ରଣଜୀ ଟ୍ରଫି ପରିସଂଖ୍ୟାନ: ରନ୍‌ ହାର ସର୍ବୋଚ୍ଚ, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବିଫଳ

ରଣଜୀ ଟ୍ରଫି ୨୦୧୯-୨୦: ଶ୍ରେଷ୍ଠ ୧୫ ବ୍ୟାଟ୍ସମ୍ୟାନ୍‌

ଭୁବନେଶ୍ବର: ଗତ ୧୫ ବର୍ଷର ରଣଜୀ ଟ୍ରଫି ପରିସଂଖ୍ୟାନକୁ ଦେଖିଲେ ସଦ୍ୟ ସମାପ୍ତ ୨୦୧୯-୨୦ ଋତୁରେ କିନ୍ତୁ ହାରାହାରି ରନ୍‌ ସଂଗ୍ରହ ସର୍ବୋଚ୍ଚ ରହିଛି। କିନ୍ତୁ ୱିକେଟ୍‌ ପିଛା ରନ୍‌ ହାର ସର୍ବନିମ୍ନ ୨୭.୧୩ ରହିଥିଲା। ୨୦୦୫-୦୬ (ପ୍ଲେଟ୍‌ ଲିଗ୍‌କୁ ବାଦ୍‌ ଦେଇ)ଠାରୁ ୧୫ ଋତୁ ମଧ୍ୟରେ ରନ୍‌ ହାର ସର୍ବନିମ୍ନ। ୨୦୦୫-୦୬ ସାଙ୍ଗକୁ ଗତ ଋତୁରେ ମଧ୍ୟ ଏହି ହାର ୨୮.୨୪ ଥିଲା ଯାହାକି ପୂର୍ବର ସର୍ବନିମ୍ନ। ହେଲେ ଗତ ଦୁଇ ବର୍ଷ ତଳେ (୨୦୧୭-୧୮) ହାରାହାରି ୩୩.୨୧ ଥିଲା। ଯାହାକି ସର୍ବାଧିକରେ କିର୍ତ୍ତିମାନ ରହିଛି। ୩.୨୫: ଏହି ଋତୁରେ ହାରାହାରି ରନ୍‌ ଥିଲା ୩.୨୫। ଯାହାକି ଗତ ୧୫ ଋତୁ ମଧ୍ୟରେ ସର୍ବାଧିକ। ଗତ ଋତୁରେ ହାରାହାରି ରନ୍‌ ରେଟ୍‌ ୩.୧୪ ଏବଂ ୨୦୧୭-୧୮ରେ ୩.୨୩ ଥିଲା। ଯାହାକି ଗତ ୧୫ ବର୍ଷ ମଧ୍ୟରେ ଉନ୍ନତ ରନ୍‌ ରେଟ୍‌ ଭିତ୍ତିରେ ଶ୍ରେଷ୍ଠ ୩ ଋତୁ ରହିଛି।

୬୪.୫୦: ଏହି ଋତୁରେ ୬୪.୫୦ ପ୍ରତିଶତ ମ୍ୟାଚ୍‌ରୁ ଫଳାଫଳ ମିଳିଛି। ଯାହାକି ଗୋଟିଏ ଋତୁରେ ଫଳାଫଳ ମିଳିବାରେ ୧୫ ବର୍ଷ ମଧ୍ୟରେ ଦ୍ବିତୀୟ ସର୍ବାଧିକ। ଚଳିତ ଋତୁରେ ମୋଟ ୧୬୯ ମ୍ୟାଚ୍‌ରୁ ୧୦୯ରୁ ଫଳାଫଳ ବାହାରିଥିଲା। ଗତ ଋତୁରେ ଏହି ପ୍ରତିଶତ ୬୫ ଥିଲା। ଯାହାକି ସର୍ବାଧିକ ରହିଛି। ତେବେ ବିଦାୟୀ ଋତୁରେ ସର୍ବାଧିକ ମ୍ୟାଚ୍‌ ବର୍ଷା ବାଧା ଯୋଗୁଁ ଅମୀମାଂସିତ ରହିଥିଲା।

୨୪.୭୭: ବିଦାୟୀ ଋତୁରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ମିଳିତ ହାରାହାରି ୨୪.୭୭ ରହିଛି। ଯାହାକି ଗତ ୧୫ ଋତୁରେ ସର୍ବନିମ୍ନ। ଚଳିତ ଋତୁରେ କୌଣସି ବି ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶୀର୍ଷ-୨୦ ରନ୍‌ ସଂଗ୍ରହକାରୀଙ୍କ ମଧ୍ୟରେ ନାହାନ୍ତି। ଜଣେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ସର୍ବାଧିକ ୬୪୬ ରନ୍‌ ଗୋଆର ସୁମିରନ ଅମୋନ୍‌କରଙ୍କ ନାମରେ ରହିଛି। ୪୦୦ରୁ ଅଧିକ ରନ୍‌ କରିଥିବା ୧୭ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ କେବଳ ୨ ଜଣଙ୍କ ହାରାହାରି ୫୦ ଉପରେ ରହିଛି। ଏହି ଦୁଇ ଜଣ ହେଲେ ଚଣ୍ଡୀଗଡ଼ର ଆର୍ସଲାନ୍‌ ଖାନ୍‌ (୫୦୪ ରନ୍‌, ୭୨.୦୦ ହା‌ରାହାରି) ଓ ତାମିଲନାଡୁର ଅଭିନବ ମୁକୁନ୍ଦ (୫୪୬ ରନ୍‌, ୭୦.୫୦ ହାରାହାରି)।

ଏହା ପୂର୍ବରୁ ୨୦୧୮-୧୯ ଋତୁରେ ୮ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ହାରାହାରି ୫୦ରୁ ଅଧିକ ରହିଥିଲା ବେଳେ ୫ ଜଣ ଶୀର୍ଷ-୨୦ ରନ୍‌ ସଂଗ୍ରହକାରୀ ତାଲିକାରେ ଥିଲେ। ୨୦୧୭-୧୮ରେ ୭ ଜଣଙ୍କ ହାରାହାରି ୫୦ରୁ ଅଧିକ ଥିଲା ବେଳେ ୮ ଜଣ ଶୀର୍ଷ-୨୦ ରନ୍‌ ସଂଗ୍ରହକାରୀଙ୍କ ମଧ୍ୟରେ, ୨୦୧୬-୧୭ରେ ୮ ଜଣଙ୍କ ହାରାହାରି ୫୦ରୁ ଅଧିକ ରହିଥିଲା ବେଳେ ୭ ଜଣ ଶୀର୍ଷ-୨୦ ରନ୍‌ ସଂଗ୍ରହକାରୀଙ୍କ ମଧ୍ୟରେ ଏବଂ ୨୦୧୫-୧୬ରେ ୩ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ହାରାହାରି ୫୦ରୁ ଅଧିକ ରହିଥିଲା ବେଳେ ୫ ଜଣ ଶୀର୍ଷ-୨୦ ରନ୍‌ ସଂଗ୍ରହକାରୀ ତାଲିକାରେ ଥିଲେ। ପୂର୍ବ ଋତୁଗୁଡ଼ିକ ସହିତ ତୁଳନା କଲେ ଅତିକମ୍‌ରେ ଜଣେ ଲେଖାଏଁ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପ୍ରତି ସଂସ୍କରଣରେ ଶୀର୍ଷ-୫ ରନ୍‌ ସଂଗ୍ରହକାରୀଙ୍କ ମଧ୍ୟରେ ରହିଥିଲେ। ହେଲେ ବିଦାୟୀ ଋତୁରେ ସର୍ବାଧିକ ସଫଳ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅମୋନ୍‌କର ରନ୍‌ ସଂଗ୍ରହକାରୀ ତାଲିକାର ୨୪ତମ ସ୍ଥାନରେ ରହିଛନ୍ତି। ଗତ ୩ ଋତୁରେ ଅତି କମ୍‌ରେ ୭ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ୫୦୦ରୁ ଅଧିକ ଲେଖାଏଁ ରନ୍‌ କରିଥିଲା ବେଳେ ୫୦ରୁ ଅଧିକ ହାରାହାରି ପାଇଥିଲେ।

୫: ୪ ସେମିଫାଇନାଲିଷ୍ଟ ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ଦ୍ବାରା ୫ ଶତକ ସଂଗ୍ରହ ହୋଇଥିଲା। ସେଥିରୁ ବେଙ୍ଗଲ ଦୁଇଟି ଏବଂ ସୌରାଷ୍ଟ୍ର, ଗୁଜରାଟ ଓ କର୍ଣ୍ଣାଟକରୁ ଗୋଟିଏ ଲେଖାଏଁ ଶତକ ରହିଛି।

୪୨୦: ୨୦୧୯-୨୦ ଋତୁରେ ନକ୍‌ ଆଉଟ୍‌ ମ୍ୟାଚ୍‌ଗୁଡ଼ିକରେ ଅନୁଷ୍ଟୁପ ମଜୁମଦାର ୪୨୦ ରନ୍‌ କରିଥିଲେ। ଯେଉଁଥିରେ ୨ ଶତକ ଓ ଗୋଟିଏ ଅର୍ଧଶତକ ସାମିଲ ଥିଲା। ଅନୁଷ୍ଟୁପ କ୍ବାର୍ଟର ଫାଇନାଲ୍‌ ଓ ସେମିଫାଇନାଲ୍‌ରେ ଶତକ ଜମାଇଥିଲା ବେଳେ ଫାଇନାଲ୍‌ରେ ଅର୍ଧଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ କୌଣସି ଗୋଟିଏ ଋତୁ (୨୦୧୦-୧୧)ରେ କ୍ବାର୍ଟର ଫାଇନାଲ୍‌, ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ଶତକ ଜମାଇବାର ସଫଳତା ରାଜସ୍ଥାନର ଅଶୋକ ମିନେରିଆଙ୍କୁ ମିଳିଥିଲା। ତେବେ ନକ୍‌ଆଉଟ୍‌ର ୫ ପାଳିରୁ ୪୨୦ ରନ୍‌ କରିବା ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ଅନୁଷ୍ଟୁପ କେବଳ ୮ ପାଳିରେ ୨୮୪ ରନ୍‌ (୨ ଅର୍ଧଶତକ) କରିଥିଲେ।

୪ ଜଣଙ୍କ ମାଇଲଖୁଣ୍ଟ
୫୦: ବିଦାୟୀ ଋତୁରେ ଚେତେଶ୍ବର ପୂଜାରା, ଅଭିନବ ମୁକୁନ୍ଦ, ବିନୟ କୁମାର ଓ ପାର୍ଥିବ ପଟେଲ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ଛୁଇଁଛନ୍ତି। ପୂଜାରା ତାଙ୍କ ପ୍ରଥମ ଶ୍ରେଣୀ ଜୀବନରେ ୫୦ତମ ଶତକ ହାସଲ କରିବାର ମାଇଲଖୁଣ୍ଟ ଛୁଇଁଥି‌ଲେ। କର୍ଣ୍ଣାଟକ ବିପକ୍ଷରେ ୨୪୮ ରନ୍‌ କରିବା ପରେ ସେ ଏ କ୍ଷେତ୍ରରେ ନବମ ଭାରତୀୟ ଖେଳାଳି ହୋଇଥିଲେ। ପୁଣି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଏହା ତାଙ୍କର ତ୍ରୟୋଦଶ ଦ୍ବିଶତକ ଥିଲା, ଯାହାକି ଭାରତୀୟଙ୍କ ମଧ୍ୟରେ ସର୍ବାଧିକ। ୧୦,୦୦୦: ଅଭିନବ ମୁକୁନ୍ଦ ୧୦,୦୦୦ ପ୍ରଥମ ଶ୍ରେଣୀ ରନ୍‌ ପୂରଣ କରିଥିଲେ। ବରୋଦା ବିପକ୍ଷ ମ୍ୟାଚ୍‌ରେ ୨୦୬ ରନ୍‌ କରି ସେ ଏହି ମାଇଲଖୁଣ୍ଟ ଛୁଇଥିଲେ। ଏବେ ତାଙ୍କ ନାମରେ ୧୦, ୨୫୮ ରନ୍‌ ରହିଛି। ସେ ମଧ୍ୟ ୧୦୦ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିଛନ୍ତି।

୪୪୨: ରଣଜୀ ଟ୍ରଫିରେ ବିନୟ କୁମାରଙ୍କ ୱିକେଟ୍‌ ସଂଖ୍ୟା ୪୪୨ରେ ପହଞ୍ଚିଛି। ରଣଜୀ ଟ୍ରଫି ଇତିହାସରେ ସେ ଚତୁର୍ଥ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ହୋଇଥିଲା ବେଳେ ସର୍ବାଧିକ ସଫଳ ଦ୍ରୁତ ବୋଲର ହୋଇଛନ୍ତି। କେବଳ ତିନି ଜଣ ବୋଲର ରାଜିନ୍ଦର ଗୋଏଲ୍‌ (୬୩୭ ୱିକେଟ୍‌), ଶ୍ରୀନିବାସ ଭେଙ୍କଟରାଘବନ୍‌ (୫୩୦ ୱିକେଟ୍‌) ଓ ସୁନିଲ ଯୋଷୀ (୪୭୯ ୱିକେଟ୍‌) ବିନୟ କୁମାରଙ୍କଠୁ ଅଧିକ ୱିକେଟ୍‌ ନେଇଛନ୍ତି। ବିଦାୟୀ ଋତୁ ଆରମ୍ଭ ପୂର୍ବରୁ ବିନୟ କୁମାର ରଣଜୀ ଟ୍ରଫି‌ରେ ସର୍ବାଧିକ ୱିକେଟ୍‌ ଦଖଲ ତାଲିକାର ଏକାଦଶ ସ୍ଥାନରେ ରହିଥିଲେ। ଏହି ଋତୁରେ ସେ ୪୫ ୱିକେଟ୍‌ ନେଇ ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଛନ୍ତି।

୫: ରଣଜୀ ଟ୍ରଫିରେ ୩୦୦ରୁ ଅଧିକ ଡିସ୍‌ମିସାଲ କରିବାରେ ପାର୍ଥିବ ପଟେଲ ପଞ୍ଚମ ୱିକେଟ୍‌ରକ୍ଷକ ହୋଇଛନ୍ତି। ୧୦୩ ମ୍ୟାଚ୍‌ରୁ ୩୦୫ ଶିକାର କରିଛନ୍ତି। ଗୋଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

ସମ୍ବନ୍ଧିତ ଖବର