ରଣଜୀ ଟ୍ରଫି:ଓଡ଼ିଶାର ଅଭ୍ୟାସ, ପହଞ୍ଚିଲେ ତାମିଲ

ଡ୍ରିମ୍ସରେ ଉଭୟ ଦଳର ଦ୍ୱିତୀୟ ମ୍ୟାଚ୍‌

କଟକ: ଗୁରୁବାରଠୁ ଟାଙ୍ଗୀର ଡ୍ରିମ୍ସ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ୍‌ ପାଇଁ କଟକରେ ପହଞ୍ଚିଲା ତାମିଲନାଡୁ କ୍ରିକେଟ ଦଳ। ମୁରଲୀ ବିଜୟ, ରବିଚନ୍ଦ୍ରନ ଅଶ୍ୱିନ, ଦୀନେଶ କାର୍ତ୍ତିକ ପ୍ରଥମ ଦଫାରେ ଆସି ନାହାନ୍ତି। ଲକ୍ଷ୍ମୀପତି ବାଲାଜୀ, ଅଭିନବ ମୁକୁନ୍ଦ, ବାବା ଇନ୍ଦ୍ରଜିତ୍‌, ବାବା ଅପରାଜିତ, ଓ୍ଵାସିଂଟନ୍‌ ସୁନ୍ଦର ଆଦିଙ୍କ ସହିତ ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ହୃଷିକେଶ କାନିତକର୍‌ ସୋମବାର ଆସିଛନ୍ତି। ଯୁବ ତାମିଲନାଡୁ ଦଳ ମଙ୍ଗଳବାର ଡ୍ରିମ୍ସରେ ଅଭ୍ୟାସ ଆରମ୍ଭ କରିବ। ତେବେ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱାଧିନ ଘରୋଇ ଦଳ ସୋମବାରଠୁ ଏହି ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଅପରାହ୍ନରେ ଓଡ଼ିଶା ଦଳ ଡ୍ରିମ୍ସରେ ନେଟ୍ସ କରିଛି। ଚଳିତ ଋତୁରେ ଓଡ଼ିଶା ପାଇଁ ଏହା ଶେଷ ଘରୋଇ ମ୍ୟାଚ ହୋଇଥିବାରୁ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏହା ପରୀକ୍ଷାର ସମୟ। ବିକାଶ ପଡ଼ିଆରେ ତ୍ରିପୁରା ବିପକ୍ଷ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ପଏଣ୍ଟ ଭାଗ ହୋଇଥିଲାବେଳେ କିଟ୍‌ରେ ମୁମ୍ବାଇଠୁ ଓଡ଼ିଶା ପରାସ୍ତ ହୋଇଥିଲା। ତେଣୁ ଘରୋଇ ଦର୍ଶକଙ୍କ ଆଗରେ ଏହା ଶେଷ ସୁଯୋଗ। ଅନ୍ୟପକ୍ଷରେ ତାମିଲନାଡୁ ପ୍ରତିଯୋଗିତାରେ ବର୍ତ୍ତମାନ ସୁଦ୍ଧା ମଧ୍ୟମ ପ୍ରଦର୍ଶନ ଦେଇଆସିଛି। ଗତ ତିନି ଅମୀମାଂସିତ ମ୍ୟାଚରୁ ତାମିଲନାଡୁ ଦୁଇଟିରେ ପାଳି ଅଗ୍ରଣୀ ପାଇ ମୋଟ ୭ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶା ମାତ୍ର ୨ପଏଣ୍ଟ ପାଇ ଟେବୁଲ୍‌ର ନିମ୍ନସ୍ଥାନକୁ ଖସିଯାଇଛି।

ରଣଜୀ ଟ୍ରଫିରେ ଏହି ଦୁଇ ଦଳଙ୍କ ମଧ୍ୟରେ ଶେଷ ଦୁଇ ମ୍ୟାଚ ଓଡ଼ିଶାରେ ଖେଳାଯାଇଥିଲା। ୨୦୧୨ ନଭେମ୍ବର ୨ ତାରିଖରେ ଡ୍ରିମ୍ସରେ ଓଡ଼ିଶା ଓ ତାମିଲନାଡୁ ମଧ୍ୟରେ ଶେଷ ରଣଜୀ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ ମାତ୍ର ୩୩.୧ ଓଭର ପର୍ଯ୍ୟନ୍ତ ଖେଳିବା ସମ୍ଭବ ହୋଇଥିଲା। ଓଡ଼ିଶା ଟସ୍‌ ଜିତି ବୋଲିଂ କରିଥିଲା। ଓଡ଼ିଶା ପାଇଁ ସନ୍ଦୀପ ମୂଳିଆ ମ୍ୟାଚରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ। ଅଭିନବ ମୁକୁନ୍ଦ ଓ ମୁରଲୀ ବିଜୟ ତାମିଲନାଡୁ ପାଇଁ ପାଳି ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୩୭ ହୋଇଥିଲାବେଳେ ଆଲୋକ ମଙ୍ଗରାଜ ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ମୁରଲୀ ବିଜୟ ମାତ୍ର ୧୫ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୁବ୍ରମଣ୍ୟମ ବଦ୍ରିନାଥଙ୍କୁ ବସନ୍ତ ମହାନ୍ତି ବୋଲ୍ଡ କରି ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ। ପ୍ରଥମ ଦିନରେ ମାତ୍ର ୩୧ ଓଭର ଖେଳ ସମ୍ଭବ ହୋଇଥିଲାବେଳେ ତାମିଲନାଡୁ ୨ ଓ୍ଵିକେଟ ବିନିମୟରେ ୬୬ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ବର୍ଷା ଯୋଗୁଁ ଦ୍ୱିତୀୟ ଦିନର ଖେଳ ହୋଇପାରିନଥିଲା। ତୃତୀୟ ଦିନରେ ମାତ୍ର ୧୩ଟି ବଲ୍‌ ପଡ଼ିପାରିଥିଲା। ଏହି ଓଭର ମଧ୍ୟରେ ଅଭିନବ (୨୧) ଆଲୋକ ମଙ୍ଗରାଜଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବର୍ଷା ଯୋଗୁଁ ଆଉ ଖେଳ ସମ୍ଭବ ନହେବାରୁ ମ୍ୟାଚ ୬୭/୩ରେ ବନ୍ଦ ହେବା ସହ ଉଭୟ ଦଳଙ୍କ ମଧ୍ୟରେ ପଏଣ୍ଟ ଭାଗ କରାଯାଇଥିଲା।

୨୦୦୯ ମସିହା ଡିସେମ୍ବର ୧ ତାରିଖରେ ଉଭୟ ଦଳଙ୍କ ମଧ୍ୟରେ ଆଉ ଏକ ମ୍ୟାଚ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିଲା। ତାମିଲନାଡୁ ଟସ୍‌ ଜିତି ବ୍ୟାଟିଂ ଆରମ୍ଭ କରିଥିଲାବେଳେ ପ୍ରଥମ ପାଳିରେ ୩୬୧ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶ୍ରୀକାନ୍ତ ଅନିରୁଦ୍ଧ ୫୩, ଅରୁଣ କାର୍ତ୍ତିକ ୧୧୮, ରାଜାଗୋପାଳ ସତୀଶ ୪୩, ଚନ୍ଦ୍ରଶେଖର ଗଣପତି ୭୨ ରନ୍‌ କରିଥିଲେ। ଏହି ପାଳିରେ ଧୀରାଜ ସିଂହ ୪, ଦେବାଶିଷ ମହାନ୍ତି ୨, ଆଲୋକ ସାହୁ ୨, ପ୍ରୀତମଜିତ ଦାସ ଓ ପ୍ରଭଞ୍ଜନ ମଲ୍ଲିକ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ଓଡ଼ିଶା ପାଳି ଆରମ୍ଭ କରିଥିଲାବେଳେ ପ୍ରଥମ ବଲ୍‌ରେ ବିକାଶ ପତି ଆଉଟ ହୋଇ ଦଳକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ତେବେ ଅଧିନାୟକ ଶିବସୁନ୍ଦର ଦାସ ଓ ନିରଂଜନ ବେହେରା ପ୍ରଥମ ଓ୍ଵିକେଟରେ ୧୯୮ର ମଜବୁତ୍‌ ଭାଗୀଦାରି କରିଥିଲେ। ନିରଂଜନଙ୍କୁ ୯୫ରନ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ। ଶିବସୁନ୍ଦରଙ୍କ ସହ ରାକେଶ ମହାନ୍ତି ଦ୍ୱିତୀୟ ଓ୍ଵିକେଟରେ ମଧ୍ୟ କିଛି ସମୟ ପାଇଁ ପାଳିକୁ ଆଗକୁ ବଢାଇଥିଲେ ବି ୨୩ ରନ୍‌ କରିଥିଲାବେଳେ ଆଉଟ ହୋଇଯାଇଥିଲେ। ଶିବସୁନ୍ଦର ଶତକ (୧୧୯) ଅର୍ଜନ କରିଥିଲେ ବି ଅନ୍ୟପଟରୁ ତାଙ୍କୁ ସହଯୋଗ ନମିିଳିବାରୁ ଓଡ଼ିଶା ୩୨୭ରନ୍‌ରେ ସୀମିତ ରହିଥିଲା। ଫଳରେ ପ୍ରଥମ ପାଳିରେ ଓଡ଼ିଶା ୩୪ ରନ୍‌ ପଛରେ ରହିଯାଇଥିଲା। ଦ୍ୱିତୀୟ ପାଳିରେ ତାମିଲନାଡୁ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ବ୍ୟାଟିଂ ଜାରି ରଖିଥିଲା। ଶ୍ରୀକାନ୍ତ ଅନିରୁଦ୍ଧଙ୍କ ୮୧, ଦୀନେଶ କାର୍ତ୍ତିକଙ୍କ ୧୫୨ରନ୍‌ ସହଯୋଗରେ ଭ୍ରମଣକାରୀ ଦଳ ୮ଓ୍ଵିକେଟ ବିନିମୟରେ ୩୭୫ରନ୍‌ ସଂଗ୍ରହ କରିନେଇଥିଲା।

ସମ୍ବନ୍ଧିତ ଖବର