ରଣଜୀ ଟ୍ରଫି: ଲିଗ୍‌ ପର୍ଯ୍ୟାୟରେ ଦେବାଶିଷ, ସୂର୍ଯ୍ୟ ଶ୍ରେଷ୍ଠ

କଟକ: ରଣଜୀ ଟ୍ରଫି ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା (୩୮) ଏଲିଟ୍‌ ଗ୍ରୁପ୍‌ ସି’ର ଦ୍ବିତୀୟ ସ୍ଥାନରେ ରହିଛି। ଜମ୍ମୁ କାଶ୍ମୀର ଶନିବାର ହରିଆଣାଠୁ ହାରିଯିବା ସତ୍ତ୍ବେ ୩୯ ପଏଣ୍ଟରେ ଗ୍ରୁପ୍‌ ଶୀର୍ଷ ସ୍ଥାନ ବଜାୟ ରଖିଛି। ଓଡ଼ିଶା ଖେଳିଥିବା ୯ ମ୍ୟାଚ୍‌ ମଧ୍ୟରୁ ମାତ୍ର ୩ ଜଣ ୪୦୦ରୁ ଅଧିକ ରନ୍‌ କରିଥିଲେ। ସେହିପରି ମାତ୍ର ୩ ଜଣ ୩୦ରୁ ଅଧିକ ଵିକେଟ୍‌ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ବ୍ୟାଟି˚ରେ ଦେବାଶିଷ ସାମନ୍ତରାୟ ଓ ବୋଲି˚ରେ ସୂର୍ଯ୍ୟକାନ୍ତ ପ୍ରଧାନ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ଦେବାଶିଷ ୭ ମ୍ୟାଚ୍‌ ଖେଳି ୨ ଶତକ ଓ ଗୋଟିଏ ଅର୍ଧଶତକ ସହାୟତାରେ ୫୧.୮୮ ହାରରେ ୪୬୭ ରନ୍‌ କରିଛନ୍ତି। ସର୍ଭିସେସ୍‌ ବିପକ୍ଷରେ ୧୯୫ ରନ୍‌ର ପାଳି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଦଳପାଇଁ ସର୍ବାଧିକ ଚୌକା ମାରିବାରେ ମଧ୍ୟ ସେ ଆଗରେ ଅଛନ୍ତି। ତାଙ୍କ ବ୍ୟାଟି˚ ମଧ୍ୟରେ ମୋଟ ୬୭ ଚୌକା ଓ ୧ ଛକା ମାରିଥିଲେ। ତାଙ୍କ ପଛକୁ ଶାନ୍ତନୁ ମିଶ୍ର ୮ ମ୍ୟାଚ୍‌ରୁ ୨ ଅର୍ଧଶତକ, ୧ ଶତକ ସହାୟତାରେ ୪୬୪ ରନ୍‌ କରିଛନ୍ତି। ବିପ୍ଲବ ସାମନ୍ତରାୟ ୪୦୮, ଅନୁରାଗ ଷଡ଼ଙ୍ଗୀ ୩୪୭, ଗୋବିନ୍ଦ ପୋଦ୍ଦାର ୩୨୪, ଶୁଭ୍ରା˚ଶୁ ସେନାପତି ୨୬୭ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ସୂର୍ଯ୍ୟକାନ୍ତ ପ୍ରଧାନ ଏକମାତ୍ର ଖେଳାଳି ଭାବେ ୧୦୦ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ ରଖିଛନ୍ତି। ୯ ମ୍ୟାଚ୍‌ରୁ ୧ ଅର୍ଧଶତକ (୬୪ ବନାମ ସର୍ଭିସେସ୍‌) ସହ ୨୪୪ ରନ୍‌ କରିଥିଲେ। ଏପରିକି ସୂର୍ଯ୍ୟକାନ୍ତଙ୍କ ନାମରେ ସର୍ବାଧିକ ଛକା (୧୫) ମଧ୍ୟ ରହିଛି। ବୋଲରମାନଙ୍କ ମଧ୍ୟରୁ ସୂର୍ଯ୍ୟକାନ୍ତ ପ୍ରଧାନ ୯ ମ୍ୟାଚ୍‌ରୁ ୨୪.୩୪ ହାରରେ ସର୍ବାଧିକ ୩୫ ଵିକେଟ୍‌ ନେଇଛନ୍ତି। ସେଥିମଧ୍ୟରେ ୩ ଥର ୫ ଵିକେଟ ଏବଂ ଗୋଟିଏ ମ୍ୟାଚ୍‌ରେ ୧୦ ଵିକେଟ୍‌ ସଫଳତା ହାସଲ କରିଥିଲେ। ଉତ୍ତରାଖଣ୍ତ (୫/୬୩), ହରିଆଣା (୬/୩୬, ୫/୮୬) ବିପକ୍ଷରେ ସେ ଏହି ସଫଳତା ହାସଲ କରିଥିଲେ। ତାଙ୍କ ପଛକୁ ରାଜେଶ ମହାନ୍ତି ୮ ମ୍ୟାଚ୍‌ରୁ ମୋଟ ୩୨ ଵିକେଟ୍‌ ହାସଲ କରିଥିଲେ। ସେଥିମଧ୍ୟରେ ଛତିଶଗଡ଼ (୬/୪୭, ୪/୧୯) ବିପକ୍ଷରେ ସେ ୫ ଵିକେଟ୍‌ ଓ ମ୍ୟାଚ୍‌ରେ ୧୦ ଵିକେଟ୍‌ ସଫଳତା ପାଇଥିଲେ। ବରିଷ୍ଠ ବୋଲର ବସନ୍ତ ମହାନ୍ତି ୮ ମ୍ୟାଚ୍‌ ମଧ୍ୟରୁ ସର୍ଭିସେସ୍‌ (୬/୬୯) ଓ ଉତ୍ତରାଖଣ୍ତ (୬/୧୭) ବିପକ୍ଷରେ ୫ ଵିକେଟ୍‌ ସଫଳତା ପାଇଥିଲା ବେଳେ ମୋଟ ୩୦ ଵିକେଟ୍‌ ଅକ୍ତିଆର କରିଥିଲେ। ଅନ୍ୟତମ ଦ୍ରୁତ ବୋଲର ଦେବବ୍ରତ ପ୍ରଧାନ ୬ ମ୍ୟାଚ୍‌ରୁ ୨୨ ଵିକେଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର