ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ହରିଆଣା ମୁକାବିଲା

କଟକ: ଲଗାତାର ତିନିଟି ବୋନସ ପଏଣ୍ଟ୍‌ ପରେ ଅମୀମା˚ସିତ ମ୍ୟାଚ୍‌ରୁ ୧ ପଏଣ୍ଟ୍‌ ପାଇ ଓଡ଼ିଶା ଦଳ ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ‘ସି’ର ଶୀର୍ଷ ସ୍ଥାନରେ ରହିଛି। ଦୁର୍ବଳ ଦଳଗୁଡ଼ିକ ବିପକ୍ଷରୁ ୭ ପଏଣ୍ଟ୍‌ ହାସଲ କରିବାରେ ସଫଳ ହେବା ପରେ ତ୍ରିପୁରା ଆଗରେ ହାର‌୍‌ ମାନିଥିଲା। ଅନ୍ୟପକ୍ଷରେ ସମାନ ସ୍ଥିତିରେ ହରିଆଣା ମଧ୍ୟ ଗତି କରୁଛି। ଯଦିଓ ଦଳ ମାତ୍ର ୧ ପଏଣ୍ଟ୍‌ରେ ଓଡ଼ିଶା ତଳକୁ ରହିଛି। କିନ୍ତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ବୋନସ ପଏଣ୍ଟ୍‌, ତୃତୀୟ ମ୍ୟାଚ୍‌ରୁ ୧ ପଏଣ୍ଟ୍‌ ଓ ଶେଷ ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇ ହରିଆଣା ଦ୍ବିତୀୟ ସ୍ଥାନକୁ ଉଠିଛି। କିନ୍ତୁ ଏବେ ଉଭୟ ଦଳ ପାଇଁ ବଳ କଷାକଷିର ପ୍ରକୃଷ୍ଟ ସମୟ ଆସିଛି। ଗ୍ରୁପ୍‌ ଶୀର୍ଷ ସ୍ଥାନ ଦଖଲ କରିବାକୁ ଘରୋଇ ଦଳ ଚେଷ୍ଟା କରିବାକୁ ଥିବା ବେଳେ ଓଡ଼ିଶା ପାଇଁ ନିଜ ସ୍ଥାନ ସୁରକ୍ଷିତ ରଖିବା ଏତେ ସହଜ ମନେହେଉନି। କାରଣ ହରିଆଣା ଦୁଇଟିଯାକ ବୋନସ ପଏଣ୍ଟ୍‌ ଲାହଲିରୁ ପାଇଥିଲା। ଏବେ ତୃତୀୟ ଘରୋଇ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଦଳୀୟ ଖାତାରେ ଆଉ ଏକ ବୋନସ ପଏଣ୍ଟ୍‌ ପକାଇବାକୁ ଦଳ ଚେଷ୍ଟା କରିବ। ଲାହଲିରେ ପାଗ ଏବେ ବହୁତ ଥଣ୍ଡା ରହୁଛି। ଏପରିକି ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡ୍ରିଗ୍ରି ମଧ୍ୟରେ ରହୁଛି। ଦିନ ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଭର୍ତ୍ତି ରହୁଛି। ତେଣୁ ମ୍ୟାଚ୍‌ ମଧ୍ୟ ବିଳମ୍ବରେ ଆରମ୍ଭ ହେବା ସମ୍ଭାବନା ଅଧିକ ରହୁଛି। ଅନ୍ୟପକ୍ଷରେ ଘରୋଇ ଖେଳାଳିଙ୍କୁ ନଜରରେ ରଖି ଘାସୁଆ ପିଚ୍‌ ପ୍ରସ୍ତୁତ କରାଯାଇଛି। ଯଦିଓ ଓଡ଼ିଶା ବୋଲରଙ୍କ ପାଇଁ ଏହା ଏକ ଭଲ ସଙ୍କେତ, କିନ୍ତୁ ହରିଆଣା ବୋଲର ଓଡ଼ିଶାଠୁ ଉପରେ ରହିବେ। ଦୁଇ ବରିଷ୍ଠ ବୋଲର ହର୍ଷଲ ପଟେଲ (୨୮ ୱିକେଟ୍‌) ଓ ଆଶିଷ ହୁଦା (୧୮ ୱିକେଟ୍‌) ମିଳିତ ଭାବେ ବିପକ୍ଷ ଦଳକୁ ଧରାଶାୟୀ କରିଆସୁଛନ୍ତି। ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଶିବମ ଚୌହାନ (୨୬୯), ଚୈତନ୍ୟ ବିଷ୍ଣୋଇ (୧୯୦), ଶୁଭମ ରୋହିଲା (୧୭୨) ଭଲ ପ୍ରଦର୍ଶନ ଦେଉଛନ୍ତି।

ବସନ୍ତ ମହାନ୍ତିଙ୍କ ନେତୃତ୍ବାଧୀନ ଓଡ଼ିଶା ବୋଲି˚ ବିଭାଗ ବର୍ତ୍ତମାନ ସୁଦ୍ଧା ଦଳ ପାଇଁ ମ୍ୟାଚ୍‌ ବାହାର କରିଆସୁଛନ୍ତି। ବ୍ୟକ୍ତିଗତ ଭାବେ ବସନ୍ତ ୨୧ ଵିକେଟ୍‌ ନେଇ ବୋଲରଙ୍କ ମଧ୍ୟରେ ଆଗରେ ଥିବାବେଳେ ରାଜେଶ ମହାନ୍ତି ୧୫, ସୂର୍ଯ୍ୟକାନ୍ତ ପ୍ରଧାନ ୧୨ ଵିକେଟ୍‌ ନେଇଛନ୍ତି। ଅଲରାଉଣ୍ତର ଦେବବ୍ରତ ପ୍ରଧାନ ମଧ୍ୟ ଠିକଣା ସମୟରେ ଵିକେଟ୍‌ ବାହାର କରୁଛନ୍ତି। ତେବେ ପପୁ ରାଏ ଓ ଅଭିଷେକ ରାଉତଙ୍କ ମଧ୍ୟରୁ ଜଣଙ୍କୁ ହରିୟାଣା ବିପକ୍ଷରେ ଖେଳିବାକୁ ସୁଯୋଗ ମିଳିପାରେ। ପିଚ୍‌ରୁ ସ୍ପିନରଙ୍କ ପାଇଁ କୌଣସି ଫାଇଦା ନଥିବାରୁ ଅଭିଷେକ ଅଲରାଉଣ୍ତର ଭାବେ ଚୂଡ଼ାନ୍ତ ଏକାଦଶରେ ଖେଳିପାରନ୍ତି। ବ୍ୟାଟ୍ସମ୍ୟାନମାନେ ମିଳିତ ଭାବେ ପ୍ରଦର୍ଶନ ଦେଇପାରୁନାହାନ୍ତି। ତଥାପି ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ ବର୍ତ୍ତମାନ ସୁଦ୍ଧା ଶତକ ହାସଲ କରିଥିଲା ବେଳେ ବିପ୍ଲବ ସାମନ୍ତରାୟ, ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ସୁଜିତ ଲେଙ୍କାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ନିୟମତ ବ୍ୟାଟ୍ସମ୍ୟାନ ଅର୍ଧଶତକ କରିପାରିନାହାନ୍ତି। ତେଣୁ ସ୍ଥିର ପ୍ରଦର୍ଶନ ଦେବାରେ ବ୍ୟାଟ୍ସମ୍ୟାନ ବିଫଳ ହେଉଥିବାରୁ ଏହି ମ୍ୟାଚ୍‌ ସେମାନଙ୍କ ପାଇଁ ମଧ୍ୟ ଆଉ ଏକ ପରୀକ୍ଷା ହେବ।

ସମ୍ବନ୍ଧିତ ଖବର