ରଣଜୀ ଟ୍ରଫି : ବିପ୍ଲବ, ଦେବାଶିଷଙ୍କ ଶତକୀୟ ଭାଗୀଦାରି

ଓଡ଼ିଶାର ୩ ପଏଣ୍ଟ ସୁରକ୍ଷିତ

କଟକ : ବିପ୍ଲବ ସାମନ୍ତରାୟ ଓ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ଯୋଗୁଁ ସର୍ଭିସେସ୍‌ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ର ଦ୍ବିତୀୟ ଦିବସରେ ଘରୋଇ ଓଡ଼ିଶା ଦଳ ସ୍ଥିତି ମଜବୁତ କରିନେଇଛି। ଏପରିକି ଡ୍ରିମ୍ସ ପଡ଼ିଆରେ ଚାଲିଥିବା ଏଲିଟ୍‌ ଗ୍ରୁପ୍‌ ସି’ ଅନ୍ତର୍ଗତ ଏହି ମ୍ୟାଚ୍‌ରେ ପ୍ରଥମ ପାଳି ଅଗ୍ରଣୀ ନେଇ ଓଡ଼ିଶା ମଧ୍ୟ ୩ ପଏଣ୍ଟ୍‌ ସୁରକ୍ଷିତ କରିନେଇଛି। ପ୍ରଥମ ଦିବସରେ ବସନ୍ତ ମହାନ୍ତିଙ୍କ ବିସ୍ଫୋରଣରେ (୬ ୱିକେଟ୍‌ ଦଖଲ) ସର୍ଭିସେସ୍‌ ପ୍ରଥମ ପାଳି ୨୭୧ ରନ୍‌ରେ ସଫା ହୋଇଯାଇଥିଲା। ହେଲେ ଦ୍ବିତୀୟ ଦିବସରେ ଓଡ଼ିଶା ତା’ ପ୍ରଥମ ପାଳିରେ ୬ ଵିକେଟ ହରାଇ ୨୮୦ ରନ୍‌ କରି ୯ ରନ୍‌ର ଅଗ୍ରଣୀ ପାଇଯାଇଛି। ହାତରେ ଆଉ ୪ ୱିକେଟ୍‌ ବାକି ଥିବାରୁ ଦଳ ତୃତୀୟ ଦିବସ‌ରେ ସ୍ଥିତି ଆହୁରି ମଜବୁତ୍‌ କରିନେବ ବୋଲି ଲକ୍ଷ୍ୟ ରଖିଛି। ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଦେବାଶିଷ ୯୬* (୨୩୪ ବଲ୍‌, ୧୩ ଚୌକା) ରନ୍‌ କରି ନିଜର ଦ୍ବିତୀୟ ଶତକର ନିକଟତର ହୋଇଥିଲା ବେଳେ ଦେବବ୍ରତ ପ୍ରଧାନ ୮* ରନ୍‌ରେ ଅପରାଜିତ ଅଛନ୍ତି।

ପ୍ରଥମ ଦିନର ଅସମାପ୍ତ ସ୍କୋର୍‌ ୪୩/୦ରୁ ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ର ବୁଧବାର ଖେଳ ଆରମ୍ଭ କରିଥିଲେ। ସକାଳୁ ପାଗ ବୋଲରଙ୍କୁ ସୁହାଉଥିବାରୁ ଏହାର ପ୍ରମାଣ ମଧ୍ୟ ଅଧଘଣ୍ଟା ମଧ୍ୟରେ ମିଳିଯାଇଥିଲା। ଅନୁରାଗ ୩୭ ରନ୍‌ କରିଥିଲା ବେଳେ ସଦାବ ନଜରଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଦେବାଶିଷଙ୍କ ସହ ମିଶି ଶାନ୍ତନୁ ପିଚ୍‌ରେ ଜମି ଆସୁଥିବା ବେଳେ ୩୭.୪ ଓଭରରେ ସଚିଦାନନ୍ଦ ପାଣ୍ତେଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଅଧିନାୟକ ଶୁଭ୍ରା˚ଶୁ ସେନାପତି ମଧ୍ୟ ଖାତା ଖୋଲିବା ଆଗରୁ ନିଜ ଵିକେଟ ହରାଇଥିଲେ। ୮୩ ରନ୍‌ରେ ପ୍ରମୁଖ ତିନି ଜଣ ଖେଳାଳି ଆଉଟ ହେବାରୁ ଦେବାଶିଷଙ୍କ ସହ ଅଭିଜ୍ଞ ବିପ୍ଲବ ସାମନ୍ତରାୟ ପାଳି ସମ୍ଭାଳିଥିଲେ। ଉଭୟ ଚା’ପାନ ବିରତି ସୁଦ୍ଧା ଦଳୀୟ ସ୍କୋର୍‌ ୧୯୫ରେ ପହଞ୍ଚାଇ ଦେଇଥିଲେ। ଏଥିମଧ୍ୟରେ ଉଭୟେ ନିଜ ନିଜର ଅର୍ଧଶତକ ମଧ୍ୟ ଅର୍ଜନ କରିସାରିଥିଲେ। ତେବେ ବିରତିର କିଛି ସମୟ ପରେ ୮୨ ଓଭର ବେଳକୁ ନୂଆ ବଲ୍‌ ନିଆଯାଇଥିଲା। ନୂଆ ବଲ୍‌ର ସୁଇ˚କୁ ସାମ୍ନା କରିବାରେ ବିପ୍ଲବ ସମସ୍ୟାରେ ପଡୁଥିବା ଦେଖାଯାଇଥିଲା। ଯାହାର ପରିଣାମ ସ୍ବରୂପ ୭୩ ରନ୍‌ (୧୩୨ ବଲ୍‌, ୯ଚୌକା, ୧ଛକା) କରିଥିଲା ବେଳେ ଦିବେଶ ପଠାନିଆଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ତଥାପି ଆଉଟ ହେବା ପୂର୍ବରୁ ଉଭୟ ବିପ୍ଲବ ଓ ଦେବାଶିଷଙ୍କ ମଧ୍ୟରେ ଚତୁର୍ଥ ଵିକେଟରେ ମହତ୍ବପୂର୍ଣ୍ଣ ୧୨୩ ରନ୍‌ର ଭାଗୀଦାରି ହୋଇଥିଲା। ଷଷ୍ଠ ସ୍ଥାନରେ ଆସିଥିବା ଅଭିଷେକ ରାଉତ (୧) କିଛି କରିନପାରି ପଠାନିଆଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ପରେ ଦେବାଶିଷଙ୍କ ସହ ସୁଜିତ ଲେଙ୍କା ପିଚ୍‌ରେ ଯୋଗଦେଇଥିଲେ ଏବଂ ଦୁହେଁ ଧିରେଧିରେ ରନ୍‌ ଗତି ବଢାଇବାରେ ଲାଗିପଡିଥିଲେ। ସର୍ଭିସେସ୍‌ର ପ୍ରଥମ ପାଳି ସ୍କୋର୍‌ଠୁ ଆଉ ୮ରନ୍‌ ଦୂରରେ ଥିବାବେଳେ ସୁଜିତ (୨୭ ରନ୍‌, ୪୨ ବଲ୍‌, ୫ ଚୌକା) ଗଲି ଅଞ୍ଚଳରେ କ୍ୟାଚ୍‌ ଦେଇଥିଲେ। ଶେଷରେ ଦେବାଶିଷଙ୍କୁ ଉଚିତ୍‌ ସହଯୋଗ ଦେଇ ଦେବବ୍ରତ ପ୍ରଧାନ ଓଡ଼ିଶା ପାଳିକୁ ଆଗେଇ ନେଇଛନ୍ତି।

ସ˚କ୍ଷିପ୍ତ ସ୍କୋର: ସର୍ଭିସେସ୍‌ ପ୍ରଥମ ପାଳି ୬୬.୧ ଓଭରରେ ୨୭୧। ଓଡ଼ିଶା ପ୍ରଥମ ପାଳି ୧୦୪ ଓଭରରେ ୨୮୦/୬ (ଅନୁରାଗ ଷଡ଼ଙ୍ଗୀ ୩୭, ଶାନ୍ତନୁ ମିଶ୍ର ୩୬, ଦେବାଶିଷ ସାମନ୍ତରାୟ ୯୬*, ବିପ୍ଲବ ସାମନ୍ତରାୟ ୭୩, ସୁଜିତ ଲେଙ୍କା ୨୭, ଦିବେଶ ପଠାନିଆ ୨/୭୫, ସଦାବ ନଜର ୨/୬୭, ସଚିଦାନନ୍ଦ ପାଣ୍ତେ ୨/୭୪)।

ସମ୍ବନ୍ଧିତ ଖବର