ଭୁବନେଶ୍ବର: ଚଳିତ ୨୦୨୨-୨୩ ରଣଜୀ ଋତୁରେ ଓଡ଼ିଶା ନିଜର ପରବର୍ତୀ ମ୍ୟାଚ୍‌ ହିମାଚଳ ପ୍ରଦେଶ ସହ ଖେଳିବ। ହିମାଚଳ ପ୍ରଦେଶର ନଦାଉଁରେ ଏହ‌ି ମ୍ୟାଚ୍‌ ଖେଳାଯିବ। ଓଡ଼ିଶା-ହିମାଚଳ ପ୍ରଦେଶ ରଣଜୀ ଟ୍ରଫି ଇତିହାସ ୧୯ ଋତୁର। ଏହା ମଧ୍ୟ ଦେଇ ୭ ଥର ପରସ୍ପରକୁ ଭେଟିଛନ୍ତି। ଦୁଇ ଦଳ ୨ ଲେଖାଏଁ ସିଧାସଳଖ ବିଜୟ ପାଇଥିବା ବେଳେ ଅନ୍ୟ ୩ଟି ଅମୀମାଂସିତ ରହିଛି। ଏହି ୩ଟି ମ୍ୟାଚ୍‌ରେ କିନ୍ତୁ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ସଫଳ ରହିଥିଲା। ପୂର୍ବ ଓ ଉତ୍ତର ରାଜ୍ୟଦ୍ବୟ ମଧ୍ୟରେ ଅଷ୍ଟମ ଭେଟ ପୂର୍ବରୁ ଆସନ୍ତୁ ଅତୀତ ମୁକାବିଲା ଉପରେ ନଜର ପକାଇନେବା।

Advertisment

ମ୍ୟାଚ୍‌ ୧।୨୦୦୩-୦୪ ଋତୁରେ ଓଡ଼ିଶା ଓ ହିମାଚଳପ୍ରଦେଶ ରଣଜୀ ଟ୍ରଫିରେ ପ୍ରଥମ ଥର ମୁକାବିଲା କରିଥିଲେ। ପଦାର୍ପଣରେ ଦ୍ରୁତ ବୋଲର ଦୀପକ ମଙ୍ଗରାଜଙ୍କ ଚମତ୍କାରିତା ୧୧/୧୧୧ (୭/୪୨ ଓ ୪/୬୯) ବଳରେ ଓଡ଼ିଶା ୧୮୦ ରନ୍‌ରେ ବିଜୟୀ ହୋଇଥିଲା।

ମ୍ୟାଚ୍‌ ୨।ଧର୍ମଶାଳାରେ ୨୦୦୪-୦୫ରେ ଦ‌ୁଇ ଦେଶ ଦ୍ବିତୀୟ ଥର ମୁହାଁମୁହିଁ ହୋଇଥିଲା ବେଳେ ହିମାଚଳ ପ୍ରଦେଶ କିନ୍ତୁ ପ୍ରତିଶୋଧ ନେଇଯାଇଥିଲା। ଘରୋଇ ଦଳ ଏହି ମ୍ୟାଚ୍‌କୁ ଏକ ପାଳି ୪୩ ରନ୍‌ରେ ଜିତି ନେଇଥିଲା। ପ୍ରଥମ ପାଳିରେ ମାତ୍ର ୮୦ ରନ୍‌ କରିଥିବା ଓଡ଼ିଶା ପିନାଟି ଜୟଚନ୍ଦ୍ରଙ୍କ ଶତକ (୧୩୦) ସତ୍ତ୍ବେ ଦ୍ବିତୀୟ ପାଳିରେ ୩୦୨ ରନ୍‌ କରିଥିଲା। ସଂଗ୍ରାମ ସିଂହଙ୍କ ଶତକ (୧୦୦) ବଳରେ ହିମାଚଳ ପ୍ରଦେଶ ଏକମାତ୍ର ପାଳିରେ ୩୦୨ ରନ୍‌ କରିଥିଲା।

ମ୍ୟାଚ୍‌ ୩।କଟକର ବାରବାଟୀରେ ଅନୁଷ୍ଠିତ ତୃତୀୟ ମୁକାବିଲାକୁ ଓଡ଼ିଶା ଏକ ପାଳି ଓ ୨୯୩ ରନ୍‌ରେ ଜିତି ଆଉ ଏକ ବୃହତ ବିଜୟ ହାସଲ କରିଥିଲା। ସୁବିତ ବିଶ୍ବାଳ (୧୨୨)ଙ୍କ ଶତକ ଏବଂ ପ୍ରଭଞ୍ଜନ ମଲ୍ଲିକ (୨୦୨*)ଙ୍କ ଦ୍ବିଶତକ ବଳରେ ଓଡ଼ିଶା ୫୨୮/୭ରେ ପାଳି ଘୋଷଣା କରିଥିଲା। ସୌରଭ ସେହଗଲ୍ ଏହି ମ୍ୟାଚ୍‌ରେ ୧୦ ୱିକେଟ୍ (୭/୩୯ ଓ ୩/୧୮) ସଫଳତା ପାଇଥିବା ବେଳେ ତାଙ୍କ ସହିଦ ସ୍ପୋର୍ଟିଂ କ୍ଲବ୍ ସାଥି ଦେବାଶିଷ ମହାନ୍ତି ୭ ୱିକେଟ୍ (୨/୪୨ ଓ ୫/୨୧) ନେଇଥିଲେ। ହିମାଚଳ ଏହାର ଉଭୟ ପାଳିରେ ୧୬୮ ଓ ୬୭ ରନ୍‌ କରି ଆତ୍ମସମର୍ପଣ କରିଥିଲା।

ମ୍ୟାଚ୍‌ ୪ ଓ ୫।କ୍ରମାଗତ ଚତୁର୍ଥ ଋତୁ ପାଇଁ ୨୦୦୬-୦୭ରେ ଏହି ଦୁଇ ରାଜ୍ୟ ପରସ୍ପରକୁ ଭେଟିଥିଲେ ରଣଜୀ ଟ୍ରଫିରେ। ଏହି ଋତୁରେ ଦୁଇ ଥର ମୁକାବିଲା ହୋଇଥିଲା। ଧର୍ମଶାଳାରେ ପ୍ଲେଟ୍‌ ଗ୍ରୁପ୍‌-ବି ଲିଗ୍‌ ମ୍ୟାଚ୍‌ ଅମୀମାଂସିତ ରହିଥିବା ବେଳେ ଓଡ଼ିଶା ପାଳି ଅଗ୍ରଣୀ ନେଇପାରିଥିଲା। ସେହିଭଳି ବାରବାଟୀରେ ଖେଳାଯାଇଥିବା ପ୍ଲେଟ୍ ଗ୍ରୁପ୍ ଫାଇନାଲ୍‌ରେ ହିମାଚଳ ପ୍ରଦେଶ ୯ ୱିକେଟ୍‌ରେ ବାଜି ମାରି ନେଇଥିଲା।

ମ୍ୟାଚ୍‌ ୬।୨୦୦୯-୧୦ ଏଲିଟ୍‌ ଗ୍ରୁପ୍‌ ‘ଏ’ ମୁକାବିଲା ଅମୀମାଂସିତ ରହିଥିଲା। ଧୀରାଜ କୁମାରଙ୍କ ୪ ୱିକେଟ୍‌ ଓ ବସନ୍ତ ମହାନ୍ତିଙ୍କ ୩ ୱି‌କେଟ୍ କାରଣରୁ ହିମାଚଳ ପ୍ରଥମ ପାଳି ମାତ୍ର ୧୨୫ ରନ୍‌ରେ ଅଟକିଯାଇଥିଲା। ଜବାବରେ ହଳଧର ଦାସ (୧୪୪)ଙ୍କ ଶତକ ବଳରେ ଓଡ଼ିଶା ୩୧୬ ରନ୍ କରିଥିଲା। ହିମାଚଳ ଦ୍ବିତୀୟ ପାଳିରେ ୪୮୬ ରନ୍‌ କରିବାରୁ ମ୍ୟାଚ୍‌ ଡ୍ର’ ରହିଥିଲା।

ମ୍ୟାଚ୍‌ ୭।୨୦୧୦-୧୧ ଋତୁରେ ହୋଇଥିବା ମୁକାବିଲା ମଧ୍ୟ ଅମୀମାଂସିତ ରହିଥିଲା। ଓଡ଼ିଶା କିନ୍ତୁ ପ୍ରଥମ ପାଳି ଅଗ୍ରଣୀ ଧାରାକୁ ବଜାୟ ରଖିଥିଲା। ବସନ୍ତ ମହାନ୍ତି (୪/୪୩), ଦେବାଶିଷ ମହାନ୍ତି (୨/୪୮), ଆଲୋକ ସାହୁ (୨/୩୨) ବାରବାଟୀରେ ୮ ୱିକେଟ୍ ବାଣ୍ଟି ନେବାରୁ ହିମାଚଳ ପ୍ରଦେଶ ପ୍ରଥମ ପାଳିରେ ମାତ୍ର ୧୬୩ ରନ୍‌ କରିଥିଲା। ବର୍ଷ ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପରେଶ ପଟେଲଙ୍କ ୫୫ ରନ୍‌ ସହିତ ଓଡ଼ିଶା ୧୯୦/୮ରେ ପାଳି ଘୋଷଣା କରି ୩ ପଏଣ୍ଟ ପକେଟସ୍ଥ କରିଥିଲା।