କଟକ: ଟାଙ୍ଗୀସ୍ଥିତ ଡ୍ରିମ୍ସ୍ ଖେଳ ପଡିଆରେ ଶୁକ୍ରବାରଠାରୁ ଓଡ଼ିଶା-ଉତ୍ତରାଖଣ୍ଡ ରଣଜୀ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ୩ ୱିକେଟ୍ରେ ୨୩୨ ରନ୍ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି। ବୈଭବ ଭଟ୍ଟ ୧୦୧* ରନ୍ ଓ ସ୍ବପ୍ନିଲ ସିଂହ ୨୧* ରନ୍ରେ ଅପରାଜିତ ଅଛନ୍ତି। ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ ଓ ହର୍ଷିତ ରାଠୋଡ଼ ୧ ୱିକେଟ୍ ଲେଖାଏଁ ନେଇଛନ୍ତି।
ଶୁକ୍ରବାର ଉତ୍ତରାଖଣ୍ଡ୍ ଟସ୍ ଜିତି ବ୍ୟାଟିଂ କରିଥିଲା। ଓଡ଼ିଶା ଗୋଟିଏ ପରିବର୍ତ୍ତନ କରିଥିଲା। ଅନୁରାଗ ଷଡ଼ଙ୍ଗୀଙ୍କ ବଦଳରେ ପ୍ରୟାସ ସିଂହଙ୍କୁ ସାମିଲ କରି ଖେଳିବାକୁ ଆସିଥିଲା। ପ୍ରଥମ ଓଭରରୁ ରାଜେଶ ମହାନ୍ତି ଓଡ଼ିଶାକୁ ସଫଳତା ଦେଇଥିଲେ। ଓଭରର ତୃତୀୟ ବଲ୍ରେ କୁନାଲ୍ ଚାନ୍ଦେଲା ସୁଇଂରେ ବିଫଳ ହୋଇ ୱିକେଟକିପର ଆଶୀର୍ବାଦ ସ୍ବାଇଁଙ୍କ ହାତକୁ କ୍ୟାଚ୍ ଦେଇ ଫେରିଥିଲେ। ଅଷ୍ଟମ ଓଭରରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍ ସଂଜୀତ ସଜୱାନଙ୍କୁ ସୁନିଲ ରାଉଳ ବୋଲ୍ଡ କରି ଓଡ଼ିଶାକୁ ଦ୍ବିତୀୟ ସଫଳତା ଦେଇଥିଲେ। ଉତ୍ତରାଖଣ୍ଡ ୨୨/୨ରେ ସଂଘର୍ଷ କରୁଥିବାବେଳେ ବୈଭବ ଭଟ୍ଟ (୧୦୧*, ୨୮୯ ବଲ୍, ୧୨ ଚୌକା, ୧ ଛକା) ଓ ପଞ୍ଜାବୀ ଅଧିନାୟକ ଜୀବନଜ୍ୟୋତ ସିଂହ (୯୦, ୧୭୮ ବଲ୍, ୧୦ ଚୌକା) ଉତ୍ତରାଖଣ୍ଡ ପାଳିକୁ ଆଗେଇ ନେଇଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୬୩.୩ ଓଭରରେ ୧୮୦ ରନ୍ ଯୋଡ଼ିଥିଲେ। ୭୨ତମ ଓଭରର ପ୍ରଥମ ବଲ୍ରେ ଜୀବନଜ୍ୟୋତ ଶତକଠୁ ଆଉ ୧୦ ରନ୍ ଦୂରରେ ଥିବା ବେଳେ ହର୍ଷିତ ରାଠୋଡ୍ଙ୍କୁ ବଡ଼ ସଟ୍ ମାରିବାକୁ ଯାଇ ଷ୍ଟମ୍ପିଂ ହୋଇଥିଲେ। ଯୋଡ଼ି ଭାଙ୍ଗିବା ସତ୍ତ୍ବେ ବୈଭବ ଅନ୍ୟ ପଟରୁ ରକ୍ଷଣାତ୍ମକ ଖେଳ ଜାରି ରଖି ଦ୍ବିତୀୟ ପ୍ରଥମ ଶ୍ରେଣୀ ଶତକ ଅର୍ଜନ କରିଛନ୍ତି। ସଂକ୍ଷିପ୍ତ ସ୍କୋର: ଉତ୍ତରାଖଣ୍ଡ ପ୍ରଥମ ପାଳି ୯୦ ଓଭରରେ ୨୩୨/୩ (ବୈଭବ ଭଟ୍ଟ-୧୦୧*, ଜୀବନଜ୍ୟୋତ ସିଂହ-୯୦, ସ୍ବପ୍ନିଳ କୁମାର ସିଂହ-୨୧*, ରାଜେଶ ମହାନ୍ତି-୧/୨୫, ସୁନିଲ ରାଉଳ-୧/୪୩, ହର୍ଷିତ ରାଠୋଡ଼-୧/୬୭)।