ରଣଜୀ ଟ୍ରଫି, ଶାନ୍ତନୁଙ୍କ ଅର୍ଧଶତକରେ ଓଡ଼ିଶା ଆଗୁଆ

କଟକ,: ଖରାପ ଆଲୋକ ଓ କୋହଲା ପାଗ ଯୋଗୁଁ ବାରମ୍ବାର ବାଧାପ୍ରାପ୍ତ ହେଉଥିବା ରଣଜୀ ମ୍ୟାଚ୍‌ରେ ଉତ୍ତରାଖଣ୍ତ ବିପକ୍ଷରେ ଓଡ଼ିଶା ପ୍ରଥମ ପାଳି ଅଗ୍ରଣୀ ପାଇବାରେ ସକ୍ଷମ ହୋଇଛି। ଉତ୍ତରାଖଣ୍ଡର ୧୧୭ ରନ୍‌ ଜବାବରେ ଦ୍ବିତୀୟ ଦିନ ସୁଦ୍ଧା ହାତରେ ୪ ୱିକେଟ୍‌ ଥାଇ ଓଡ଼ିଶା ୨୮ ରନ୍‌ରେ ଆଗୁଆ ରହିଛି। ପ୍ରଥମତଃ ସୂଯ୍ୟୋପରାଗ ପାଇଁ ମ୍ୟାଚ୍‌ ୧୨.୧୦ ମିନିଟ୍‌ରେ ଆରମ୍ଭ ହେବାର ଥିଲା। କିନ୍ତୁ ଖରାପ ଆଲୋକ ପାଇଁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ପୁଣି କିଛି କିଛି ସମୟ ପାଇଁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲ‌ା। ଶେଷରେ ସାଢେ ୨ଟା ବେଳକୁ ଖରାପ ଆଲୋକ ପାଇଁ ପୁଣି ଥରେ ମ୍ୟାଚ୍‌ ବନ୍ଦ ରହିଥିଲା। ଏକାଧିକଥର ଅମ୍ପାୟାର ପଡ଼ିଆକୁ ଆସି ଆଲୋକ ଯାଞ୍ଚ କରିବା ପରେ ମଧ୍ୟ ମ୍ୟାଚ୍‌ ଆରମ୍ଭ ହୋଇପାରିନଥିଲା। ପୁଣି ୪ଟା ବେଳକୁ ବର୍ଷା ହେବାରୁ ସାଢେ ୪ଟା ବେଳେ ଦିନର ଅବଶିଷ୍ଟ ଖେଳକୁ ବାତିଲ କରାଯାଇଥିଲା। ତେବେ ଏହି ବାଧାପ୍ରାପ୍ତ ଦ୍ବିତୀୟ ଦିବସରେ ମାତ୍ର ୧୬ ଓଭର ଖେଳ ସମ୍ଭବ ହୋଇଥିଲା। ଆଉ ପୂର୍ବଦିନ ସ୍କୋର୍‌ ୯୮/୩ରେ ୪୭ ରନ୍‌ ଯୋଡ଼ି ଓଡ଼ିଶା ୩ ୱିକେଟ୍‌ ମଧ୍ୟ ହରାଇ ଦେଇଥିଲା।

ଦ୍ବିତୀୟ ଦିନ ପ୍ରାରମ୍ଭିକ ଖେଳାଳି ଶାନ୍ତନୁ ମିଶ୍ର ଏକାକି ଗୋଟିଏ ପଟରୁ ସ˚ଘର୍ଷପୂର୍ଣ୍ଣ ପାଳି ଖେଳି ଚାଲିଥିଲା ବେଳେ ଅନ୍ୟପଟେ ତାଙ୍କୁ ସହଯୋଗ ମିଳୁନଥିଲା। ଦିନର ତୃତୀୟ ଓଭରରେ ବିପ୍ଲବ ସାମନ୍ତରାୟ (୩୭) ଆଉଟ ହୋଇଥିଲେ। ପଛକୁ ପଛ ଅଭିଷେ ରାଉତ (୮) ଓ ସୁଜିତ ଲେଙ୍କା (୨) ନିଜ ଵିକେଟ ଫିଙ୍ଗି ଦେଇଥିଲେ। ଏହାପରେ ଦେବବ୍ରତ ପ୍ରଧାନଙ୍କ ସହ ଶାନ୍ତନୁ ଗୋଟିଏ ଦିଗରୁ ରନ୍‌ଗତି ବଢାଇଥିଲେ ଓ ଅର୍ଧଶତକ ଅର୍ଜନ କରିଥିଲେ। ଦିନର ଖେଳ ବନ୍ଦ ହେବା ବେଳକୁ ଓଡ଼ିଶା ୬ ଵିକେଟ ହରାଇ ୧୪୫ ରନ୍‌ କରିଥିଲା। ଶାନ୍ତନୁ ୫୪* ଓ ଦେବବ୍ରତ ୨* ରନ୍‌ କରି ଅପରାଜିତ ରହିଛନ୍ତି।

ସ˚କ୍ଷିପ୍ତ ସ୍କୋର: ଉତ୍ତରାଖଣ୍ତ ପ୍ରଥମ ପାଳି ୪୮.୪ ଓଭରରେ ୧୧୭। ଓଡ଼ିଶା ପ୍ରଥମ ପାଳି ୫୫.୨ ଓଭରରେ ୧୪୫/୬ (ଶାନ୍ତନୁ ମିଶ୍ର ୫୪*, ବିପ୍ଲବ ସାମନ୍ତରାୟ ୩୭, ସନ୍ନି ୨/୨୨, ପ୍ରଦୀପ ଚାମୋଲି ୨/୩୬)।

ସମ୍ବନ୍ଧିତ ଖବର