ରଣଜୀ ଟ୍ରଫି : ଓଡ଼ିଶାକୁ ପାଳି ଅଗ୍ରଣୀ

ଦ୍ବିତୀୟ ପାଳିରେ ଆସାମ ୧୦୨/୦

କଟକ : ପ୍ରଭାବୀ ବ୍ୟାଟି˚ ପରେ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ ଡ୍ରିମ୍ସରେ ଚାଲିଥିବା ରଣଜୀ ଟ୍ରଫିରେ ଆସାମ ବିପକ୍ଷରେ ଓଡ଼ିଶା ପାଳି ଅଗ୍ରଣୀ ପାଇଛି। ଆସାମ ପ୍ରଥମ ପାଳି ୨୩୮ ରନ୍‌ରେ ଅଟକିବା ସହ ଫଲୋଅନ୍‌ ହେବା ପରେ ଦ୍ବିତୀୟ ପାଳିରେ ତୃତୀୟ ଦିନ ଷ୍ଟମ୍ସ ଅପସାରଣ ବେଳକୁ ବିନା କୌଣସି କ୍ଷତିରେ ୧୦୨ ରନ୍‌ କରିଛି। ଶୁଭମ୍‌ ମଣ୍ତଳ ୪୦ ଓ କୁନାଲ ସାଇକିଆ ୬୨ ରନ୍‌ରେ ଅପରାଜିତ ଅଛନ୍ତି। ଗୁରୁବାର ମ୍ୟାଚ୍‌ର ଶେଷ ଦିନ ହୋଇଥିବାରୁ ଓଡ଼ିଶାକୁ ଜିତିବା ପାଇଁ ହେଲେ ଆସାମର ସମସ୍ତ ଵିକେଟ ଖସାଇବା ଜରୁରି ହୋଇପଡ଼ିଛି। ଯଦି ବି ଓଡ଼ିଶା ବୋଲରମାନେ ଆସାମକୁ ଆଉଟ ନକରିପାରନ୍ତି, ତଥାପି ୩ ପଏଣ୍ଟ ସୁରକ୍ଷିତ ହୋଇସାରିଛି।

ଦ୍ବିତୀୟ ଦିନର ଅସମାପ୍ତ ପ୍ରଥମ ପାଳି ସ୍କୋର୍‌ ୫୯/୩ ରୁ ଆସାମ ବୁଧବାର ଖେଳିଥିଲା। ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଋଷଭ ଦାସ ୩୭ ଓ ରିୟାନ ପରାଗ ୪୩ ରନ୍‌ରେ ଆଉଟ ହେବା ପରେ ମଧ୍ୟକ୍ରମରେ କୁନାଲ ସାଇକିଆ ଓ ରଞ୍ଜିତ ମାଳି ଦଳକୁ ରକ୍ଷା କରିବା ପାଇଁ ଲାଗିପଡ଼ିଥିଲେ। ଉଭୟ ଅଷ୍ଟମ ଵିକେଟରେ ୫୮ ରନ୍‌ ଯୋଡ଼ିଥିଲେ। ଅର୍ଧଶତକ ଅର୍ଜନ କରି ଖେଳୁଥିବା କୁନାଲଙ୍କୁ ୫୨ ରନ୍‌ରେ ଦେବବ୍ରତ ପ୍ରଧାନ ଆଉଟ କରି ଯୋଡ଼ି ଭାଙ୍ଗିଥିଲେ। ଶେଷ ପର୍ଯ୍ୟନ୍ତ ରଞ୍ଜିତ ସ˚ଘର୍ଷ ଜାରି ରଖିବା ସହ ଅର୍ଧଶତକ ହାସଲ କରିଥିଲେ। ତେବେ ସ୍କୋର୍‌ ୨୩୮ ରନ୍‌ ବେଳେ ର˚ଜିତ (୫୯) ଶେଷ ଖେଳାଳି ଭାବେ ଆଉଟ ହୋଇଥିଲେ। ଦେବବ୍ରତ ପ୍ରଧାନ ୪, ଅଭିଷେକ ରାଉତ ୨, ରାଜେଶ ମହାନ୍ତି, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରତ୍ୟେକ ୧ ଵିକେଟ ଲେଖାଏ ନେଇଥିଲେ।

ଫଲୋଅନ୍‌ ହେବା ପରେ ଆସାମ ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ତୃତୀୟ ଦିନ ଖେଳ ଶେଷ ହେବା ବେଳକୁ ୩୧ ଓଭରରେ ୧୦୨ ରନ୍‌ କରିଛି। ଏହି ପାଳିରେ ଶୁଭମ୍‌ ମଣ୍ତଳଙ୍କ ସହ କୁନାଲ ସାଇକିଆଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ମିଳିଥିଲା। ଉଭୟ ପୂର୍ବ ତ୍ରୁଟି ନଦୋହରାଇ ରକ୍ଷଣାତ୍ମକ ଖେଳ ଜାରି ରଖିଥିଲେ। ଶୁଭମ୍‌ ୧୦୪ ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ସହାୟତାରେ ୪୦ ରନ୍‌ କରିଥିଲା ବେଳେ କୁନାଲ ୮୨ ବଲ୍‌ରୁ ୧୦ ଚୌକା ସହାୟତାରେ ୬୨ ରନ୍‌ କରି ଅପରାଜିତ ଅଛନ୍ତି।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୪୩୬। ଆସାମ ପ୍ରଥମ ପାଳି ୮୨.୨ ଓଭରରେ ୨୩୮ (ଋଷଭ ଦାସ ୩୭, ରିୟାନ ପରାଗ ୪୩, କୁନାଲ ସାଇକିଆ ୫୨, ରଞ୍ଜିତ ମାଳି ୫୯, ଦେବବ୍ରତ ପ୍ରଧାନ ୪/୩୯, ଅଭିଷେକ ରାଉତ ୨/୪୧, ରାଜେଶ ମହାନ୍ତି ୧/୭୦, ବସନ୍ତ ମହାନ୍ତି ୧/୩୫, ସୂର୍ଯ୍ୟକାନ୍ତ ପ୍ରଧାନ ୧/୩୩)। ଆସାମ ଦ୍ବିତୀୟ ପାଳି ୩୧ ଓଭରରେ ୧୦୨/୦ (ଶୁଭମ ମଣ୍ତଳ ୪୦*, କୁନାଲ ସାଇକିଆ ୬୨*)।

ଗୋଟିଏ ଦିନରେ କୁନାଲଙ୍କ ଦୁଇ ଅର୍ଧଶତକ
ପ୍ରଥମ ଶ୍ରେଣୀ କ୍ରିକେଟରେ ଆସାମର ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ କୁନାଲ ସାଇକିଆ ଏକ ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଗୋଟିଏ ଦିନରେ କୁନାଲ ଦୁଇଟି ଅର୍ଧଶତକ ହାସଲ କରିଛନ୍ତି। ଓଡ଼ିଶା ବିପକ୍ଷରେ ଡ୍ରିମ୍ସରେ ଚାଲିଥିବା ରଣଜୀ ଟ୍ରଫିର ତୃତୀୟ ଦିନରେ ଏହି ଘଟଣା ଦେଖିବାକୁ ମିଳିଥିଲା। ପ୍ରଥମ ପାଳିରେ ଫଲୋଅନ୍‌ ହୋଇଥିବା ଆସାମ ଦଳ ପକ୍ଷରୁ ପ୍ରଥମ ଅର୍ଧଶତକ ହାସଲ କରିଥିବା କୁନାଲ ୫୨ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହି ପାଳି ମଧ୍ୟରେ ସେ ୭୮ ବଲ୍‌ର ସାମ୍ନା କରିଥିଲା ବେଳେ ୮ ଚୌକା ମାରିଥିଲେ। ତେବେ ଅପରାହ୍ନରେ ଚା’ ବିରତିର ଠିକ୍‌ ପୂର୍ବରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପାଳିରେ ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଖେଳିବାକୁ ଆସିଥିଲେ। ଏଥିରେ ସେ ଅଧିକ ରକ୍ଷଣାତ୍ମକ ହୋଇଯିବା ସହ ୮୨ ବଲ୍‌ରୁ ୧୦ ଚୌକା ସହାୟତାରେ ୬୨ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର