କଟକ : ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୪୦୦ ଵିକେଟ୍ର ମାଇଲଖୁଣ୍ଟ ଛୁଇଁବା ଅପେକ୍ଷାରେ ରହିଛନ୍ତି ବସନ୍ତ ମହାନ୍ତି। ଏହି ସଫଳତା ଛୁଇଁବା ପାଇଁ ତାଙ୍କୁ ଆଉ ୧୨ ଵିକେଟ୍ର ଆବଶ୍ୟକତା ରହିଛି। ୧୭ ତାରିଖରୁ ଅହମଦାବାଦରେ ଆରମ୍ଭ ହେଉଥିବା ରଣଜୀ ଟ୍ରଫିର ଏଲିଟ୍ ଗ୍ରୁପ୍ ଡି’ରେ ଓଡ଼ିଶା ୩ଟି ଲିଗ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ଗୁଡ଼ିକ ମଧ୍ୟରେ ବସନ୍ତ କୀର୍ତ୍ତିମାନ ହାସଲ କରିବା ଅନୁମାନ କରାଯାଉଛି। ବର୍ତ୍ତମାନସୁଦ୍ଧା ବସନ୍ତ ୧୦୦ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୩୮୮ ଵିକେଟ୍ ନିଜ ନାମରେ ରଖିଛନ୍ତି। ତାଙ୍କ ପୂର୍ବରୁ ଏହି ମାଇଲଖୁଣ୍ଟକୁ ଆନ୍ତର୍ଜାତିକ ଖେଳାଳି ତଥା ବର୍ତ୍ତମାନର ଜାତୀୟ ଚୟନକର୍ତ୍ତା ଦେବାଶିଷ ମହାନ୍ତି ହାସଲ କରିଥିଲେ। ଦେବାଶିଷ ୧୧୭ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୪୧୭ ଵିକେଟ୍ ହାସଲ କରିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶା ଦଳର ଯୁବ ଅଧିନାୟକ ଶୁଭ୍ରା˚ଶୁ ସେନାପତିଙ୍କ ପାଇଁ ଏଥର ରଣଜୀ ମଧ୍ୟ ସ୍ମରଣୀୟ ହୋଇପାରେ। କାରଣ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୨୦୦୦ ରନ୍ ପୂରଣ କରିବାକୁ ତାଙ୍କୁ ଆଉ ୧୪୬ ରନ୍ର ଆବଶ୍ୟକତା ରହିଛି। ୩୪ଟି ମ୍ୟାଚ୍ ଖେଳିସାରିଥିବା ଶୁଭ୍ରା˚ଶୁ ୩୭.୮୩ ହାରରେ ୧୮୫୪ ରନ୍ ସ˚ଗ୍ରହ କରିଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ସନ୍ଦୀପ ପଟ୍ଟନାୟକ, ଅଭିଷେକ ରାଉତ ଓ ଦେବାଶିଷ ସାମନ୍ତରାୟ ୧୦୦୦ ପ୍ରଥମ ଶ୍ରେଣୀ ରନ୍ ଅତିକ୍ରମ କରିବା ସୁଯୋଗ ରହିଛି। ସନ୍ଦୀପ ୧୮ ମ୍ୟାଚ୍ରୁ ୭୪୬ ରନ୍, ଅଭିଷେକ ୨୦ ମ୍ୟାଚ୍ରୁ ୭୭୧ ରନ୍ ଓ ଦେବାଶିଷ ୧୨ ମ୍ୟାଚ୍ରୁ ୮୬୧ ରନ୍ କରି ୪ ଅଙ୍କ ସ୍କୋର୍ର ନିକଟତର ହୋଇଛନ୍ତି।
ବସନ୍ତ କୀର୍ତ୍ତିମାନ କରିବେ, କିନ୍ତୁ କଷ୍ଟସାଧ୍ୟ ହେବ: ସୂର୍ଯ୍ୟକାନ୍ତ
ବସନ୍ତ ମହାନ୍ତି କେଉଁଭଳି ବୋଲର ତା’ର ପ୍ରମାଣ ଦେବାର ଆବଶ୍ୟକତା ନାହିଁ। କାରଣ ଦୀର୍ଘ ବର୍ଷ ଧରି ସେ ଓଡ଼ିଶା କ୍ରିକେଟ୍କୁ ଯେଉଁ ସେବା ଯୋଗାଇ ଦେଇଛନ୍ତି, ତାହାକୁ ଭାରତର ପ୍ରତ୍ୟେକ ଦଳ ଜାଣିଛନ୍ତି। ତାଙ୍କର ଅଭିଜ୍ଞତା ଓ ବଲ୍ ସହ ଖେଳିବାର କୌଶଳ ହିଁ ତାଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିପାରିଛି। ତେଣୁ ୪୦୦ ପ୍ରଥମ ଶ୍ରେଣୀ ଵିକେଟ୍ କୀତ୍ତିମାନକୁ ସେ ନିଶ୍ଚିତ ଭାବେ ଅତିକ୍ରମ କରିପାରିବେ ବୋଲି ଓଡ଼ିଶାର ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ମତ ରଖିଛନ୍ତି।
ସୂର୍ଯ୍ୟକାନ୍ତ ଚଳିତ ବର୍ଷ ଆହତ ଜନିତ ସମସ୍ୟା ପାଇଁ ଅନ୍ତଃଜିଲ୍ଲା ପ୍ରତିଯୋଗିତା କିମ୍ବା ଓଡ଼ିଶାର ଅଭ୍ୟାସ ଶିବିରରେ ଯୋଗ ଦେଇପାରିନଥିଲେ। ତାଙ୍କ ହାତରେ ଅସ୍ତ୍ରୋପଚାର ହୋଇଥିଲା। ତେଣୁ ଚଳିତ ଋତୁରେ ସେ ଓଡ଼ିଶା ଦଳର ସଦସ୍ୟ ହୋଇପାରିନାହାନ୍ତି। କିନ୍ତୁ ତାଙ୍କର ସାଥୀ ବୋଲର ବସନ୍ତ ମହାନ୍ତି ଏଥର ୪୦୦ ଵିକେଟ୍ ପୂରଣ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ଏହି କୀର୍ତ୍ତିମାନ ଛୁଇଁବା ପାଇଁ ବସନ୍ତଙ୍କୁ ଟିକେ କଷ୍ଟ କରିବାକୁ ପଡ଼ିପାରେ ବୋଲି ସୂର୍ଯ୍ୟକାନ୍ତ ଅନୁଭବ କରିଛନ୍ତି। କାରଣ ଓଡ଼ିଶା ସମ୍ମୁଖରେ ଗୋଆ ବ୍ୟତୀତ ଦୁଇ ଶକ୍ତିଶାଳୀ ଦଳ ମୁମ୍ବାଇ ଓ ସୌରାଷ୍ଟ୍ର ରହିବେ। ପିଚ୍ କେଉଁଭଳି ମିଳୁଛି, ତାହା ମଧ୍ୟ ଦେଖିବାକୁ ପଡ଼ିବ। ପୂର୍ବରୁ ଅନେକ ଥର ବସନ୍ତ ମ୍ୟାଚ୍ ବିଜୟୀ ସାବ୍ୟସ୍ତ ହୋଇଥିବାରୁ ଏଥର ବି ସେ ଓଡ଼ିଶାକୁ ନକ୍ଆଉଟ ପର୍ଯ୍ୟାୟକୁ ନେଇପାରିବେ ବୋଲି ସୂର୍ଯ୍ୟ ଆଶାବ୍ୟକ୍ତ କରିଛନ୍ତି। ବସନ୍ତଙ୍କ ନେତୃତ୍ବରେ ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ସଅଳ ସଫଳତା ଦେଇପାରିବେ। କିନ୍ତୁ ନୂଆ ବୋଲର ଆଶିଷ ରାଏ, ପ୍ରଶାନ୍ତ ରଣାଙ୍କ ଭଳି ଖେଳାଳିଙ୍କୁ ତିନିଟି ମ୍ୟାଚ୍ରେ ସୁଯୋଗ ମିଳିବା ସମ୍ଭାବନା ବହୁତ କମ୍। ତଥାପି ପ୍ରଶିକ୍ଷକ ଓ ଅଧିନାୟକ ଏହା ଉପରେ ନିଷ୍ପତ୍ତି ନେବେ। ଵାସିମ ଜାଫର ଜଣେ ବଡ଼ ଖେଳାଳି ହୋଇଥିବାରୁ ମ୍ୟାଚ୍ ରଣନୀତି ପ୍ରସ୍ତୁତ କରିବାରେ ଦଳକୁ ସହଜ ହେବ। ଦଳରେ ଭଲ ବ୍ୟାଟ୍ସମ୍ୟାନ ଅଛନ୍ତି। ଶୁଭ୍ରା˚ଶୁଙ୍କ ନେତୃତ୍ବରେ ଅନୁରାଗ, ସନ୍ଦୀପ, ଧୂପର, ସୁଜିତ, ଅଭିଷେକ, ଅ˚ଶୁମାନ ସମସ୍ତେ ଆବଶ୍ୟକସ୍ଥଳେ ବଡ଼ ଭାଗୀଦାରି କରିପାରିବେ ବୋଲି ସୂର୍ଯ୍ୟ କହିଛନ୍ତି।