ଭୁବନେଶ୍ବର: ବାରବାଟୀରେ ଓଡ଼ିଶା ରଣଜୀ ଦଳ ଫଲୋଅନ୍ ଡାକରା ପରେ ଲଢ଼ୁଆ ବ୍ୟାଟିଂ କରିଛି। କିନ୍ତୁ ପରାଜୟର ବିପଦ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ। ଭ୍ରମଣକାରୀ ଆନ୍ଧ୍ରପ୍ରଦେଶର ପ୍ରଥମ ପାଳି ୪୭୫/୭ ଜବାବରେ ଓଡ଼ିଶା ମାତ୍ର ୧୫୧ ରନ୍ କରି ସମସ୍ତ ୱିକେଟ୍ ହରାଇବାରୁ ଫଲୋଅନ୍ ଡାକରା ପାଇଛି। କିନ୍ତୁ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ୍ରେ ୧୯୦ ରନ୍ ସଂଗ୍ରହ କରି ନେଇଥିବାରୁ ପରାଜୟ ଏଡ଼ାଇବା ସମ୍ଭାବନା ସୃଷ୍ଟି ହୋଇଛି। ଶୁଭ୍ରାଂଶୁ ସେନାପତିଙ୍କ ଦଳ ଏବେ ବି ୧୩୪ ରନ୍ ପଛରେ ରହିଛି। ମଙ୍ଗଳବାର ଶେଷ ଦିନ ହୋଇଥିବାରୁ ଓଡ଼ିଶା ବ୍ୟାଟର୍ଙ୍କୁ ବିପଦମୁକ୍ତ ହେବାକୁ ଅଧିକ ସଂଯମତା ଦେଖାଇବାକୁ ପଡ଼ିବ।
ଓଡ଼ିଶା ମଙ୍ଗଳବାର ସକାଳେ ସଂଘର୍ଷପୂର୍ଣ୍ଣ ସ୍ଥିତି ୮୦/୪ରୁ ଖେଳିବା ପରେ ଆନ୍ଧ୍ରପ୍ରଦେଶ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ବାହାର କରି ଘରୋଇ ଦଳକୁ ୧୫୧ ରନ୍ରେ ଶେଷ କରି ଦେଇଥିଲେ। କେବଳ ପୂର୍ବତନ ଅଧିନାୟକ ସନ୍ଦୀପ ପଟ୍ଟନାୟକ ଲଢ଼ି ନିଜ ଅର୍ଦ୍ଧଶତକ (୧୩୧ ବଲ୍ରୁ ୫୮ ରନ୍, ୧୦ ଚୌକା) ପୂର୍ଣ୍ଣ କରିଥିଲେ। ଅନ୍ୟ କୌଣସି ବ୍ୟାଟର୍ ଭାଗୀଦାର ଦେବାରେ ବିଫଳ ହୋଇଥିଲେ। ଶେଷ ୪ ୱିକେଟ୍ ମାତ୍ର ୧୧ ରନ୍ରେ ଝଡ଼ିପଡ଼ିଥିଲା। ସନ୍ଦୀପ ଆଉଟ୍ ହେବା ପରେ ଓଡ଼ିଶା ୧୫୧ ରନ୍ ସ୍କୋର୍ରେ ହିଁ ଶେଷ ୩ ୱିକେଟ୍ ହରାଇ ଦେଇଥିଲା। ଆନ୍ଧ୍ରପ୍ରଦେଶ ପକ୍ଷରୁ ଦ୍ରୁତ ବୋଲର କାବୁରି ସାଇତେଜା ଏବଂ ଦୁଇ ସ୍ପିନର୍ ସୌରଭ କୁମାର ଓ ତ୍ରିପୂରଣ ବିଜୟ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ ୩୨୪ ରନ୍ ପଛରେ ପଡ଼ିଥିବା ଓଡ଼ିଶା ତୁରନ୍ତ ଫଲୋଅନ୍ ଡାକରା ବି ପାଇଥିଲା। କିନ୍ତୁ ଏଥର ପ୍ରାରମ୍ଭିକ ଯୋଡ଼ି ଗୌରବ ଚୌଧୁରୀ ଓ ସ୍ବସ୍ତିକ ସାମଲ ୬୬ ରନ୍ର ଭାଗୀଦାର ଗଢ଼ିବା ପରେ ଅଲଗା ହୋଇଥିଲେ।
ଗୌରବ-ସନ୍ଦୀପଙ୍କ ଶତକୀୟ ଭାଗୀଦାର ଦେଲା ଆଶା
 ଗୋଟିଏ ଦିନରେ ସନ୍ଦୀପଙ୍କ ଦୁଇଟି ଅର୍ଦ୍ଧଶତକ
ସ୍ବସ୍ତିକ (୩୬)ଙ୍କୁ ରିକି ଭୁଇ ରନ୍ ଆଉଟ୍ କରି ଓଡ଼ିଶାକୁ ପ୍ରଥମ ଝଟ୍କା ଦେଇଥିଲେ। ଏହି ସମୟରେ କିନ୍ତୁ ଗୌରବଙ୍କ ସହ ଯୋଗ ଦେଇ ସନ୍ଦୀପ ପଟ୍ଟନାୟକ ଗୋଟିଏ ଦିନରେ ଦୁଇ ଥର ଅର୍ଦ୍ଧଶତକ ହାସଲ କରିବାର ବିରଳ ସଫଳତା ପାଇଥିଲେ। କିନ୍ତୁ ପ୍ରଥମ ପାଳି ଭଳି ଏହା ପରେ ଆଉଟ୍ ହୋଇଯାଇଥିଲେ। ୧୨୫ ବଲ୍ରୁ ୬ ଚୌକା ଓ ୨ ଛକା ସହାୟତାରେ ୬୩ ରନ୍ କରି ବାମହାତୀ ସ୍ପିନର୍ ସୌରଭ କୁମାରଙ୍କ ଶିକାର ହୋଇଥିଲେ। ଗୌରବଙ୍କ ସହ ୧୧୦ ରନ୍ ଭାଗୀଦାର କରିସାରିଥିଲେ। ଷ୍ଟମ୍ପ୍ସ ବେଳକୁ ଗୌରବ ଚୌଧୁରୀ (୧୬୩ ବଲ୍ରୁ ୭୯* ରନ୍) ଏବଂ ଗୋବିନ୍ଦ ପୋଦ୍ଦାର (୧୪ ବଲ୍ରୁ ୪* ରନ୍) ବ୍ୟାଟିଂ କରୁଥିଲେ।
ସଂକ୍ଷିପ୍ତ ସ୍କୋର: ଆନ୍ଧ୍ରପ୍ରଦେଶ ପ୍ରଥମ ପାଳି: ୪୭୫/୭, ଘୋଷଣା (ସେକ୍ ରସିଦ୍-୧୪୦*, ଶ୍ରୀକର ଭରତ-୯୩, ଅଭିଷେକ ରେଡ୍ଡୀ-୭୬, ସୌରଭ କୁମାର-୬୯,  ଗୋବିନ୍ଦ ପୋଦ୍ଦାର-୨/୮୦, ସମ୍ବିତ ବରାଳ-୨/୮୫, ତରଣୀ ସ’-୧/୫୩, ବାଦଲ ବିଶ୍ବାଳ-୧/୧୧୩, ରାଜେଶ ମହାନ୍ତି-୧/୧୧୮)। ଓଡ଼ିଶା ପ୍ରଥମ ପାଳି: ୫୮ ଓଭରରେ ୧୫୧/୧୦ (ସନ୍ଦୀପ ପଟ୍ଟନାୟକ-୫୮, ଗୌରବ ଚୌଧୁରୀ-୪୮, ତ୍ରିପୂରଣ ବିଜୟ-୩/୧୪, କାବୁରି ସାଇତେଜା-୩/୩୦, ସୌରଭ କୁମାର-୩/୩୨)। ଦ୍ବିତୀୟ ପାଳି (ଫଲୋଅନ୍) ୫୮ ଓଭରରେ ୧୯୦/୨ (ଗୌରବ ଚୌଧୁରୀ-୭୯*, ସନ୍ଦୀପ ପଟ୍ଟନାୟକ-୬୩, ସ୍ବସ୍ତିକ ସାମଲ-୩୬, ଗୋବିନ୍ଦ ପୋଦ୍ଦାର-୪*, ସୌରଭ କୁମାର-୧/୩୬)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/fsfhxbvbvbv-2025-11-04-01-12-10.jpg)