ରଣଜୀ ଟ୍ରଫି: ବିଜୟ ଦ୍ବାରରେ ବେଙ୍ଗଲ, କର୍ଣ୍ଣାଟକ

ଭୁବନେଶ୍ବର : ଚଳିତ ୨୦୨୨-୨୩ ରଣଜୀ ଋତୁର ୪ଟି ଯାକ କ୍ବାର୍ଟରଫାଇନାଲ୍ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଯାଇଛି। ଶୁକ୍ରବାର ଚତୁର୍ଥ ଦିବସରେ ମଧ୍ୟ ୩ଟିରୁ ଫଳାଫଳ ବାହାରିବା ସ୍ଥିତି ଉପୁଜିଛି। ବେଙ୍ଗଲ, କର୍ଣ୍ଣାଟକ ବିଜୟ ଦ୍ବାରଦେଶରେ ଛିଡ଼ା ହୋଇଥିବା ବେଳେ ଇନ୍ଦୋରରେ ଗୋଟିଏ ଦିନରେ ୧୬ ୱିକେଟ୍‌ର ପତନ କାରଣରୁ ଆନ୍ଧ୍ରପ୍ରଦେଶ-ମଧ୍ୟପ୍ରଦେଶ ମୁକାବିଲା ନାଟକୀୟ ମୋଡ଼ ନେଇଛି।

ଇଡେନ୍ ଗାର୍ଡେନ୍ସରେ ଝାଡ଼ଖଣ୍ଡ ବିପକ୍ଷରେ ବିଜୟ ଦ୍ବାରରେ ପହଞ୍ଚିଯାଇଛି ବେଙ୍ଗଲ। ଝାଡ଼ଖଣ୍ଡ ଦ୍ବିତୀୟ ପାଳିରେ ମାତ୍ର ୭ ରନ୍‌ରେ ଆଗୁଆ ଥାଇ ୭ ୱିକେଟ୍‌ ହରାଇ ଦେଇଛି। ବିରାଟ ସିଂହଙ୍କ ଝାଡ଼ଖଣ୍ଡ ଦଳ ପ୍ରଥମ ପାଳିରେ ୧୭୩ ରନ୍‌ କରିଥିବା ବେଳେ ତୃତୀୟ ଦିବସ ସୁଦ୍ଧା ଦ୍ବିତୀୟ ପାଳିରେ ୭ ୱିକେଟ୍‌ ବିନିମୟରେ ୧୬୨ ରନ୍ କରିଛି। ଆକାଶଦୀପ, ଅକାଶ ଘଟକ, ସାହାବାଜ ଅହମ୍ମଦ ପ୍ରତ୍ୟେକ ୨ ୱିକେଟ୍ ଲେଖାଏଁ ନେଇ ଘରୋଇ ଦଳକୁ ବିଜୟ ମୁହାଁ କରିଛନ୍ତି। ଝାଡ଼ଖଣ୍ଡ ୨୧ ରନ୍‌ରେ ୪ ୱିକେଟ୍ ହରାଇ ଦେବା ପରେ ଲଢ଼ିବାର ସୁଯୋଗ ପାଇନଥିଲା। ଆର୍ଯ୍ୟମାନ ସେନ୍ (୬୪) ଏବଂ ଅନୁକୁଳ ରୟ (୪୦) ସାମୟିକ ଲଢ଼ି ଦଳକୁ କେବଳ ପାଳି ପରାଜୟରୁ ରକ୍ଷା କରିଥିଲେ। ଗୁରୁବାର ସକାଳେ ବେଙ୍ଗଲ ୨୩୮/୫ରୁ‌ ଖେଳି ୯୦ ରନ୍‌ ଯୋଡ଼ିବା ସହ ଅବଶିଷ୍ଟ ୫ ୱିକେଟ୍ ହରାଇଥିଲା। ସାହାବାଜ ଅହମ୍ମଦ (୮୧ ରନ୍‌) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ଦଳକୁ ପ୍ରଥମ ପାଳିରେ ୧୫୫ ରନ୍‌ ଅଗ୍ରଣୀ ଦେଇଥିଲେ। ବେଙ୍ଗଲ ପ୍ରଥମ ପାଳି ୩୨୮ ରନ୍‌ରେ ଶେଷ ହୋଇଥିବା ବେଳେ ଆଶିଷ କୁମାର ୩ ୱିକେଟ୍‌, ରାହୁଲ ଶୁକ୍ଳା ଓ ସୁପ୍ରିୟ ଚକ୍ରବର୍ତ୍ତୀ ପ୍ରତ୍ୟେକ ୨‌ ଲେଖାଏଁ ନେଇଥିଲେ।

ବେଙ୍ଗାଲୁରୁରେ ଚାଲିଥିବା ଦ୍ବିତୀୟ କ୍ବାର୍ଟରଫାଇନାଲ୍‌ରେ ଉତ୍ତରାଖଣ୍ଡ ବିପକ୍ଷରେ କର୍ଣ୍ଣାଟକ ସ୍ଥିତି ଦୃଢ଼ ରହିଛି। ଶ୍ରେୟସ ଗୋପାଳ (୧୬୧*)ଙ୍କ ଲଢ଼ୁଆ ଶତକ ବଳରେ କର୍ଣ୍ଣାଟକ ପାଳି ୬୦୬ ରନ୍‌ରେ ଶେଷ ‌ହୋଇଛି। ଅଭୟ ନେଗି ୪, ମୟଙ୍କ ମିଶ୍ର ୩, ସ୍ବପ୍ନିଲ ସିଂହ ୨ ୱିକେଟ୍ ନେଇଥିଲେ। ଜବାବରେ ତୃତୀୟ ଦିବସ ସୁଦ୍ଧା ଉତ୍ତରାଖଣ୍ଡ ୧୦୬ ରନ୍‌ରେ ୩ ୱିକେଟ୍ ହରାଇ ଦେଇଛି। ଉତ୍ତରାଖଣ୍ଡ ପାଳି ପରାଜୟ ଏଡ଼ାଇବାକୁ ଆହୁରି ୩୮୪ ରନ୍‌ ଆବଶ୍ୟକ କରୁଥିବା ବେଳେ କର୍ଣ୍ଣାଟକ ଅବଶିଷ୍ଟ ୭ ୱିକେଟ୍ ଦଖଲ କରି ସେମିଫାଇନାଲ୍ ପହଞ୍ଚିବା ସମ୍ଭାବନାକୁ ବଢ଼ାଇ ଦେଇଛି। ବିଦ୍ବତ କାଭେରପ୍ପା ୨ ଏବଂ ଏମ ଭେଙ୍କଟେଶ ୧ ୱିକେଟ୍ ନେଇଛନ୍ତି।

ରାଜକୋଟରେ ଚାଲିଥିବା ସୌରାଷ୍ଟ୍ର-ପଞ୍ଜାବ ତୃତୀୟ କ୍ବାର୍ଟରଫାଇନାଲ୍‌ ସନ୍ତୁଳିତ ଅବସ୍ଥାରେ ଥିଲେ ମଧ୍ୟ ପଞ୍ଜାବ ଫାଇଦାରେ ରହିଛି। ସୌରାଷ୍ଟ୍ରର ୩୦୩ ରନ୍‌ ଜବାବରେ ପଞ୍ଜାବ ପ୍ରଥମ ପାଳିରେ ୪୩୧ ରନ୍‌ କରି ୧୨୮ ରନ୍‌ ଅଗ୍ରଣୀ ନେଇଛି। ପୂର୍ବଦିନର ସ୍କୋର୍‌ ୩୨୭/୫ରୁ ଖେଳିଥିବା ପଞ୍ଜାବ ଅଧିନାୟକ ମନଦୀପ ସିଂହ (୯୧, ୨୦୬ ବଲ୍‌)ଙ୍କ ପାଳି ବଳରେ ଗୁରୁବାର ସମ୍ମାନ ରଖିଥିଲା। ଧର୍ମେନ୍ଦ୍ରସିଂହ ଜାଦେଜା (୫/୧୦୯) ସଫଳତମ ବୋଲର ଥିବାବେଳେ ପାର୍ଥ ଭୂଟ୍‌ (୩/୧୧୪) ଓ ଯୁବରାଜସିଂ ଦୋଦିୟା (୨/୭୧) ଅବଶିଷ୍ଟ ୫ ୱିକେଟ୍ ବାଣ୍ଟି ନେଇଥିଲେ। ପୂର୍ବଦିନ ପ୍ରଭସିମ୍ରନ ସିଂହ (୧୨୬) ଏବଂ ନମନ ଧୀର (୧୩୧) ପ୍ରଥମ ୱିକେଟ୍‌ ପାଇଁ ଦ୍ବିଶତକ ଭାଗୀଦାରି (୨୧୨) କରିଥିଲେ ମଧ୍ୟ ପଞ୍ଜାବ ସେହି ତୁଳନାରେ ବଡ଼ ସ୍କୋର୍‌ କରିପାରିନିଥିଲା। ତଥାପି ବିନୟ ଚୌଧୁରୀ (୩/୬୧)ଙ୍କ ଘାତକ ବୋଲିଂ କାରଣରୁ ସୌରାଷ୍ଟ୍ର ୧୩୮/୪ରେ ସଂଘର୍ଷ କରୁଛି। ହାତରେ ୬ ୱିକେଟ୍ ଥାଇ ଘରୋଇ ସୌରାଷ୍ଟ୍ର ମାତ୍ର ୧୦ ରନ୍‌ରେ ଆଗୁଆ ରହିଛି।

ଇନ୍ଦୋରରେ ଚାଲିଥିବା ଆନ୍ଧ୍ରପ୍ରଦେଶ-ମଧ୍ୟପ୍ରଦେଶ ଚତୁର୍ଥ କ୍ବାର୍ଟରଫାଇନାଲ୍‌ ଗୁରୁବାର ନାଟକୀୟ ମୋଡ଼‌ ନେଇଛି। ପ୍ରଥମ ପାଳିରେ ୧୫୧ ରନ୍‌ ପଛୁଆ ପଡ଼ିବା ସତ୍ତ୍ବେ ମଧ୍ୟପ୍ରଦେଶ ବିଜୟ ସମ୍ଭାବନା ସୃଷ୍ଟି କରିଛି। ଗୁରୁବାର ତୃତୀୟ ଦିବସ ଖେଳରେ ମୋଟ ୧୬ ୱିକେଟ୍‌ର ପତନ କାରଣରୁ ଘରୋଇ ଦଳ ପ୍ରତ୍ୟାବର୍ତନ କରିଛି। ଆନ୍ଧ୍ରପ୍ରଦେଶର ୩୭୯ ରନ୍ ଜବାବରେ ମଧ୍ୟପ୍ରଦେଶ ପ୍ରଥମ ପାଳିରେ ମାତ୍ର ୨୨୮ ରନ୍ କରିଥିଲା। ଗୁରୁବାର ୧୪୪/୪ରୁ‌‌ ଖେଳିଥିବା ମଧ୍ୟପ୍ରଦେଶ ବାମହାତୀ ଦ୍ରୁତ ବୋଲର ପୃଥ୍ବୀ ରାଜ (୫/୨୬)ଙ୍କୁ ମୁକାବିଲା କରିନପାରି ଶେଷ ୬ ୱିକେଟ୍‌ ଦଳ ମାତ୍ର ୬୧ ରନ୍‌ରେ ହରାଇଥିଲା। ପ୍ରଥମ ପାଳିରେ ୧୫୧ ରନ୍‌ ଅଗ୍ରଣୀ ପାଇଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶ ଏହି ସୁଯୋଗକୁ ଏକ ପ୍ରକାର ହାତଛଡ଼ା କରି ଦେଇଛି। ଆୱେସ୍ ଖାନ୍‌ (୪/୨୪), ଗୌରବ ୟାଦବ (୩/୧୦), କୁମାର କାର୍ତ୍ତିକେୟ (୨/୪୧), ସାରାଂଶ ‌ଜୈନ (୧/୧୧)ଙ୍କ ବୋଲିଂକୁ ଖେଳିନପାରି ଏହି ଦଳ ଗୁରୁବାର ଦ୍ବିତୀୟ ପାଳିରେ ମାତ୍ର ୯୩ ରନ୍‌ କରି ସମସ୍ତ ୱିକେଟ୍‌ ହରାଇ ଦେଇଛି। ୨୪୫ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟପ୍ରଦେଶ ତୃତୀୟ ବିବସ ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୫୮ ରନ୍ ସଂଗ୍ରହ କରିନେଇଛି। ବିଜୟଠାରୁ ଆଦିତ୍ୟ ଶ୍ରୀବାସ୍ତବଙ୍କ ଘରୋଇ ଦଳ ତଥାପି ୧୮୭ ରନ୍‌ ପଛରେ ରହିଛି।

ସମ୍ବନ୍ଧିତ ଖବର