ଭୁବନେଶ୍ବର : ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ଏ’ରେ ଉତ୍ତରାଖଣ୍ଡଠୁ ଓଡ଼ିଶା ଲଜ୍ଜାଜନକ ପରାଜୟ ବରଣ କରିଛି। ଡେରାଡୁନ୍‌ରେ ଉତ୍ତରାଖଣ୍ଡ ୯୯ ରନ୍‌ର ପାଳି ବିଜୟ ପାଇଛି। ଘରୋଇ ଦଳର ୪୭୭ ରନ୍‌ ଜବାବରେ ଓଡ଼ିଶା ଦ୍ବିତୀୟ ପାଳି ୧୬୫ ରନ୍‌ରେ ସୀମିତ ରହିଥିଲା। ତୃତୀୟ ଦିନରେ ୯୭/୪ରୁ ଖେଳିବା ଆରମ୍ଭ କରିଥିବା ଓଡ଼ିଶା ଶେଷ ଦିନରେ ବି ୱିକେଟ୍‌ ବଞ୍ଚାଇବାରେ ସମର୍ଥ ହୋଇନଥିଲା। ଗୋଟିଏ ପଟରୁ ଅନୁରାଗ ଷଡ଼ଙ୍ଗୀ ରକ୍ଷଣାତ୍ମକ ଖେଳି ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ବୋଲରଙ୍କୁ ସାମ୍ନା କରିଥିଲେ। କିନ୍ତୁ ଅନ୍ୟ ପଟରୁ କାର୍ତ୍ତିକ ବିଶ୍ବାଳ (୬), ଅଭିଷେକ ରାଉତ (୧୩) ଶୀଘ୍ର ଆଉଟ ହୋଇଯିବାରୁ ଅନୁରାଗ ଆଉ ନିଜ ୱିକେଟ୍‌କୁ ଅଧିକ ସମୟ ବଞ୍ଚାଇ ପାରିନଥିଲେ। ଶେଷରେ ୧୫୮ ବଲ୍‌ରୁ ୯୩ ରନ୍‌ କରିଥିଲା ବେଳେ ଅଭୟ ନେଗୀଙ୍କ ଶିକାର ହୋଇଥିଲେ। ଅନୁରାଗ ଆଉଟ ହେବାର ମାତ୍ର ୧୦ ରନ୍‌ ମଧ୍ୟରେ ଓଡ଼ିଶା ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅଭୟ ନେଗୀ ୩୩ ରନ୍‌ ବିନିମୟରେ ୫ ୱିକେଟ୍‌ ନେଇଥିଲା ବେଳେ ଆକାଶ ମାଧୱାଲ, ମୟଙ୍କ ମିଶ୍ରା ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ।

Advertisment

publive-image

ବର୍ଷର ଦ୍ବିତୀୟ ପାଳି ପରାଜୟ, ଉଭୟରେ ଆଦିତ୍ୟ ଅଡ଼ୁଆ

ଚଳିତ ୨୦୨୨ରେ ଓଡ଼ିଶା ଦ୍ବିତୀୟ ଥର ପାଇଁ ରଣଜୀ ଟ୍ରଫିରେ ପାଳି ପରାଜୟର ସାମ୍ନା କରିଛି। ୨୦୨୧-୨୨ ଋତୁର ଗତ ମାର୍ଚ୍ଚ ମାସରେ ଓଡ଼ିଶା ବିପକ୍ଷରେ ମୁମ୍ବାଇ ୧୦୮ ରନ୍‌ର ପାଳି ବିଜୟ ପାଇଥିଲା। ଓଡ଼ିଶାର ଏହି ଦୁଇ ପାଳି ପରାଜୟ ମ୍ୟାଚ୍‌ରେ ଗୋଟିଏ ବଡ଼ ସଂଯୋଗ ରୂପରେ ରହିଥିଲେ ମୁମ୍ବାଇର ୱିକେଟରକ୍ଷକ ଆଦିତ୍ୟ ତାରେ। ମୁମ୍ବାଇ ପାଇଁ ଖେଳୁଥିଲା ବେଳେ ଆଦିଦ୍ୟ ୭୨ ରନ୍‌ ଓ ଏଥର ଉତ୍ତରାଖଣ୍ଡ ପକ୍ଷରୁ ଖେଳୁଥିଲା ବେଳେ ୫୭ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଅହମ୍ମଦାବାଦ୍‌ରେ ମୁମ୍ବାଇ ବିପକ୍ଷରେ ଖେଳାଯାଇଥିବା ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ଡି’‌ ମ୍ୟାଚ୍‌ରେ ଓଡ଼ିଶା ଶାନ୍ତନୁ ମିଶ୍ରଙ୍କ ୮୯ ରନ୍‌ ବଳରେ ୨୮୪ ରନ୍‌ କରିଥିଲା। ତେବେ ମୁମ୍ବାଇ ପ୍ରଥମ ପାଳିରେ ଦୁଇ ଶତକ (ଅର୍ମାନ ଜାଫର ୧୨୫, ସର୍ଫରାଜ ଖାନ୍‌ ୧୬୫) ଓ ତିନି ଅର୍ଦ୍ଧଶତକ (ପୃଥ୍ବୀ ସ’ ୫୩, ଆଦିତ୍ୟ ତାରେ ୭୨, ସାମ୍‌ସ ମୁଲାନି ୭୦) ସହାୟତାରେ ଅଗ୍ରଣୀ ନେବା ସହ ୫୩୨/୯ରେ ପାଳି ଘୋଷଣା କରିଥିଲା। ରାଜେଶ ମହାନ୍ତି ୩, ପଦାର୍ପଣକାରୀ ପ୍ରଶାନ୍ତ ରଣା, ଜୟନ୍ତ ବେହେରା ଓ ପପୁ ରାଏ ୨ ୱିକେଟ୍ ଲେଖାଏଁ ନେଇଥିଲେ। ଓଡ଼ିଶା ଦ୍ବିତୀୟ ପାଳିରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। କେବଳ ଅଭିଷେକ ରାଉତ ୫୯ ରନ୍‌ର ପାଳି ଖେଳି ମୁମ୍ବାଇ ବୋଲରଙ୍କୁ ଅଧିକ ସମୟ ସାମ୍ନା କରିଥିଲେ।