୩୯୩; ଉତ୍ତର ପ୍ରଦେଶ ୨/୨୫
ଜଷ୍ଟ କ୍ରିକେଟ୍ ଏକାଡେମି ଗ୍ରାଉଣ୍ଡରେ ଦୁଇଟି ଶତକୀୟ ଏବଂ ଗୋଟିଏ ଅର୍ଦ୍ଧଶତକୀୟ ପାଳି ବଳରେ ମୁମ୍ବାଇ ୩୯୩ ରନ୍ କରିଥିଲା ବେଳେ ଉତ୍ତର ପ୍ରଦେଶ ୨୫ ରନ୍ରେ ୨ ୱିକେଟ୍ ହରାଇ ସଂକଟରେ ପଡ଼ିଯାଇଛି। ଧବଲ କୁଲ୍କର୍ଣ୍ଣି ଓ ତୁଷାର ଦେଶପାଣ୍ଡେ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲା ବେଳେ ମାଧବ କୌଶିକ (୧୧) ଓ ଅଧିନାୟକ କରଣ ଶର୍ମା (୧୦) କ୍ରିଜ୍ରେ ରହିଛନ୍ତି। ଏହା ପୂର୍ବରୁ ଓପ୍ନର ଯଶସ୍ବୀ ଜୟସ୍ବାଲ (୧୦୦)ଙ୍କ ପରେ ୱିକେଟ୍ରକ୍ଷକ ହାର୍ଦିକ୍ ଟାମୋରେ (୧୧୫) ଶତକ ହାସଲ କରିଥିଲେ। ତାଙ୍କ ବ୍ୟତୀତ ସାମ୍ସ ମୁଲାନି (୫୦) ଅର୍ଦ୍ଧଶତକ ଜମାଇ ଦଳୀୟ ସ୍କୋର୍କୁ ୪୦୦ ପାଖାପାଖି ପହଞ୍ଚାଇ ଦେଇଥିଲେ। ଟାମୋରେ ଓ ମୁଲାନି ଷଷ୍ଠ ୱିକେଟ୍ରେ ୧୧୩ ରନ୍ ଯୋଡ଼ିବାରୁ ମୁମ୍ବାଇ ଦୃଢ଼ ସ୍ଥିତି ପାଇଯାଇଥିଲା। ଉତ୍ତର ପ୍ରଦେଶ ପକ୍ଷରୁ କରନ ଶର୍ମା (୪/୪୬), ସୌରଭ କୁମାର (୩/୧୦୭) ଏବଂ ୟାଶ୍ ଦୟାଲ (୨/୫୧) ସଫଳ ବୋଲର ରହିଥିଲେ। ଦ୍ବିତୀୟ ଦିବସ ସୁଦ୍ଧା ହାତରେ ୮ ୱିକେଟ୍ ଥିବା ସତ୍ତ୍ବେ ଉତ୍ତର ପ୍ରଦେଶ ୩୬୮ ରନ୍ ପଛରେ ରହିଛି।