ରଣଜୀ ଇତିହାସରେ ସର୍ବୋଚ୍ଚ ପଶ୍ଚାତ୍‌ଧାବନ

୩୭୨ ରନ୍‌ ବିଜୟ ଲକ୍ଷ୍ୟରେ ସୌରାଷ୍ଟ୍ର ସଫଳ, ସେମିରେ ସୌରାଷ୍ଟ୍ର-କର୍ଣ୍ଣାଟକ, କେରଳ-ବିଦର୍ଭ

ମୁମ୍ବାଇ: ରଣଜୀ ଟ୍ରଫି ଇତିହାସରେ ଶନିବାର ସର୍ବୋଚ୍ଚ ବିଜୟ ଲକ୍ଷ୍ୟର ସଫଳ ପଶ୍ଚାତଧାବନ କରି ସୌରାଷ୍ଟ୍ର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଉତ୍ତରପ୍ରଦେଶ ପକ୍ଷରୁ ଧାର୍ଯ୍ୟ ୩୭୨ ରନ୍ ବିଜୟ ଲକ୍ଷ୍ୟକୁ ୪ ୱିକେଟ୍‌ ବିନିମୟରେ ହାସଲ କରି ଏହି ଦଳ ଟ୍ରଫି ଲଢ଼େଇ ପାଇଁ କର୍ଣ୍ଣାଟକ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି। ଅନ୍ୟ ସେମିଫାଇନାଲରେ ବିଦର୍ଭ ଭେଟିବ କେରଳକୁ। ଗୋଟିଏ କ୍ବାର୍ଟର ଫାଇନାଲ୍‌ରେ ୧୮୫ ରନ୍ ବିଜୟ ଲକ୍ଷ୍ୟ ସମ୍ଭବ ହୋଇନଥିବା ବେଳେ ଅନ୍ୟଟିରେ ୩୭୨ ରନ୍ ସମ୍ଭବ ହେବା ଦେଶର ଘରୋଇ କ୍ରିକେଟ୍‌ ରୋମାଞ୍ଚକୁ ଅତୁଟ ରଖିଛି। ୫ ଦିନିଆ କ୍ବାର୍ଟର ଫାଇନାଲ୍ ୪ଟି ମଧ୍ୟରୁ ବିଗତ ୨ ଦିନ ଧରି ଦୁଇଟି ଶେଷ ହୋଇଯାଇଥିଲା। ଶନିବାର ଶେଷ ଦିନରେ ବିଦର୍ଭ ଗୋଟିଏ ପାଳି ଏବଂ ୧୧୫ ରନ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା। ଅନ୍ୟଟିରେ ସୌରାଷ୍ଟ୍ର ୬ ୱିକେଟ୍‌ରେ ଉତ୍ତରପ୍ରଦେଶକୁ ହରାଇ ଦେଇଥିଲା। ପୂର୍ବରୁ କେରଳ ତୃତୀୟ ଦିବସରେ ୧୧୧ ରନ୍‌ରେ ଗୁଜରାଟକୁ ହରାଇ ପ୍ରଥମ ଥର ସେମିଫାଇନାଲ୍‌ ଯୋଗ୍ୟତା ହାତେଇଥିଲା। ସେହିଭଳି ଚତୁର୍ଥ ଦିବସରେ କର୍ଣ୍ଣାଟକ ୬ ୱିକେଟ୍‌ରେ ରାଜସ୍ଥାନକୁ ହରାଇଥିଲା। ୱାୟାନାଡର କ୍ରିଷ୍ଣାଗିରି ଷ୍ଟାଡିୟମରେ ଗୁଜରାଟ ସମ୍ମୁଖରେ ମାତ୍ର ୧୮୫ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ସନ୍ଦୀପ ୱାରିୟର ଏବଂ ବସିଲ୍‌ ଥମ୍ପି କିନ୍ତୁ ମିଳିତ ଭାବେ ୯ ୱିକେଟ୍ ନେଇ ଗୁଜରାଟକୁ ୩୨ ଓଭର ଓ ୮୧ ରନ୍‌ରେ ସୀମିତ ରଖିଥିଲେ। ଏଥି ସହିତ କେରଳ ପ୍ରଥମ ଥର ପାଇଁ ସେମିଫାଇନାଲ୍‌ ଉଠିଛି। ବସିଲ ଥମ୍ପି ଉଭୟ ପାଳିରୁ ୯ ୱିକେଟ୍‌ ଦଖଲ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ୧୮୪ ରନ୍ ବିଜୟ ଲକ୍ଷ୍ୟକୁ କର୍ଣ୍ଣାଟକ ପିଛା କରି ୫୬ ରନ୍‌ରେ ୪ ୱିକେଟ୍‌ ହରାଇଥିଲା। କରୁଣ ନାୟାର (୬୧*, ୧୨୯ ବଲ୍‌) ଏବଂ ଅଧିନାୟକ ମନୀଷ ପାଣ୍ଡେ (୮୭*, ୭୫ ବଲ୍‌) କିନ୍ତୁ ବିଜୟ ସୁଯୋଗ ହାତଛଡ଼ା କରିନଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ବିନୟ କୁମାର (୮୩*, ୨ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କା୍ର ପାଇଥିଲେ।

ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ବିଦର୍ଭ ଏକ ପାଳି ଓ ୧୧୫ ରନ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା। ୱାସିମ୍ ଜାଫର (୨୦୬)ଙ୍କ ଦ୍ବିଶତକକୁ ପଛରେ ପକାଇ ଉମେଶ ଯାଦବ (୯ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଲକ୍ଷ୍ନୌର ଭାରତ ରତ୍ନ ଅଟଳବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମ୍‌ରେ କିନ୍ତୁ ରଣଜୀ ଟ୍ରଫି ଇତିହାସରେ ନୂଆ ଫର୍ଦ ଯୋଡ଼ି ହୋଇଯାଇଥିଲା। ପ୍ରଥମ ପାଳିରେ ୧୭୭ ରନ୍ ଆଗୁଆ ରହି ମଧ୍ୟ ଘରୋଇ ଉତ୍ତରପ୍ରଦେଶ ପରାଜୟ ମୁହଁ ଦେଖିଛି। ଉତ୍ତରପ୍ରଦେଶର ୩୮୫ ରନ୍ ଜବାବରେ ସୌରାଷ୍ଟ୍ର ପ୍ରଥମ ପାଳିରେ ୨୦୮ ରନ୍ କରିଥିଲା। ଦ୍ବିତୀୟ ପାଳିରେ କିନ୍ତୁ ଉତ୍ତରପ୍ରଦେଶ ମାତ୍ର ୧୯୪ ରନ୍ କରିଥିଲା। ଫଳରେ‌ ସୌରାଷ୍ଟ୍ର ସମ୍ମୁଖରେ ୩୭୨ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍ ହାର୍ଭିକ ଦେଶାଇ (୧୧୬, ୨୫୯ ବଲ୍‌)ଙ୍କ ଶତକ ପରେ ସ୍ମିତ୍ ପଟେଲ୍‌ (୭୨), ଚେତେଶ୍ବର ପୂଜାରା (୬୭*, ୧୧୦ ବଲ୍‌), ସେଲଡନ୍ ଜ୍ୟାକସନ୍‌ (୭୩*, ୧୦୯ ବଲ୍‌)‌ ସୌରାଷ୍ଟ୍ରକୁ ସ୍ମରଣୀୟ ଶନିବାର ପ୍ରଦାନ କରିଥିଲେ। ଭ୍ରମଣକାରୀ ଦଳ ୧୧୫.୧ ଓଭରରେ ୪ ୱିକେଟ୍ ହରାଇ ୩୭୨ ରନ୍ ସଂଗ୍ରହ କରି ନେଇଥିଲା। ମ୍ୟାଚ୍‌ରେ ମୋଟ ୨୦୦ ରନ୍ କରିଥିବା ହାର୍ଭିକ ଦେଶାଇ (୮୪, ୧୧୬) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ଥିଲା ୩୭୧ ରନ୍। ୨୦୦୮-୦୯ ଋତୁରେ ସର୍ଭିସେସ୍ ବିପକ୍ଷରେ ଆସାମ ଏହି ଲକ୍ଷ୍ୟ ହାସଲ କରିଥିଲା।

‘ପୂଜାରା ଦେଇଥିଲେ ଆତ୍ମବିଶ୍ବାସ’
ଲକ୍ଷ୍ନୌ: ଶନିବାର ପୂର୍ବରୁ ରଣଜୀ ଟ୍ରଫି ଇତିହାସରେ କୌଣସି ଦଳ ୩୭୨ ରନ୍ ପିଛା କରି ଜିତି ନ ଥିଲା। ଏପରିକି ସୌରାଷ୍ଟ୍ର କେବେ ଉତ୍ତରପ୍ରଦେଶକୁ ହରାଇ ନଥିଲା। ସବୁ ଓଲଟ ପାଲଟ ହୋଇଯାଇଥିଲା ଶନିବାର। ଏହି ମାଇଲଖୁଣ୍ଟ୍ ବିଜୟ ହାସଲ ପରେ ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାତକତ୍‌ କହିଛନ୍ତି, ‘ବିଜୟ ହାସଲ ନେଇ‌ ଚେତେଶ୍ବର ପୂଜାରା ହିଁ ଦଳ ଭିତରେ ଆତ୍ମବିଶ୍ବାସ ଦେଇଥିଲେ। ପ୍ରଥମ ପାଳିରେ ୧୭୭ ରନ୍ ପଛୁଆ ରହିବା ପରେ ପୂଜାରା କହିଥିଲେ, ପିଲାମାନେ ଏହା ପାଞ୍ଚ ଦିନିଆ ମ୍ୟାଚ୍ ‌ହୋଇଥିବାରୁ ଆମେ ପ୍ରତ୍ୟାବର୍ତନ କରିପାରିବା। ଆମେ ସମସ୍ତେ ଏଥିରେ ବିଶ୍ବାସ କରିଥିଲୁ। ମ୍ୟାଚ୍‌ ଆମ ହାତରୁ ଖସି ଯାଇଛି ବୋଲି କେବେ ଭାବି ନ ଥିଲୁ। ସୌରାଷ୍ଟ୍ର ଇତିହାସରେ ଏହା ସବୁଠାରୁ ବଡ଼ ବିଜୟ। ଦଳରେ ପୂଜାରାଙ୍କ ଉପସ୍ଥିତି ହିଁ ଫରକ ପକାଇଲା ବୋଲି ମଧ୍ୟ ଜୟଦେବ କହିଥିଲେ। ଧର୍ମେନ୍ଦ୍ର ସିଂହ ଜାଦେଜାଙ୍କୁ ଟ୍ରମ୍ପ୍ କାର୍ଡ କହିଥିଲେ ଜୟଦେବ। ହାର୍ଭିକ ଦେଶାଇ ଏ ଶତକକୁ ଅପେକ୍ଷା କରିଥିଲେ ବୋଲି ମଧ୍ୟ କହିଥିଲେ। ୬ ଅର୍ଧଶତକ ହାସଲ କରିବା ପରେ ସେ ଏହି ଶତକ ପାଇଥିଲେ। ସ୍ଲିପ୍‌ରେ ୧୫/୧୬ କ୍ୟାଚ୍ ବି ନେଇଛନ୍ତି, ଗୋଟିଏ ବି ଛାଡ଼ି ନାହାନ୍ତି। ତାଙ୍କ ପାଇଁ ଉଜ୍ବଳ ଭବିଷ୍ୟତ ରହିଛି‌ ବୋଲି କହିଥିଲେ ଜୟଦେବ।

ସମ୍ବନ୍ଧିତ ଖବର