ଭୁବନେଶ୍ବର: ବଡ଼ୋଦରାର ମୋତିବାଗ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଚାଲିଥିବା ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ସମ୍ମୁଖରେ ୪୩୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ବରୋଦା। ତୃତୀୟ ଦିନ ଶେଷ ସୁଦ୍ଧା ଓଡ଼ିଶା ୧ ୱିକେଟ୍ ବିନିମୟରେ ୧୦୩ ରନ୍ ସଂଗ୍ରହ କରି ଅନ୍ୟୂନ ଡ୍ର’ ଆଶା କାଏମ ରଖିଛି। ଅନୁରାଗ ଷଡ଼ଙ୍ଗୀ (୧୧୩ ବଲ୍‌ରୁ ୫୬ ରନ୍, ୬ ଚୌକା, ୨ ଛକା) ଏବଂ ଅଧିନାୟକ ଶାନ୍ତନୁ ମିଶ୍ର (୧୧୭ ବଲ୍‌ରୁ ୪୧* ରନ୍, ୪ ଚୌକା) ପ୍ରଥମ ୱିକେଟ୍ ପାଇଁ ୯୫ ରନ୍ ଉଠାଇ ଏହି ସମ୍ଭାବନା ସୃଷ୍ଟି କରିଛନ୍ତି। ଦିନରେ ଚତୁର୍ଥ ଶେଷ ଓଭରରେ ଅନୁରାଗ ଆଉଟ୍ ହୋଇଥିବା ବେଳେ ଶାନ୍ତନୁଙ୍କ ସହ ସନ୍ଦୀପ ପଟ୍ଟନାୟକ (୧*, ୧୦ ବଲ୍‌) ଷ୍ଟମ୍ପ୍ସ ବେଳକୁ ବ୍ୟାଟିଂ କରୁଥିଲେ। ହାତରେ ୯ ୱିକେଟ୍‌ ଥିଲେ ମଧ୍ୟ ବିଜୟ ପାଇଁ ଓଡ଼ିଶାକୁ ଶେଷ ଦିନରେ ଆହୁରି ୩୨୯ ରନ୍‌ ଆବଶ୍ୟକ ରହିଛି।
ରବିବାର ବରୋଦା ଏହାର ଅସମାପ୍ତ ଦ୍ବିତୀୟ ପାଳିକୁ ୪୩/୧ରୁ ଖେଳିବା ପରେ ୨୫୮/୪ରେ‌ ଘୋଷଣା କରିଥିଲା। ଶାଶ୍ବତ ରାୱତ (୧୫୪ ବଲ୍‌ରୁ ୧୦୨ ରନ୍) ଶତକ ହାସଲ କରିଥିବା ବେଳେ ଅଧିନାୟକ ତଥା ୱିକେଟରକ୍ଷକ ବ୍ୟାଟର୍‌ ବି‌‌ଷ୍ଣୁ ‌ସୋଲାଙ୍କୀ (୧୦୮ ବଲ୍‌ରୁ ୭୯ ରନ୍) ୧୩୯ ରନ୍‌ର ଭାଗୀଦାରି କରିଥିଲେ। ଜ୍ୟୋତ୍ସ୍ନୀଲ ସିଂହ (୬୭ ବଲ୍‌ରୁ ୩୩ ରନ୍) ଓ ଅଭିମନ୍ୟୁ ସିଂହ ରାଜପୁତ (୧୯ ବଲ୍‌ରୁ ୩୦* ରନ୍) ଉପ‌ଯୋଗୀ ପାଳି ଖେଳିଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ୨ ଓ ଜୟନ୍ତ ବେ‌ହେରା ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

Advertisment

ସଂକ୍ଷିପ୍ତ ସ୍କୋର: ବରୋଦା ପ୍ରଥମ ପାଳି: ୩୫୧ (‌ମିତେଶ ପଟେଲ୍‌-୧୧୬, ଜ୍ୟୋତ୍ସ୍ନୀଲ ସିଂହ-୭୩, ଅତୀତ ସେଠ-୫୭, ରାଜେଶ ମହାନ୍ତି-୪/୭୪, ସୂର୍ଯ୍ୟକାନ୍ତ ପ୍ରଧାନ-୨/୮୬)। ଓଡ଼ିଶା ପ୍ରଥମ ପାଳି: ୧୭୮ (ଗୋବିନ୍ଦ ପୋଦ୍ଦାର-୬୮, ଶାନ୍ତନୁ ମିଶ୍ର-୪୫, ଅତୀତ ସେଠ-୩/୫୦, ନିନାଦ ରାଠୱା-୨/୨୧, ଭାର୍ଗବ ଭଟ୍ଟ-୨/୨୮। ବରୋଦା ଦ୍ବିତୀୟ ପାଳି: ୬୧ ଓଭରରେ ୨୫୮/୪, ଘୋଷିତ (ଶାଶ୍ବତ ରାୱତ-୧୦୨, ବିଷ୍ଣୁ ସୋଲାଙ୍କୀ-୭୯, ଜ୍ୟୋତ୍ସ୍ନୀଲ ସିଂହ-୩୩, ଅଭିମନ୍ୟୁସିଂ ରାଜପୁତ-୩୦*, ଦେବବ୍ରତ ପ୍ରଧାନ-୨/୨୦, ଗୋବିନ୍ଦ ପୋଦାର-୧/୬୦, ଜୟନ୍ତ ବେହେରା-୧/୧୦୩)। ଓଡ଼ିଶା ଦ୍ବିତୀୟ ପାଳି: ୪୦ ଓଭରରେ ୧୦୩/୧ (ଅନୁରାଗ ଷଡ଼ଙ୍ଗୀ-୫୬, ଶାନ୍ତନୁ ମିଶ୍ର-୪୧*, ସନ୍ଦୀପ ପଟ୍ଟନାୟକ-୧*, ଅତୀତ ସେଠ-୧/୨୦)।