ରଣଜୀ ସେମିଫାଇନାଲ୍‌: ଜୟସ୍ବାଲଙ୍କ ଶତକ; ମୁମ୍ବାଇ ୨୬୦/୫

କ୍ରିକେଟର୍‌ଙ୍କ ପେନସନ୍ ବଢ଼ିଲା, ହିମାଂଶୁ ୧୩୪*, ମଧ୍ୟପ୍ରଦେଶ ୨୭୧/୬

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ସେମିଫାଇନାଲ୍‌ର ପ୍ରଥମ ଦିବସରେ ମୁମ୍ବାଇ ଏବଂ ମଧ୍ୟପ୍ରଦେଶ ଓପ୍‌ନର ଯଶସ୍ବୀ ଜୟସ୍ବାଲ ଓ ହିମାଂଶୁ ମନ୍ତ୍ରୀ ଶତକ ଜମାଇଛନ୍ତି। ଉତ୍ତର ପ୍ରଦେଶ ବିପକ୍ଷରେ ମୁମ୍ବାଇ ୨୬୦/୫ କରିଥିଲା ବେଳେ ବେଙ୍ଗଲ ବିପକ୍ଷରେ ମଧ୍ୟପ୍ରଦେଶ ୨୭୧/୬ କରିଛି। ଜଷ୍ଟ କ୍ରିକେଟ୍‌ ଏକାଡେମି ଗ୍ରାଉଣ୍ଡରେ ଉତ୍ତର ପ୍ରଦେଶ ଟସ୍‌ ଜିତି ରଣଜୀ ଟ୍ରଫି ଇତିହାସରେ ସର୍ବାଧିକ ସଫଳ ଦଳ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଓଭରରେ ଅଧିନାୟକ ପୃଥ୍ବୀ ସ’ଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍‌ କରି ୟାଶ୍‌ ଦୟାଲ ଉତ୍ତର ପ୍ରଦେଶ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ। ହେଲେ ଅନ୍ୟତମ ଓପ୍‌ନର ଜୟସ୍ବାଲ ଶତକ ହାସଲ କରି ଦଳର ସ୍ଥିତି ସଜାଡ଼ି ନେଇଥିଲେ। ସେ ୧୫ ଚୌକା ବଳରେ ୧୦୦ ରନ୍‌ (୨୨୭ ବଲ୍‌) କରି ପ୍ରତିପକ୍ଷ ଅଧିନାୟକ କରନ ଶର୍ମାଙ୍କ ଶିକାର ହୋଇଥିଲେ।

ସେ ପ୍ରଥମ ଦିବସର ଶେଷ ବ୍ୟାଟର୍‌ ଭାବେ ଆଉଟ୍‌ ହେବା ପୂର୍ବରୁ ଦଳୀୟ ସ୍କୋର୍‌ ୨୩୩/୫ରେ ପହଞ୍ଚାଇଥିଲେ। ତାଙ୍କ ବ୍ୟତୀତ ଅର୍ମାନ ଜାଫର (୧୦), ସୁଭେଦ ପାର୍କର (୩୨) ଏବଂ ସର୍ଫରାଜ ଖାନ୍‌ (୪୦) ପାଭିଲିୟନ୍‌ ଫେରିଯାଇଛନ୍ତି। ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୱିକେଟ୍‌ରକ୍ଷକ ହାର୍ଦିକ୍‌ ତାମୋରେ (୫୧) ଏବଂ ସାମ୍‌ସ ମୁଲାନି (୧୦) ଅବିଭାଜିତ ଷଷ୍ଠ ୱିକେଟ୍‌ରେ ୨୭ ରନ୍ ଯୋଡ଼ି ସଂଘର୍ଷ ଜାରି ରଖିଛନ୍ତି। ଉତ୍ତର ପ୍ରଦେଶ ପକ୍ଷରୁ ୟାଶ ଦୟାଲ ଓ କରନ ଶର୍ମା ୨-୨ ଏବଂ ଶିଭବ ମାଭି ଗୋଟିଏ ୱିକେଟ୍‌ ଦଖଲ କରିଛନ୍ତି।

ହିମାଂଶୁ ୧୩୪*, ମଧ୍ୟପ୍ରଦେଶ ୨୭୧/୬
ଆଲୁରର କେଏସ୍‌ସିଏ କ୍ରିକେଟ୍‌ ଗ୍ରାଉଣ୍ଡରେ ମଧ୍ୟପ୍ରଦେଶ ଓପ୍‌ନର ହିମାଂଶୁ ମନ୍ତ୍ରୀ ଅପରାଜିତ ଶତକ ଜମାଇଥିଲେ ମଧ୍ୟ ବେଙ୍ଗଲ ବୋଲରମାନେ ପ୍ରଥମ ଦିବସରେ ସମ୍ମାନ ବାଣ୍ଟି ନେଇଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ମଧ୍ୟପ୍ରଦେଶ ପକ୍ଷରୁ ହିମାଂଶୁ ୧୩୪ (୨୮୦ ବଲ୍‌, ୧୫ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହିଥିଲେ ମଧ୍ୟ ଦଳ ୨୭୧ ରନ୍‌ରେ ୬ ୱିକେଟ୍‌ ହରାଇ ଦେଇଛି। ଅକ୍ଷତ ରଘୁବଂଶୀ (୬୩) ଅର୍ଦ୍ଧଶତକ ହାସଲ କରିଥିଲେ। ହିମାଂଶୁ ଓ ଅକ୍ଷତ ପଞ୍ଚମ ୱିକେଟ୍‌ରେ ୧୨୩ ରନ୍ ଯୋଡ଼ିବାରୁ ସ୍ଥିତି କିଛିଟା ସୁଧରିଥିଲା। ବେଙ୍ଗଲ ପକ୍ଷରୁ ମୁକେଶ କୁମାର ଓ ଆକାଶ ଦୀପ ୨-୨ ଏବଂ ସାହବାଜ ଅହମ୍ମଦ ଓ ପ୍ରଦୀପ୍ତ ପରମାଣିକ ୧-୧ ୱିକେଟ୍‌ ବାଣ୍ଟି ନେଇଛନ୍ତି।

କ୍ରିକେଟର୍‌ଙ୍କ ପେନସନ୍ ବଢ଼ିଲା
ପୂର୍ବତନ କ୍ରିକେଟର୍‌ଙ୍କ ପେନସନକୁ ବିସିସିଆଇ ପାଖାପା‌ଖି ଦୁଇ ଗୁଣ ବଢ଼ାଇଛି। ଉଭୟ ପୁରୁଷ ଓ ମହିଳା କ୍ରିକେଟର୍‌ମାନେ ଏଥିରୁ ଉପକୃତ ହେବେ। ପୂର୍ବରୁ ମାସିକ ୧୫,୦୦୦ ପେନସନ୍ ପାଉଥିବା ପୂର୍ବତନ ପ୍ରଥମଶ୍ରେଣୀ ଏବଂ ଟେଷ୍ଟ୍ କ୍ରିକେଟର୍‌ମାନେ ଏବେ ୩୦,୦୦୦ ଟଙ୍କା ପାଇବେ। ସେହିଭଳି ୩୭,୫୦୦ ଟଙ୍କା ପାଉଥିବା ପୂର୍ବତନ କ୍ରିକେଟର୍‌ ଏଣିକି ୬୦,୦୦୦ ଟଙ୍କା ପାଇବେ। ଯେଉଁମାନେ ୫୦,୦୦୦ ଟଙ୍କା‌ ପାଉଥିଲେ ସେମାନଙ୍କ ମାସିକ ପେନସନ୍ ୭୦,୦୦୦କୁ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର