ରଣଜୀ ଟ୍ରଫି: ବିଜୟଙ୍କ ଶତକ, ତାମିଲନାଡୁ ୨୯୨/୩

କଟକ: ଟେଷ୍ଟ ତାରକା ମୁରଲୀ ବିଜୟଙ୍କ ଦମ୍‌ଦାର ଶତକ (୧୪୦) ଓ ନାରାୟଣ ଜଗଦୀଶାନ (୮୮)ଙ୍କ ପ୍ରଥମ ଅର୍ଧଶତକ ବଳରେ ତାମିଲନାଡୁ ଡ୍ରିମ୍ସ ରଣଜୀ ମ୍ୟାଚରେ ଭଲ ଆରମ୍ଭ କରିଛି। ଓଡ଼ିଶା ବିପକ୍ଷ ଏହି ମ୍ୟାଚରେ ଅତିଥି ଦଳ ପ୍ରଥମ ଦିନରେ ୩ ଓ୍ଵିକେଟ ହରାଇ ୨୯୨ରନ୍‌ ସଂଗ୍ରହ କରିନେଇଛି। ତଥାପି ଓଡ଼ିଶାକୁ ବିଜୟଙ୍କ ରୂପରେ ମିିଳିଥିବା ବିଳମ୍ବିତ ସଫଳତା ଗୋବିନ୍ଦଙ୍କ ବାହିନୀକୁ କିଛିଟା ଆଶ୍ୱସ୍ତି ଦେଇଛି। ତାମିଲନାଡୁ ଟସ୍‌ ଜିତି ବ୍ୟାଟିଂ କରିଥିଲା। ଏଥର ଆଶାନୁରୂପକ ଭାବେ ଉଭୟ ଦଳରେ ଦୁଇଟି ଲେଖାଏଁ ପରିବର୍ତ୍ତନ କରାଯାଇଥିଲା। ଓଡ଼ିଶା ଦଳରେ ସୌରଭ ରାଓ୍ଵତଙ୍କ ସ୍ଥାନରେ ଓ୍ଵିକେଟ ରକ୍ଷକ ରାଜେଶ ଧୂପର ଏବଂ ଦୀପକ ବେହେରାଙ୍କ ବଦଳରେ ଆଲୋକ ସାହୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଥିଲା। ସେହିପରି ତାମିଲନାଡୁ କୌଶିକ ଗାନ୍ଧୀ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ବାବା ଅପରାଜିତ ଓ ଭି ଲକ୍ଷ୍ମଣଙ୍କୁ ଏହି ମ୍ୟାଚରେ ସୁଯୋଗ ଦେଇଛି।

ଆରମ୍ଭରୁ ହାତ ଖୋଲିବାକୁ ମୌକା ପାଇନଥିବା ତାମିଲନାଡୁ ବ୍ୟାଟ୍ସମ୍ୟାନ ଦିନର ପ୍ରଥମ ଘଣ୍ଟା ପରେ ଚିରାଚରିତ ଢଙ୍ଗରେ ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ଏକ ଭୁଲ୍‌ ବୁଝାମଣାର ଶିକାର ହୋଇ ଅଧିନାୟକ ଅଭିନବ ମୁକୁନ୍ଦ (୧୨) ରନ୍‌ ଆଉଟ ହୋଇଯାଇଥିଲେ। ଏହା ପରଠୁ ବିଜୟଙ୍କ ସହ ଜଗଦୀଶାନ ତାମିଲନାଡୁ ପାଇଁ ଦୃଢ ମୂଳଦୁଆ ପକାଇଥିଲେ। ୧୧.୨ ଓଭରରେ ଅଭିନବ ପଏଣ୍ଟ ଅଞ୍ଚଳକୁ ରକ୍ଷଣାତ୍ମକ ଖେଳି ରନ୍‌ ନେବାକୁ ଯାଉଥିଲାବେଳେ ଅଧାରେ ବିଜୟ ତାଙ୍କୁ ମନା କରିଦେଇଥିଲେ। କ୍ରିଜ୍‌କୁ ଫେରିବା ବେଳକୁ ଅଭିନବଙ୍କ ଗୋଡ଼ ଖସିଯାଇଥିଲା। ଧୀରାଜ ସିଂହ ତାଙ୍କୁ ରନ୍‌ ଆଉଟ କରିବାରେ ସଫଳ ହୋଇଥିଲେ। ବିଜୟ ଓ ଜଗଦୀଶାନ ଛୋଟ ରନ୍‌ କରି ପାଳି ଆଗକୁ ବଢାଇଥିଲେ। ଜଗଦୀଶାନଙ୍କୁ ରନ୍‌ଆଉଟ କରିବାର ଦୁଇଟି ସୁଯୋଗ ହାତଛଡ଼ା ହେବାରୁ ଏହାର ଫାଇଦା ନେଇ ସେ ପ୍ରଥମ ଅର୍ଧଶତକ ଅର୍ଜନ କରିଥିଲେ। ମଧ୍ୟାହ୍ନ ବିରତି ବେଳକୁ ତାମିଲନାଡୁ ୧ ଓ୍ଵିକେଟ ବିନିମୟରେ ୧୦୨ ରନ୍‌ ସଂଗ୍ରହ କରିଥିଲା। ବିରତି ପରେ ଜଗଦୀଶାନ ଶତକ ଆଡକୁ ଅଗ୍ରସର ହେଉଥିବାବେଳେ ଗୋବିନ୍ଦ ପୋଦ୍ଦାରଙ୍କ ଶିକାର ହୋଇଥିଲେ। ଗୋଡ଼ ଉପରେ ପଡ଼ିଥିବା ବଲ୍‌କୁ ଜଗଦୀଶାନ କ୍ରସ୍‌ ଖେଳୁଥିବାବେଳେ ବ୍ୟାଟ୍‌ ଏଜ୍‌ ନେଇ ତାହା ଓ୍ଵିକେଟରକ୍ଷକ ରାଜେଶ ଧୂପରଙ୍କ ଗ୍ଲୋଭ୍‌ସରେ ପହଞ୍ଚିଥିଲା। ଆଉଟକୁ ନେଇ ସେ ସାମାନ୍ୟ ଅସନ୍ତୁଷ୍ଟ ହୋଇଥିଲେ ମଧ୍ୟ ବିଜୟଙ୍କ ସହ ଦ୍ୱିତୀୟ ଓ୍ଵିକେଟରେ ମହତ୍ୱପୂର୍ଣ୍ଣ ୧୪୫ ରନ୍‌ ଭାଗୀଦାରି କରିଥିଲେ। ଏହାପରେ ବାବା ଇନ୍ଦ୍ରଜିତଙ୍କ ମିଶି ବିଜୟ ଦଳୀୟ ସ୍କୋରକୁ ୨୫୦ ପାର୍‌ କରାଇଥିଲେ। ୭୦ତମ ଓଭରର ପଞ୍ଚମ ବଲ୍‌ରେ ଧୀରାଜଙ୍କ ବଲ୍‌କୁ ବିଜୟ ପଏଣ୍ଟ ଅଞ୍ଚକୁ ଚୌକା ମାରି ତାଙ୍କର ୨୧ତମ ପ୍ରଥମଶ୍ରେଣୀ ଶତକ ହାସଲ କରିଥିଲେ। ତେବେ ପ୍ରଥମ ଦିନର ଖେଳ ଶେଷ ହେବାର କିଛି ସମୟ ପୂର୍ବରୁ (୮୫.୫ ଓଭର) ବିଜୟଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ନିଜ ବୋଲିଂରେ କ୍ୟାଚ୍‌ ନେଇ ଓଡ଼ିଶାକୁ ବଡ଼ ଆଶ୍ୱସ୍ତି ଦେଇଥିଲେ। ବିଜୟ ୨୭୩ ବଲ୍‌ର ସମ୍ମୁଖୀନ ହୋଇ ୧୫ ଚୌକା ଓ ୧ଛକା ସହାୟତାରେ ୧୪୦ ରନ୍‌ କରିଥିଲେ। ଦିନର ଷ୍ଟମ୍ପ ଅପସାରଣ ବେଳକୁ ବାବା ଇନ୍ଦ୍ରଜିତ ୪୧ ଓ ବିଜୟ ଶଙ୍କର ୮ରନ୍‌ରେ ଅପରାଜିତ ଅଛନ୍ତି।

ସଂକ୍ଷିପ୍ତ ସ୍କୋର: ତାମିଲନାଡୁ ପ୍ରଥମ ପାଳି ୨୯୨/୩ (ମୁରଲୀ ବିଜୟ-୧୪୦, ନାରାୟଣ ଜଗଦୀଶାନ-୮୮, ବାବା ଇନ୍ଦ୍ରଜିତ-୪୧*, ବିଜୟ ଶଙ୍କର-୮*, ସୂର୍ଯ୍ୟକାନ୍ତ ପ୍ରଧାନ-୧/୪୮, ଗୋବିନ୍ଦ ପୋଦ୍ଦାର-୧/୭୧)।

ସମ୍ବନ୍ଧିତ ଖବର