ଭୁବନେଶ୍ବର: କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା-ନାଗାଲାଣ୍ଡ୍ ରଣଜୀ ଟ୍ରଫି ମ୍ୟାଚ୍‌ର ଦ୍ବିତୀୟ ଦିନରେ ମୋଟ ୧୫ ୱିକେଟ୍‌ର ପତନ କାରଣରୁ ରୋମାଞ୍ଚ ବଢ଼ିଯାଇଛି। ଚଳିତ ଋତୁରେ ଓଡ଼ିଶା ବ୍ୟାଟର୍‌ ଏକ ଶତକ ପାଇବା ଏବଂ ପ୍ରଥମ ପାଳିରେ ଅଗ୍ରଣୀ ନେବା ଭଳି ଦୁଇଟି ‘ପ୍ରଥମ’ ଅର୍ଜନ କରିଛନ୍ତି। ଦ୍ବିତୀୟ ଥର ପାଇଁ ପ୍ରତିଦ୍ବନ୍ଦ୍ବୀଙ୍କୁ ଅଲ୍‌ଆଉଟ୍‌ ବି କରିଛନ୍ତି ଓଡ଼ିଶା ବୋଲର୍। ସୋମବାର ଦ୍ବିତୀୟ ଦିବସରେ ଓଡ଼ିଶା ପ୍ରଥମ ପାଳି ୨୭୫ ରନ୍‌ରେ ଶେଷ ହୋଇଯାଇଥିଲା। ଯୁବ ବ୍ୟାଟର୍‌ ଅନିଲ ପରିଡ଼ା ନିଜ ଖେଳ ଜୀବନର ତୃତୀୟ ପାଳିରେ ଶତକ (୧୧୮*) ଅର୍ଜନ କରି ଚମତ୍କୃତ କରି ଦେଇଛନ୍ତି। ଏହା ପରେ ଓଡ଼ିଶା ବୋଲର୍‌ମାନେ ମିଳିତ ଭାବେ ନାଗାଲାଣ୍ଡ୍‌ ପ୍ରଥମ ପାଳିକୁ ୧୬୧ ରନ୍‌ରେ ଶେଷ କରି ଦେଇଥିଲେ ମଧ୍ୟ ଦ୍ବିତୀୟ ଦିନ ଷ୍ଟମ୍ପ୍ସ ବେଳକୁ ନିଜ ଦ୍ବିତୀୟ ପାଳିରେ ଘରୋଇ ଦଳ ୧୬ ରନ୍‌ରେ ୨ ୱିକେଟ୍ ହରାଇ ପୁଣି ପ୍ରାରମ୍ଭିକ ସଙ୍କଟରେ ପଡ଼ିଛି। ତଥାପି ଓଡ଼ିଶା ପ୍ରଥମ ପାଳିର ୧୧୪ ରନ୍‌ ଅଗ୍ରଣୀକୁ ନେଇ ମୋଟ ଉପରେ ୧୩୦ ରନ୍ ଆଗୁଆ ହୋଇଥିବାରୁ ଭଲ ସ୍ଥିତିରେ ରହିଛି।

Advertisment

ଚଳିତ ଋତୁରେ ପ୍ରଥମ ଶତକ, ପ୍ରଥମ ଅଗ୍ରଣୀ
ଗୋଟିଏ ଓଭରରେ ରାଜେଶଙ୍କୁ ୩ ୱିକେଟ୍‌, ହ୍ୟାଟ୍ରିକ୍‌ରୁ ବଞ୍ଚିତ
ପ୍ରଥମ ଶତକ ସହ ଅନିଲଙ୍କ ହାରାହାରି ୨୨୫

ରବିବାର ଓଡ଼ିଶାର ୩୪/୪ ସ୍ଥିତିରୁ ଦଳକୁ ବାହାର କରିଥିବା ଅନିଲ ପରିଡ଼ା (୧୧୮*, ୨୯୭ ବଲ୍‌, ୯ ଚୌକା, ୧ ଛକା) ତାଙ୍କ ଖେଳ ଜୀବନର ପ୍ରଥମ ଶତକ ଅର୍ଜନ କରିଥିଲେ। ଏଥି ସହିତ ପ୍ରଥମ ତିନି ପାଳିରୁ ୨୨୫ ହାରାହାରିରେ ପହଞ୍ଚି ବିଳମ୍ବିତ ସୁଯୋଗ ପାଇଁ ଦଳୀୟ ପରିଚାଳକଙ୍କୁ ଶକ୍ତ ଚାପୁଡ଼ା ସଦୃଶ ହୋଇଛି। ବିପ୍ଳବ ସାମନ୍ତରାୟ (୯୨)ଙ୍କ ସହ ମିଶି ସେ ପଞ୍ଚମ ୱିକେଟ୍‌ରେ ଯୋଡ଼ିଥିବା ୧୭୯ ରନ୍ ଭାଗୀଦାର ଏବେ ନିର୍ଣ୍ଣାାୟକ ହେବାକୁ ଯାଉଛି। ସୋମବାର ସକାଳେ ଓଡ଼ିଶା ୨୪୩/୭ରୁ ଖେଳିବା ପରେ ୯୮* ରନ୍‌ରେ ଥିବା ଅନିଲ ସିଙ୍ଗଲ୍‌ ରନ୍‌ ଉପରେ ଅଧିକ ନିର୍ଭର କରିଥ‌ିଲେ। ଏପରିକି ଅନ୍ୟ ପଟେ ୱିକେଟ୍ ପତନ ସତ୍ତ୍ବେ ସେ ନିଜ ଶତକ ପୂର୍ଣ୍ଣ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଓଡ଼ିଶା ସୋମବାର ମାତ୍ର ୩୨ ରନ୍‌ ଯୋଡ଼ି ଶେଷ ୩ ୱିକେଟ୍ ହରାଇଥିଲା। ଏହା ମଧ୍ୟରୁ ୨୦ ରନ୍‌ ଥିଲା ଅନିଲଙ୍କ ବ୍ୟାଟ୍‌ରୁ।
ନାଗାଲାଣ୍ଡ୍‌ ପ୍ରଥମ ପାଳି ଭଲରେ ଆରମ୍ଭ କରିଥିଲା। ନାଗାଲାଣ୍ଡ୍‌ର ପେସାଦାର ଖେଳାଳି କର୍ଣ୍ଣାଟକର ନିଶ୍ଚଲ ଡିଗା (୧୨୨ ବଲ୍‌ରୁ ୭୨ ରନ୍) ୪୪ତମ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ତେବେ ପ୍ରଥମ ୱିକେଟ୍ ପାଇଁ ୫୨ ରନ୍ କରିଥିବା ନାଗାଲାଣ୍ଡ୍‌କୁ ସମ୍ବିତ ବରାଳ ପ୍ରଥମ ଝଟ୍‌କା ଦେବା ପରେ ଭ୍ରମଣକାରୀ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ‌ଗୋବିନ୍ଦ ପୋଦ୍ଦାର ଲଗାତାର ୨ ୱିକେଟ୍ ଅକ୍ତିଆର କରିବା ପରେ ରାଜେଶ ମହାନ୍ତି ଗୋଟିଏ ଓଭରରେ ୩ ୱିକେଟ୍ ନେଇ ନାଗାଲାଣ୍ଡ୍‌ର ଫଣା କାଟି ଦେଇଥିଲେ। ୪୪ତମ ଓଭରର ପ୍ରଥମ ବଲ୍‌ରେ ନିଶ୍ଚଲ, ତୃତୀୟ ବଲ୍‌ରେ ଚେତନ ବିଷ୍ଟ୍‌ ଓ ଚତୁର୍ଥ ବଲ୍‌ରେ ତୋହୁକା ଝିମୋଙ୍କୁ ବୋଲ୍ଡ କରିଦେବା ସବୁଠାରୁ ରୋମାଞ୍ଚକ ମୁହୂର୍ତ ଆଣି ଦେଇଥିଲା। ହ୍ୟାଟ୍ରିକ୍‌ରୁ ବଞ୍ଚିତ ହୋଇଥିଲେ ଏହି ଅଭିଜ୍ଞ ଦ୍ରୁତ ବୋଲର। ଶେଷ ୩ ୱିକେଟ୍‌କୁ  ଗୋବିନ୍ଦ ପୋଦ୍ଦାର ଓ ସମ୍ବିତ ବରାଳ ତୁରନ୍ତ ଦଖଲ କରି ନାଗାଲାଣ୍ଡ୍‌ ପାଳିକୁ ଶେଷ କରିଥିଲେ। ନିମ୍ନକ୍ରମରେ ରୋନିତ ମୋରେ ଉପଯୋଗୀ ୨୫ ରନ୍‌ର ଅବଦାନ ରଖିବାରୁ ଦଳ ୧୫୦ ଅତିକ୍ରମ କରିଥିଲା।

ପ୍ରଥମ ପାଳି ଭଳି ଓଡ଼ିଶା ଦ୍ବିତୀୟ ପାଳି ମଧ୍ୟ ଭଲରେ ଆରମ୍ଭ ହୋଇନାହିଁ। ରାଜ୍ୟ ବାହାର ଖେଳାଳି ଗୌରବ ଚୌଧୁରୀ (୭)ଙ୍କୁ ମଧ୍ୟମଗତି ବୋଲର ବିନୋ ଝିମୋମି ବୋଲ୍ଡ କରି ଦେଇଥିଲେ। ନାଇଟ୍‌ୱାଚ୍‌ମ୍ୟାନ୍‌ ତଥା ପଦାର୍ପଣକାରୀ ୱିକେଟ୍‌ରକ୍ଷକ ସାୱନ ପହରିୟା (୦)ଙ୍କୁ ବାମହାତୀ ସ୍ପିନର୍ ଇମଲିୱତି ଲେମତୁର ଏଲ୍‌ବିଡବ୍‌ଲ୍ୟୁ କରିଦେବା ସହ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ହୋଇଛି। ଯୁବ ଓପନର୍ ସ୍ବସ୍ତିକ ସାମଲ (୯*, ୧୪ ବଲ୍‌) ବ୍ୟାଟିଂ କରୁଛନ୍ତି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି-୧୦୪.୪ ଓଭରରେ ୨୭୫/୧୦ (ଅନିଲ ପରିଡ଼ା-୧୧୮*, ବିପ୍ଳବ ସାମନ୍ତରାୟ-୯୨, ରାଜେଶ ମହାନ୍ତି-୧୪, ଇମଲିୱତି ଲେମତୁର-୩/୨୬, ରୋନିତ ମୋରେ-୩/୬୪, ରଙ୍ଗ୍‌ସେନ୍‌ ଜୋନାଥନ୍-୩/୬୭, ଦୀପ ବୋରା-୧/୩୪)। ନାଗାଲାଣ୍ଡ୍‌ ପ୍ରଥମ ପାଳି: ୫୭.୩ ଓଭରରେ ୧୬୧/୧୦ (ନିଶ୍ଚଲ ଡିଗା-୭୨, ରୋନିତ ମୋରେ-୨୫,  ଗୋବି‌ନ୍ଦ ପୋଦ୍ଦାର-୧୨-୨-୨୨-୩, ସମ୍ବିତ ବରାଳ-୧୦.୩-୧-୩୩-୩, ରାଜେଶ ମହାନ୍ତି-୧୪-୦-୪୯-୩, ତାପସ ଦାସ-୧/୧୭)। ଓଡ଼ିଶା ଦ୍ବିତୀୟ ପାଳି: ୬.୫ ଓଭରରେ ୧୬/୨ (ସ୍ବସ୍ତିକ ସାମଲ-୯*, ଇମଲିୱତି ଲେମତୁର-୧/୪, ବିନୋ ଝିମୋମି-୧/୯)।