ରଣଜୀ ଟ୍ରଫି : ଧୂପରଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଓଡ଼ିଶାର ୨୯୩; ମହାରାଷ୍ଟ୍ର ୨୧୯/୨

କଟକ : ମଙ୍ଗଳବାର ଅର୍ଧଶତକ କରି ଓଡ଼ିଶାକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ରାଜେଶ ଧୂପର ତାଙ୍କର ଏହି ପାଳିକୁ ଶତକରେ ପରିଣତ କରିଛନ୍ତି। ମହାରାଷ୍ଟ୍ର ବିପକ୍ଷରେ ପୁଣେର ଗହୁଞ୍ଜେ ଷ୍ଟାଡିୟମରେ ଚାଲିଥିବା ରଣଜୀ ମୁକାବିଲାର ଦ୍ବିତୀୟ ଦିନରେ ଧୂପରଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ନିମ୍ନକ୍ରମ ବିପର୍ଯ୍ୟୟ ଯୋଗୁ ଓଡ଼ିଶା ୨୯୩ ରନ୍‌ରେ ସୀମିତ ରହିଗଲା। ଏହି ପାଳିରେ ଧୂପର ୧୧୦ ରନ୍‌ରେ ଅପରାଜିତ ରହିଥିଲେ। ଏହା ତାଙ୍କର ପ୍ରଥମ ଶତକ ଥିଲା। ଜବାବ‌ରେ ନ୍ୟୁଜିଲାଣ୍ଡ୍‌ ଗ୍ରସ୍ତରୁ ଫେରିଥିବା ଭାରତ ‘ଏ’ ଦଳର ସଦସ୍ୟ ଋତୁରାଜ ଗାଏକ୍ବାଡ ଓ ଅଙ୍କିତ ବାୱେଁଙ୍କ ଶତକୀୟ ଭାଗୀଦାରି ବଳରେ ଦ୍ବିତୀୟ ଦିବସ ଷ୍ଟମ୍ସ ଅପସାରଣ ବେଳକୁ ମହାରାଷ୍ଟ୍ର ୨ ଵିକେଟ୍‌ ବିନିମୟରେ ୨୧୯ ରନ୍‌ କରିନେଇଛି। ଉଭୟ ଋତୁରାଜ ଓ ବାୱେଁ ତୃତୀୟ ଵିକେଟରେ ୧୮୧ ରନ୍‌ ଯୋଡ଼ିଛନ୍ତି। ଯୁବ ଦ୍ରୁତ ବୋଲର ରାଜେଶ ମହାନ୍ତି ପୁଣି ଥରେ ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ପ୍ରାରମ୍ଭିକ ଖେଳାଳି ସ୍ବପ୍ନିଲ ଗୁଗାଲେ ୭ ରନ୍‌ କରିଥିଲା ବେଳେ ରାଜେଶଙ୍କ ଦ୍ବାରା ଆଉଟ ହୋଇଥିଲେ। ପରେ ଜୟ ପାଣ୍ଡେ (୧୭)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ କରି ଦଳକୁ ଦ୍ବିତୀୟ ସଫଳତା ଆଣିଦେଇଥିଲେ। ଦ୍ବିତୀୟ ଦିନର ଖେଳ ଶେଷ ହେବା ବେଳକୁ ଋତୁରାଜ ୧୧୦* ଓ ଅଙ୍କିତ ୮୦* ରନ୍‌ରେ ଅପରାଜିତ ଅଛନ୍ତି। ଏବେ ବି ପାଳି ଅଗ୍ରଣୀ ପାଇବାକୁ ହାତରେ ୮ ୱିକେଟ୍‌ ରଖିଥିବା ଘରୋଇ ଦଳକୁ ୭୪ ରନ୍‌ର ଆବଶ୍ୟକତା ରହିଛି।

ପ୍ରଥମ ଦିବସର ଅସମାପ୍ତ ପ୍ରଥମ ପାଳି ସ୍କୋର୍‌ ୨୨୦/୫ରୁ ଖେଳିଥିବା ଓଡ଼ିଶା ଦ୍ବିତୀୟ ଦିନର ପ୍ରଥମ ଓଭରରେ ହିଁ ଝଟ୍‌କା ପାଇଥିଲା। ଚଳିତ ଋତୁରେ ଦ୍ବିତୀୟ ଶତକ ଆଡ଼କୁ ଅଗ୍ରସର ହେଉଥିବା ଶାନ୍ତନୁ ଶେଷରେ ଆଶାୟ ପାଲକରଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଦେବବ୍ରତ ପ୍ରଧାନ ଆସିଥିଲେ ବି ଖାତା ଖୋଲିବା ଆଗରୁ ନିଜ ଵିକେଟ ହରାଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ଦ୍ରୁତ ଖେଳିବାକୁ ଯାଇ ୧୩ ବଲ୍‌ରୁ ୫ ଚୌକା ଓ ୧ ଛକା ସହାୟତାରେ ୨୮ ରନ୍‌ କରିଥିଲା ବେଳେ ଆଉଟ୍‌ ହୋଇଥିଲେ। ରାଜେଶ ମହାନ୍ତି ମଧ୍ୟ ଖାତା ଖୋଲିପାରିନଥିଲେ। ତେବେ ପ୍ରଥମ ଦିନର ଅପରାଜିତ ରାଜେଶ ଧୂପର ରକ୍ଷଣାତ୍ମକ ଭାବେ ‌ଖେଳି ପ୍ରଥମ ଶତକ ପୂରଣ କରିଥିଲେ। ଓଡ଼ିଶା ୧୦୧.୧ ଓଭରରେ ୨୯୩ ରନ୍‌ କରିଥିଲା ବେଳେ ସମସ୍ତ ଵିକେଟ୍‌ ହରାଇଥିଲା। ଧୂପର ୧୫୨ ବଲ୍‌ରୁ ୧୧୦* (୬ ଚୌକା, ୭ ଛକା) ରନ୍‌ କରି ଅପରାଜିତ ରହିଥିଲେ। ମହାରାଷ୍ଟ୍ରର ଆଶାୟ ପାଲକର ୪, ମୁକେଶ ଚୌଧୁରୀ ୨, ସତ୍ୟଜିତ ବଚାଭ ୨ ଵିକେଟ୍‌ ନେଇଥିଲେ।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୦୧.୧ ଓଭରରେ ୨୯୩ (ରାଜେଶ ଧୂପର ୧୧୦*, ଶାନ୍ତନୁ ମିଶ୍ର ୮୪, ଅନୁରାଗ ଷଡ଼ଙ୍ଗୀ ୪୧, ସୂର୍ଯ୍ୟକାନ୍ତ ପ୍ରଧାନ ୨୮, ଆଶାୟ ପାଲକର ୪/୮୧, ମୁକେଶ ଚୌଧୁରୀ ୨/୭୯, ସତ୍ୟଜିତ ବଚାଭ ୨/୭୦)। ମହାରାଷ୍ଟ୍ର ପ୍ରଥମ ପାଳି ୭୩ ଓଭରରେ ୨୧୯/୨ (ଋତୁରାଜ ଗାଏକ୍ବାଡ ୧୧୦*, ଅଙ୍କିତ ବାୱେଁ ୮୦*, ରାଜେଶ ମହାନ୍ତି ୧/୧୫, ସୂର୍ଯ୍ୟକାନ୍ତ ପ୍ରଧାନ ୧/୪୨)।

ସମ୍ବନ୍ଧିତ ଖବର