ରଣଜୀ ଟ୍ରଫି: ସ’ ଆକ୍ରମଣ ପରେ ଓଡ଼ିଶା ଅଙ୍କୁଶ

ରାହାଣେ ଅର୍ଧଶତକରୁ ବଞ୍ଚିତ: ପ୍ରଥମ ଦିନରେ ମୁମ୍ବାଇ ୨୬୪/୬

ଭୁବନେଶ୍ୱର: କିଟ୍‌ ପଡ଼ିଆରେ ଆରମ୍ଭ ହୋଇଥିବା ଓଡ଼ିଶା-ମୁମ୍ବାଇ ରଣଜୀ ମୁକାବିଲାରେ ତାରକା ଖଚିତ ମୁମ୍ବାଇକୁ ଓଡ଼ିଶା ବୋଲର ଏକପ୍ରକାର ଦୋହଲାଇ ଦେଇଛନ୍ତି। ପ୍ରଥମ ଅଧିବେଶନରେ ସେତେଟା ଭଲ ବୋଲିଂ କରି ନଥିଲେ ମଧ୍ୟ ପରବର୍ତୀ ଦୁଇ ଅଧିବେଶନରେ ମ୍ୟାଚ୍‌କୁ ଫେରି ପ୍ରଥମ ଦିନର ସମ୍ମାନ ବାଣ୍ଟିବାକୁ ଶକ୍ତିଶାଳୀ ମୁମ୍ବାଇକୁ ବାଧ୍ୟ କରିଛନ୍ତି। ବୁଧବାରର ୯୦ ଓଭର ଖେଳରେ ଅନ୍ତର୍ଜାତୀୟ ତାରକା ଅଜିଙ୍କ୍ୟ ରାହାଣେଙ୍କ ସହ ମୁମ୍ବାଇର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଓଡ଼ିଶା ପାଭିଲିୟନ ଫେରାଇବା ପରେ ମ୍ୟାଚ୍‌ରେ ରୋମାଞ୍ଚ ଭରି ଯାଇଛି।। ଶତକ ହାସଲକାରୀ ପୃଥ୍ଵୀ ସ’ ଏବଂ ରାହାଣେଙ୍କୁ ଆଉଟ୍‌ କରି ବସନ୍ତ ମହାନ୍ତି ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଯୁଗଳ ଝଟ୍‌କା ପର ହିଁ ଖେଳ ନୂଆ ମୋଡ଼ ନେଇଛି। ପିଚ୍‌ ବୋଲରଙ୍କୁ ସୁହାଉଥିବାରୁ ଏବେ ସବୁ କିଛି ଘରୋଇ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରୁଛି। ସେହିଭଳି ଗୁରୁବାର ମୁମ୍ବାଇକୁ ଓଡ଼ିଶା କେତେ ରନ୍‌ରେ ରୋକୁଛି ତାହା ମଧ୍ୟ ବେଶ୍‌ ଗୁରୁତ୍ୱ ବହନ କରୁଛି। ମୁମ୍ବାଇ ପ୍ରଥମ ଦିନରେ ଆଶାଜନକ ବ୍ୟାଟିଂ କରି ପାରି ନଥିଲେ ମଧ୍ୟ ୧୭ ବର୍ଷୀୟ ତାରକା ସ’ (୧୦୫ ରନ୍‌, ୧୫୩ ବଲ୍‌, ୧୮ ଚୌକା)ଙ୍କ ଯାଦୁ ତାଙ୍କ ଦଳକୁ ଉଲ୍ଲସିତ କରିଛି। ସ’ଙ୍କ ଜାଜ୍ଜୁଲ୍ୟମାନ ଓ ଦ୍ରୁତ ଶତକ ବି ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ହୋଇଛି। ଏହା ସତ୍ତ୍ୱେ ୪୧ ଥର ବିଜେତା ମୁମ୍ବାଇ ମାତ୍ର ୩ ରନ୍‌ ହାରରେ ରନ୍‌ କରି ପ୍ରଥମ ଦିନର ଖେଳ ବନ୍ଦ ବେଳକୁ ୬ ଓ୍ଵିକେଟ୍‌ ହରାଇ ୨୬୪ ରନ୍‌ କରିବାର ଶ୍ରେୟ ଓଡ଼ିଶା ବୋଲରଙ୍କୁ ଯାଏ।

ମୁମ୍ବାଇ ଦଳରେ ୪ ଜଣ ଅନ୍ତର୍ଜାତୀୟ ଖେଳାଳି ଥିବାରୁ ଆରମ୍ଭରୁ ଓଡ଼ିଶା ବୋଲର ଚାପରେ ପଡ଼ିଯିବେ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏଭଳି କିଛି ଘଟିନଥିଲା। ଷଷ୍ଠ ଓଭରର ପ୍ରଥମ ବଲ୍‌ରେ ହିଁ ଅଭିଜ୍ଞ ବୋଲର ବସନ୍ତ ମହାନ୍ତି ମୁମ୍ବାଇକୁ ଜବରଦସ୍ତ ଝଟ୍‌କା ଦେଇଥିଲେ। ଗତ ମ୍ୟାଚ୍‌ର ଶତକ ହାସଲକାରୀ ଅଖିଳ ହରଓ୍ଵାଦେକର (୧୪)ଙ୍କୁ ବୋଲ୍ଡ କରି ଓଡ଼ିଶାକୁ ସେ ପ୍ରଥମ ଓ୍ଵିକେଟ୍‌ ଉପହାର ଦେଇଥିଲେ। ତା’ ସହ ବ୍ୟକ୍ତିଗତ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୩୦୦ ଓ୍ଵିକେଟ୍‌ ପୂରଣ କରିଥିଲେ। ଏହା ପରେ କିନ୍ତୁ ସ’ ଏବଂ ରାହାଣେ (୪୯ ରନ୍‌, ୧୨୨ ବଲ୍‌, ୮ ଚୌକା) ପୂରା ଆଧିପତ୍ୟ ବିସ୍ତାର କରି ଖେଳିଥିଲେ। ସ’ ଯେମିତି ନିଜ ବିଶ୍ୱ ସ୍ୱରୂପ ଦେଖାଇ ଚୌକା ବର୍ଷା କରିଥିଲେ। ୧୮ ଚୌକା ସହ ୧୦୫ ରନ୍‌ର ପାଳି ଖେଳି ଓଡ଼ିଶା ବୋଲରଙ୍କୁ ନୟାନ୍ତ କରିଥିଲେ। ପିଚ୍‌ ବୋଲରଙ୍କୁ ସୁହାଉଥିବାରୁ ରାହାଣେ ଦେଖିଚାହିଁ ଖେଳୁଥିଲା ବେଳେ ସ’ ନିଜ ସ୍ୱାଭାବିକ ଖେଳ ଖେଳି ଦ୍ରୁତ ବ୍ୟାଟିଂ କରି ଚାଲିଥିଲେ। ରାହାଣେ ଏବଂ ସେ ମିଶି ଦ୍ୱିତୀୟ ଓ୍ଵିକେଟ୍‌ରେ ୧୩୬ ରନ୍‌ ଯୋଡ଼ିଥିଲେ। ସ’ଙ୍କୁ ବସନ୍ତ ଏଲ୍‌ବିଡବ୍ଲ୍ୟୁ କରି ଯୋଡ଼ି ଭାଙ୍ଗିଥିଲେ। ଓଡ଼ିଶା ବି ତାଙ୍କୁ ପାଭିଲିୟନ ଫେରିବା ଦେଖି ଆଶ୍ଵସ୍ତ ହୋଇଥିଲା। ଏହା ପରେ ସୂର୍ଯ୍ୟକାନ୍ତ ପ୍ରଧାନ ରାହଣେଙ୍କୁ ଅର୍ଧଶତକ ପୂରଣ କରିବାର ସୁଯୋଗ ଦେଇ ନଥିଲେ। ରାହାଣେ ୪୯ ରନ୍‌ରେ ଥିଲା ବେଳେ ସେ ତାଙ୍କୁ ଓ୍ଵିକେଟ୍‌ ରକ୍ଷକ ସୌରଭ ରାଓ୍ଵତଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ବିପ୍ଳବଙ୍କ ଯୁଗଳ ଝଟ୍‌କା କିନ୍ତୁ ମୁମ୍ବାଇକୁ ବେଶ୍‌ ବାଧିଥିଲା। ଚା’ ପାନ ବିରତି ପରେ ନିଜ ଦ୍ୱିତୀୟ ସ୍ପେଲର ପ୍ରଥମ ଏବଂ ତୃତୀୟ ଓଭରରେ ସୂର୍ଯ୍ୟକୁମାର ଯାଦବ (୨୩) ଏବଂ ସିଦେଶ ଲାଡ଼ (୩୩)ଙ୍କୁ ଆଉଟ୍‌ କରି ସେ ମୁମ୍ବାଇକୁ ପଛକୁ ଠେଲି ଦେଇଥିଲେ। ୮୧ ତମ ଓଭରରେ ସ୍ପିନର ଧିରାଜ ସିଂହ ବିପଜ୍ଜନକ ଅଭିଷେକ ନାୟରଙ୍କୁ ଆଉଟ୍‌ କରି ଓଡ଼ିଶାକୁ ଷଷ୍ଠ ସଫଳତା ପ୍ରଦାନ କରିଥିଲେ। ଏହା ପରେ ଅଧିନାୟକ ଆଦିତ୍ୟ ତାରେ (୨୮*) ଏବଂ ଆକାଶ ପାର୍କର(୩*) ଧୈର୍ଯ୍ୟର ସହ ଖେଳି ଓଡ଼ିଶା ବୋଲରଙ୍କୁ ନିଜ ଦଳର ଆଉ କ୍ଷତି ଘଟାଇବାକୁ ଦେଇ ନଥିଲେ। ଓଡ଼ିଶା ବୁଧବାର ସକାଳେ ଟସ୍‌ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ବସନ୍ତଙ୍କ ୩୦୦

କିଟ୍‌ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ମୁମ୍ବାଇ ବିପକ୍ଷ ରଣଜୀ ମୁକାବିଲାର ପ୍ରଥମ ଦିନରେ ବସନ୍ତ ମହାନ୍ତି ୩୦୦ ଓ୍ଵିକେଟ୍‌ର ମାଇଲଖୁଣ୍ଟ ଛୁଇଁଛନ୍ତି। ମୁମ୍ବାଇ ପାଳିର ଷଷ୍ଠ ଓଭରର ପ୍ରଥମ ବଲ୍‌ରେ ଅଖିଳ ହରଓ୍ଵାଦେକରଙ୍କୁ ବୋଲ୍ଟ କରି ସେ ଏହି କ୍ଲବରେ ସାମିଲ ହୋଇଥିଲେ। ଏପରି କରିବାରେ ସେ ତୃତୀୟ ଓଡ଼ିଆ ଏବଂ ଓଡ଼ିଶାର ଦ୍ୱିତୀୟ ବୋଲର ହୋଇଥିଲେ। ତାଙ୍କ ପୂର୍ବରୁ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଏଭଳି ସଫଳତା ହାସଲ କରିଥିଲେ। ହାଇଦ୍ରାବାଦ ଓ ବେଙ୍ଗଲର ପ୍ରତିନଧିତ୍ୱ କରିଥିବା ଓଡ଼ିଆ ବୋଲର ପ୍ରଜ୍ଞାନ ଓଝା ମଧ୍ୟ ଏହି କୀର୍ତ୍ତିମାନ କରି ସାରିଛନ୍ତି। ଚଳିତ ରଣଜୀ ଋତୁ ଆରମ୍ଭ ବେଳକୁ ବସନ୍ତ ୨୯୮ ଓ୍ଵିକେଟ୍‌ରେ ଥିଲେ। ଆନ୍ଧ୍ର ବିପକ୍ଷରେ ଗୋଟିଏ ଓ୍ଵିକେଟ୍‌ ନେବା ପରେ ଏହା ୨୯୯ରେ ପହଞ୍ଚିଥିଲା। ବୁଧବାର ଅଖିଳ ବସନ୍ତଙ୍କ ୩୦୦ତମ ଶିକାର ହୋଇଥିଲେ। ଘରୋଇ ପଡ଼ିଆରେ ୩୦୦ତମ ଓ୍ଵିକେଟ୍‌ ହାସଲ କରିଥିବାରୁ ଏହା ବ୍ୟକ୍ତିଗତ ଭାବେ ବସନ୍ତଙ୍କ ପାଇଁ ସ୍ମରଣୀୟ ହୋଇ ଯାଇଛି। ଏହି ସଫଳତା ମୋ ପାଇଁ ସେତେବେଳେ ସ୍ମରଣୀୟ ହେବ, ଯେତେବେଳେ ଓଡ଼ିଶା ଆଗୁଆ ହେବ। ମୁଁ ସବୁବର୍ଷ ଚେଷ୍ଟା କରେ ଓଡ଼ିଶାକୁ ଆଉଟ୍‌ ରାଇଟ୍‌ ବିଜୟ ଦେବାକୁ। କିଟ୍‌ରେ ମୁଁ ସେହି ଚେଷ୍ଟା କରିବି। ଯେତେ ଅଧିକ ଓ୍ଵିକେଟ୍‌ ନେବି ସେତେ ଭଲ ଲାଗିବ। ଆଗରୁ ଦେବା ଭାଇ (ଦେବାଶିଷ ମହାନ୍ତି) ଚାପ ନେଉଥିଲେ। ଏବେ ମୁଁ ସେହି ଚାପ ନେଉଛି। ମୁଁ ଚାହୁଁଥିଲି ଭୁବନେଶ୍ୱରରେ ୩୦୦ ଓ୍ଵିକେଟ୍‌ ନେବାକୁ, ଏହା ହୋଇଥିବାରୁ ବହୁତ ଖୁସି ଲାଗୁଛି ବୋଲି ବସନ୍ତ ନିଜ ପ୍ରତିକ୍ରିୟା କହିଥିଲେ। ଗତ ଦଶନ୍ଧି ଧରି ଓଡ଼ିଶା ବୋଲିଂ ବାହିନୀର ପ୍ରମୁଖ ସଦସ୍ୟ ରହି ଆସିଥିବା ବସନ୍ତ ୮୧ ମ୍ୟାଚ୍‌ ଖେଳି ୩୦୧ (ମୁମ୍ବାଇ ମ୍ୟାଚ୍‌ ପ୍ରଥମ ଦିନ ସୁଦ୍ଧା) ଓ୍ଵିକେଟ୍‌ ନେଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଜୀବନରେ ବେଙ୍ଗଲର ମନୋଜ ତିଓ୍ଵାରୀ ବସନ୍ତଙ୍କ ପ୍ରଥମ ଶିକାର ହୋଇଥିଲେ। ତିଓ୍ଵାରୀଙ୍କ ଓ୍ଵିକେଟ୍‌ ମୋ ପାଇଁ ସବୁଠାରୁ ସ୍ମରଣୀୟ ବୋଲି ସେ କହିଛନ୍ତି। ସେହିଭଳି ମନଦୀପ ସିଂହ ଶତକୀୟ, ଜୟନ୍ତ ଯାଦବ ବସନ୍ତଙ୍କ ଦ୍ୱିଶତକୀୟ ଶିକାର ହୋଇଥିଲେ। ଓଡ଼ିଆଙ୍କ ମଧ୍ୟରେ ପ୍ରଜ୍ଞାନ ୧୦୫ ମ୍ୟାଚ୍‌ ଖେଳି ୪୨୨ ଓ୍ଵିକେଟ୍‌ ନେଇଛନ୍ତି। ସେଥିମଧ୍ୟରେ ରହିଛି ୨୩ ପାଞ୍ଚ ଓ୍ଵିକେଟ୍‌ ଏବଂ ୩ ଦଶ ଓ୍ଵିକେଟ୍‌ ସଫଳତା। ଦେବାଶିଷ ୧୧୭ ମ୍ୟାଚ୍‌ରୁ ୪୧୭ ଓ୍ଵିକେଟ୍‌ ନେଇଛନ୍ତି। ସେଥିମଧ୍ୟରେ ରହିଛି ୧୫ ପାଞ୍ଚ ଏବଂ ୩ ଦଶ ଓ୍ଵିକେଟ୍‌ ସଫଳତା। ଅନ୍ୟମାନଙ୍କ ମଧ୍ୟରେ ରଞ୍ଜୀବ ବିଶ୍ୱାଳ, ସଞ୍ଜୟ ଶତପଥୀ, ଧୀରାଜ ସିଂହ, ସଞ୍ଜୟ ରାଉଳ ପ୍ରମୁଖ ୧୦୦ ଓ୍ଵିକେଟ୍‌ କ୍ଲବରେ ରହିଛନ୍ତି।

ପୃଥ୍ଵୀ ପରାକ୍ରମ: ପଞ୍ଚମ ମ୍ୟାଚ୍‌ରେ ଚତୁର୍ଥ ଶତକ

ମୁମ୍ବାଇର ୧୭ ବର୍ଷୀୟ ତାରକା ପୃଥ୍ଵୀ ସ’ ପୁଣି ଥରେ ତାଙ୍କ ଯାଦୁ ଦେଖାଇଛନ୍ତି। କିଟ୍‌ ପଡ଼ିଆରେ ୧୦୫ ରନ୍‌ର ପାଳି ଖେଳି ଚଳିତ ଋତୁରେ ସେ ନିଜ ଚତୁର୍ଥ ପ୍ରଥମ ଶ୍ରେଣୀ ଶତକ ହାସଲ କରିଛନ୍ତି। ୧୮ ବର୍ଷରୁ କମ୍‌ ବୟସରେ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କଠାରୁ ଅଧିକ ପ୍ରଥମ ଶ୍ରେଣୀ ଶତକ ଅର୍ଜନ କରିଥିଲେ। ଓଡ଼ିଶା ବିପକ୍ଷରେ ୧୫୩ ବଲ୍‌ରୁ ୧୦୫ ରନ୍‌ର ପାଳି ଖେଳିଥିବା ସ’ଙ୍କ ଆଜିର ରନ୍‌ କରିବା ହାର ଥିଲା ୬୮.୬୩। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ନିଜ ଜାଜ୍ଜୁଲ୍ୟମାନ ପାଳିରେ ୧୮ ଚୌକା ମାରିଥିଲେ। ଶେଷରେ ମୁମ୍ବାଇ ପାଳିର ୪୪ତମ ଓଭରରେ ବସନ୍ତ ମହାନ୍ତିଙ୍କ ଶିକାର ହୋଇଥିଲେ। ନିଜ ପ୍ରଥମ ରଣଜୀ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିବା ପୃଥ୍ଵୀ ଦଲୀପ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ବି ଶତକ ହାସଲ କରିଥିଲେ। ସେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଅଭ୍ୟାସ ମ୍ୟାଚ୍‌ ଖେଳି ୬୬ ରନ୍‌ର ପାଳି ଖେଳିଥିଲେ। ଏଥିପାଇଁ ନ୍ୟୁଜିଲାଣ୍ଡର ଦ୍ରୂତ ବୋଲର ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ମନଖୋଲି ପ୍ରଶଂସା କରିଥିଲେ। ଓଡ଼ିଶାରେ ପ୍ରଥମ ଥର ଖେଳି ଶତକ ହାସଲ କରିଥିବାରୁ ବେଶ୍‌ ଖୁସି ଲାଗୁଛି। ପିଚ୍‌ ଉଚ୍ଚ ନିଚ୍ଚ ରହୁଥିଲା। ପ୍ରଥମ ଏକ ଘଣ୍ଟା ଟିକିଏ କଷ୍ଟକର ଥିଲା। ତଥାପି ମୁଁ ମୋ ସ୍ୱାଭାବିକ ଖେଳ ଖେଳିଥିଲି। ଓଡ଼ିଶାର ସବୁ ବୋଲର ଭଲ ବୋଲିଂ କରୁଥିଲେ। କୌଣସି ଜଣେ ବୋଲର ମୋ ଉପରେ ଚାପ ପକାଇଥିଲେ ବୋଲି କହି ପାରିବି ନାହିଁ। ଆମକୁ ଆହୁରି ଭଲ କରିବାର ଥିଲା। ହେଲେ ଏହା ହେଲାନି। ସେହିଭଳି ବ୍ୟକ୍ତିଗତ ଭାବେ ମୁଁ ଆହୁରି ବଡ଼ ସ୍କୋର କରିଥିଲେ ଅଧିକ ଖୁସି ଲାଗି ଥଆନ୍ତା ବୋଲି ଖେଳ ପରେ ସମ୍ବାଦକୁ ସ’କହିଥିଲେ।

ସମ୍ବନ୍ଧିତ ଖବର