ରଣଜୀ ଟ୍ରଫି ଫାଇନାଲ୍‌ରେ ୟାଶ, ଶୁଭମଙ୍କ ଶତକ: ବଡ଼ ଅଗ୍ରଣୀ ପଥରେ ମଧ୍ୟପ୍ରଦେଶ

‌ବେଙ୍ଗାଲୁରୁ : ରଣଜୀ ଟ୍ରଫି ଫାଇନାଲ୍‌ରେ ମୁମ୍ବାଇ ବିପକ୍ଷରେ ମଧ୍ୟପ୍ରଦେଶ ବଡ଼ ଅଗ୍ରଣୀ ପାଇଁ ଦୃଢ଼ ମୂଳଦୁଆ ପକାଇ ଦେଇଛି। ୪୧ ଥର ବିଜେତା ମୁମ୍ବାଇର ପ୍ରଥମ ପାଳି ସ୍କୋର୍‌ ୩୭୪ ରନ୍‌ ଜବାବରେ ମଧ୍ୟପ୍ରଦେଶ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍‌ ବିନିମୟରେ ୩୬୮ ରନ୍‌ ସଂଗ୍ରହ କରି ମାତ୍ର ୬ ରନ୍‌ ଦୂରରେ ରହିଛି। ପାଳି ଅଗ୍ରଣୀ ନେବା ନିଶ୍ଚିତ ଥିବାରୁ ବିଗତ ୫ ବର୍ଷ ଭିତରେ ଚତୁର୍ଥ ଦଳ ଭାବେ ବିଜେତା ହେବା ଦିଗରେ ମଧ୍ୟପ୍ରଦେଶ ଗୋଟିଏ ପାଦ ବଢ଼ାଇଛି।

ଶୁକ୍ରବାର ମଧ୍ୟପ୍ରଦେଶ ଏହାର ପୂର୍ବ ଦିନର ସ୍କୋର୍‌ ୧୨୩/୧ରୁ ଖେଳିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ୟାଶ ଦୁବେ (୧୩୩, ୩୩୬ ବଲ୍‌, ୧୪ ଚୌକା) ଏବଂ ୩ ନମ୍ବର ଶୁଭମ ଏସ୍ ଶର୍ମା (୧୧୬, ୨୧୫ ବଲ୍‌, ୧୫ ଚୌକା, ୧ ଛକା) ଦ୍ବିତୀୟ ୱିକେଟ୍ ପାଇଁ ୨୨୨ ରନ୍‌ ଯୋଡ଼ିଥିଲେ। ଶୁଭମଙ୍କୁ ମୋହିତ ଅୱସ୍ତି ଆଉଟ୍ କରି ଏହି ଭାଗୀଦାରିକୁ ଅଲଗା କରିଥିଲେ। ଶେଷ ଘଣ୍ଟାକ ଖେଳରେ ଦୁବେଙ୍କୁ ସାମ୍ସ ମୁଲାନି ଆଉଟ୍ କରିଥିଲେ। ତୃତୀୟ ଦିନ ଖେଳ ବନ୍ଦ ବେଳକୁ ରଜତ ପଟିଦାର (୬୭*, ୧୦୬ ବଲ୍‌, ୧୩ ଚୌକା) ଏବଂ ଆଦିତ୍ୟ ଶ୍ରୀବାସ୍ତବ (୧୧*, ୩୩ ବଲ୍‌, ୧ ଚୌକା) ବ୍ୟାଟିଂ କରୁଥିଲେ। ହାତରେ ୭ ୱିକେଟ୍ ଥାଇ ମଧ୍ୟପ୍ରଦେଶ ପ୍ରଥମ ପାଳିରେ ମାତ୍ର ୬ ରନ୍‌ ପଛରେ ରହିଛି।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି: ୧୨୭.୪ ଓଭରରେ ୩୭୪ (ସର୍ଫରାଜ ଖାନ୍‌-୧୩୪, ଯଶସ୍ବୀ ଜୟସ୍ବାଲ୍‌-୭୮, ଗୌରବ ୟାଦବ-୪/୧୦୬, ଅନୁଭବ ଅଗ୍ରୱାଲ-୩/୮୧, ସାରାଂଶ ଜୈନ-୨/୪୭)। ମଧ୍ୟପ୍ରଦେଶ ପ୍ରଥମ ପାଳି: ୧୨୩ ଓଭରରେ ୩୬୮/୩ (ୟାଶ ଦୁବେ-୧୩୩, ଶୁଭମ ଏସ ଶର୍ମା-୧୧୬, ରଜତ ପଟିଦାର-୬୭*, ଆଦିତ୍ୟ ଶ୍ରୀବାସ୍ତବ-୧୧*, ମୋହିତ ଅୱସ୍ତି-୧/୫୩, ତୁଷାର ଦେଶପାଣ୍ଡେ-୧/୭୩, ସାମ୍ସ ମୁଲାନି-୧/୧୧୭)।

ସମ୍ବନ୍ଧିତ ଖବର