ରଣଜୀ ଟ୍ରଫି, ବସନ୍ତଙ୍କ ଘାତକ ବୋଲିଂ: ରାଜସ୍ଥାନ ୧୩୫ରେ ସଫା

ଓଡ଼ିଶା ପାଇଁ ପାଳି ଅଗ୍ରଣୀ ସୁଯୋଗ

ଭୁବନେଶ୍ବର: ସ୍ଥାନୀୟ ବିକାଶ କ୍ରି‌କେଟ୍‌ ପଡ଼ିଆରେ ଶୁକ୍ରବାରଠୁ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଆରମ୍ଭ ହୋଇଛି ରଣଜୀ ମୁକାବିଲା। ଏହି ମୁକାବିଲାର ପ୍ରଥମ ଦିବସ ବୋଲରଙ୍କ ଆଧିପତ୍ୟରେ ଶେଷ ହୋଇଛି। ପ୍ରଥମ ଦିନ ମୋଟ ୧୪ ୱିକେଟ୍‌ର ପତନ ଘଟିଛି। ସେ ମଧ୍ୟରୁ ଟସ୍‌ ହାରି ବ୍ୟାଟିଂ ପାଇଥିବା ରାଜସ୍ଥାନ ପ୍ରଥମ ପାଳି ୧୩୫ ରନ୍‌ରେ ସଫା ହୋଇଯାଇଥିଲା ବେଳେ ଘରୋଇ ଓଡ଼ିଶା ୭୮ ରନ୍‌ରେ ୪ ୱିକେଟ୍‌ ହରାଇଛି। ବରିଷ୍ଠ ବୋଲର ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂ ହିଁ ଶକ୍ତିଶାଳୀ ରାଜସ୍ଥାନ ପ୍ରଥମ ପାଳିର ବିପର୍ଯ୍ୟୟ ଘଟାଇଥିଲା। ଝାଡ଼ଖଣ୍ଡ ବିପକ୍ଷ ଗତ ମ୍ୟାଚ୍‌ର ପ୍ରଥମ ପାଳିରେ ୫ ୱିକେଟ୍‌ ଦଖଲ କରିଥିବା ବସନ୍ତ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ର ପ୍ରଥମ ପାଳିରେ ୬ ୱିକେଟ୍‌ ସଫଳତା ପାଇଛନ୍ତି। ତେବେ ଅଧିନାୟକ ମହିପାଲ୍‌ ଲୋମ୍‌ରର୍‌ (୮୫)ଙ୍କ ଲଢୁଆ ଅର୍ଧଶତକୀୟ ପାଳି ଯୋଗୁଁ ଏକ ସମୟରେ ୬୭/୬ରେ ସଂଘର୍ଷ କରିଥିବା ରାଜସ୍ଥାନ ୧୦୦ ରନ୍‌ ଟପି ଯାଇଥିଲା। ଜବାବରେ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଓଡ଼ିଶା ହାତରେ ୬ ୱିକେଟ୍‌ ରଖି ରାଜସ୍ଥାନ ପ୍ରଥମ ପାଳି ସ୍କୋର୍‌ଠାରୁ ୫୭ ରନ୍‌ ପଛୁଆ ରହିଛି। ଦେବାଶିଷ ସାମନ୍ତରାୟ (୩୦*) ଓ ଅଭିଷେକ ରାଉତ (୨୨*) କ୍ରିଜ୍‌ରେ ରହିଥିବାରୁ ଓଡ଼ିଶା ପାଳି ଅଗ୍ରଣୀ ସୁଯୋଗ ରଖିଛି। ଓଡ଼ିଶା ଏହି ମ୍ୟାଚ୍‌କୁ ୪ ପରିବର୍ତନ ସହ ଓହ୍ଲାଇଥିଲା। ଅନୁରାଗ ଷଡ଼ଙ୍ଗୀ, ରାଜେଶ ଧୁପର, ଗୋବିନ୍ଦ ପୋଦାର ଓ ୱିକେଟ୍‌ ରକ୍ଷକ ସୁଜିତ୍‌ ଲେଙ୍କାଙ୍କୁ ବାଦ୍‌ ଦିଆଯାଇ ସେମାନଙ୍କ ସ୍ଥାନରେ ଦେବାଶିଷ ସାମନ୍ତରାୟ, ସାନ୍ତନୁ ମିଶ୍ର, ରଞ୍ଜିତ୍‌ ସିଂହ ଏବଂ ପି ରୋସନ୍‌ କୁମାର ରାଓଙ୍କୁ ସୁଯୋଗ ମିଳିଛି। ବିଶେଷକରି ଦେବାଶିଷ ଓ ରୋସନ୍‌ ଏହି ମ୍ୟାଚ୍‌ ଜରିଆରେ ପ୍ରଥମ ଶ୍ରେଣୀ ପଦାପର୍ଣ କରିଛନ୍ତି।

ବସନ୍ତ ଓ ରୋସନ୍‌ଙ୍କ କମାଲ୍‌
ଟସ୍‌ ଜିତି ଅଧିନାୟକ ବିପ୍ଲବ ସାମନ୍ତରାୟ ପ୍ରଥମେ ବ୍ୟାଟିଂ ପାଇଁ ରାଜସ୍ଥାନକୁ ଆମନ୍ତ୍ରଣ କରିଥିଲେ। ବିକାଶ ପିଚ୍‌ ମଧ୍ୟ ଦ୍ରୁତ ବୋଲରଙ୍କୁ ବେଶ୍‌ ସହାୟକ ହୋଇଥିଲା। ଯାହାର ଫଳସ୍ବରୂପ ରାଜସ୍ଥାନ ପ୍ରଥମ ପାଳିର ୧୦ଯାକ ୱି‌କେଟ୍‌ ଓଡ଼ିଶାର ୩ ବୋଲର ବାଣ୍ଟି ନେଇଥିଲେ। ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା ବସନ୍ତ ମହାନ୍ତି ୬, ରାଜେଶ ମହାନ୍ତି ୩ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ୱିକେଟ୍‌ ପାଇଥିଲେ। ବସନ୍ତ ୧୫ ଓଭର ବୋଲିଂରେ ୬ ମେଡେନ୍‌ ସହ ୨୦ ରନ୍‌ ବ୍ୟୟ କରି ୬ ୱିକେଟ୍‌ ନେଇଥିଲେ। ସେ ମଧ୍ୟ ପ୍ରତିପକ୍ଷ ଅଧିନାୟକ ମହିପାଲ୍‌ଙ୍କୁ ଆଉଟ୍‌ କରି ରାଜସ୍ଥାନ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। କ୍ରମାଗତ ମ୍ୟାଚ୍‌ରେ ବସନ୍ତଙ୍କର ଏହା ୫ ୱିକେଟ୍‌ ସଫଳତା। ସେ ମଧ୍ୟ ମୋଟ ୨୦ ଥର ପାଇଁ ୫ ୱିକେଟ୍‌ ସଫଳତା ହାତେଇଛନ୍ତି। ୨ ଥର ୧୦ ୱିକେଟ୍‌ ସଫଳତା ହାସଲ କରିଥିବା ବସନ୍ତ ଏଥି ସହିତ ୮୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ତାଙ୍କ ମୋଟ ୱିକେଟ୍‌ ସଂଖ୍ୟା ୩୩୬ରେ ପହଞ୍ଚାଇଛନ୍ତି। ବୋଲିଂରେ ବସନ୍ତଙ୍କ କମାଲ୍‌ ଭଳି ୱିକେଟ୍‌ ପଛରେ ପି ରୋସନ୍‌ କୁମାର ରାଓ ମଧ୍ୟ ଚମକ ଛାଡ଼ିଥିଲେ। ପଦାର୍ପଣ ସୁଯୋଗକୁ ସେ ଯେମିତି ନିସ୍ଫଳ ହେବାକୁ ଦେଇନଥିଲେ। ରାଜସ୍ଥାନ ପ୍ରଥମ ପାଳିରେ ସେ ୱିକେଟ୍‌ ପଛରେ ୫ କ୍ୟାଚ୍‌ ନେଇଥିଲେ। ସବୁଠୁ ବଡ଼ ସଂଯୋଗ ଥିଲା ବସନ୍ତ ମହାନ୍ତିଙ୍କ ବୋଲିଂରେ ହିଁ ରୋସନ୍‌ ୫ଟି ଯାକ କ୍ୟାଚ୍‌ ଧରିଥିଲେ। ଫଳରେ ରୋସନ୍‌ ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କରିଥିଲେ।

ଦେବାଶିଷ-ଅଭି‌ଷେକ ଲଢ଼ିଲେ
ରାଜସ୍ଥାନ ପ୍ରଥମ ପାଳିକୁ ୧୩୫ ରନ୍‌ରେ ଅଟକାଇଦେବା ପରେ ଓଡ଼ିଶା ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲା। ହେଲେ ବୋଲରଙ୍କୁ ସୁହାଉଥିବା ବିକାଶ ପିଚ୍‌ରେ ଖେଳିବା ଏତେ ସହଜ ନୁହେଁ ବୋଲି ଓଡ଼ିଶା ପାଳି ଆରମ୍ଭରୁ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ବସନ୍ତଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିବା ରାଜସ୍ଥାନ ପକ୍ଷରୁ ଅନିକେତ ଚୌଧୁରୀ ଓ ତନ୍‌ବୀର ଉଲ୍‌ ହକ୍‌ ବୋଲିଂ ଆକ୍ରମଣ ଆରମ୍ଭ କରିଥିଲେ। ଦୁହେଁ ମଧ୍ୟ ଘରୋଇ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ। ଉଭୟେ ଦୁଇଟି ଲେଖାଏଁ ୱିକେଟ୍‌ ଝଡ଼ାଇଦେବାରୁ ଏକ ସମୟରେ ଓଡ଼ିଶାର ପ୍ରଥମ ପାଳି ସ୍କୋର୍‌ ୪୨/୪ ହୋଇଯାଇଥିଲା। ଫର୍ମରେ ଥିବା ଶୁଭ୍ରାଂଶୁ ସେନାପତି ଖାତା ଖୋଲିପାରିନଥିଲା ବେଳେ ଅଧିନାୟକ ବିପ୍ଲବ ସାମନ୍ତରାୟ (୮), ସାନ୍ତନୁ ମିଶ୍ର (୭) ଓ ରଞ୍ଜିତ୍‌ ସିଂହ (୨) ପାଭିଲିୟନ୍‌ ଫେରି ଯାଇଥିଲେ। ତେବେ ସେହିଠାରୁ ଦେବାଶିଷ ସାମନ୍ତରାୟ ଓ ଅଭିଷେକ ରାଉତ ଲଢ଼ି ଚାଲିଛନ୍ତି। ଦେବାଶିଷ (୩୦*) ଓ ଅଭିଷେକ (୨୨*) ରନ୍‌ କରି କ୍ରିଜ୍‌ରେ ରହିବା ସାଙ୍ଗକୁ ଅସମାପ୍ତ ପଞ୍ଚମ ୱିକେଟ୍‌ରେ ୩୬ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଛନ୍ତି। ତେବେ ରାଜସ୍ଥାନ ୩.୬୪ ହାରରେ ରନ୍‌ ସଂଗ୍ରହ କରିଥିଲା ବେଳେ ଓଡ଼ିଶାର ରନ୍‌ ସଂଗ୍ରହ ହାର ୨ ରହିଛି।

ସମ୍ବନ୍ଧିତ ଖବର