କଟକ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ପ୍ରତିପକ୍ଷ ବୋଲରଙ୍କ ନିଦ ହଜାଇ ଦେଉଥିଲା ବେଳେ ‘ଡ୍ରିମ୍ସ’ରେ ଅନ୍ୟ ଜଣେ ରୋହିତ ଶର୍ମା ଓଡ଼ିଶା ବ୍ୟାଟର୍‌ଙ୍କ ଉପରେ ଭାରି ପଡ଼ିଛନ୍ତି। କ୍ୟାରିୟରର ଅଷ୍ଟାଦଶ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥିବା ଡାହାଣହାତୀ ଦ୍ରୁତ ବୋଲର ରୋହିତ ପ୍ରଥମ ଥର ୫-ୱିକେଟ୍‌ ସଫଳତା ନେଇ ଓଡ଼ିଶା ପ୍ରଥମ ପାଳିକୁ ୧୩୦ରେ ସୀମିତ କରିଥିଲେ। କେବଳ ରୋହିତ ନୁହନ୍ତି ଆନ୍ତର୍ଜାତିକ ତାରକା ଉମ୍ରାନ୍‌ ମଲ୍ଲିକ ଓ ଉମର ନାଜିର ମିର୍‌ ୨-୨ ୱିକେଟ୍‌ ନେଇ ଓଡ଼ିଶାକୁ ଓଡ଼ିଶାରେ ଘାଇଲା କରିଦେଇଛନ୍ତି। ଦ୍ବିତୀୟାର୍ଦ୍ଧରେ ଜମ୍ମୁ କଶ୍ମୀର ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୪୫/୪ ସ୍କୋର କରିଛି। ବ୍ୟାଟର୍‌ଙ୍କ ନିରାଶା ପରେ ସୁନୀଲ ରାଉଳ (୨), ସୂର୍ଯ୍ୟକାନ୍ତ ପ୍ରଧାନ (୧) ଓ ରାଜେଶ ମହାନ୍ତି (୧) ମ୍ୟାଚ୍‌କୁ ନିୟନ୍ତ୍ରଣକୁ ଆଣିଛନ୍ତି। ତେଣୁ ପ୍ରଥମ ଦିନରେ କେବଳ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା ବେଳେ ଗୋବିନ୍ଦ ପୋଦ୍ଦାର ଏକମାତ୍ର ବ୍ୟାଟର ଭାବେ ଅର୍ଦ୍ଧଶତକ (୫୫) ଅର୍ଜନ କରିପାରିଥିଲେ।

Advertisment

ଡ୍ରିମ୍‌ସ ଖେଳ ପଡ଼ିଆରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଜମ୍ମୁ-କଶ୍ମୀର ଟସ୍ ଜିତି କ୍ଷେତ୍ର ରକ୍ଷଣ କରିଥିଲା। ଘରୋଇ ଅଧିନାୟକ ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ରକ୍ଷଣାତ୍ମକ ଆରମ୍ଭ କରିଥିଲା ବେଳେ ୨୩.୨ ଓଭରରେ ୪୧ ରନ୍‌ ଭାଗୀଦାରି ହୋଇଥିଲା। କିନ୍ତୁ ରୋହିତ ଗୋଟିଏ ଓଭରରେ ଅନୁରାଗ (୧୧) ଓ ସନ୍ଦୀପ ପଟ୍ଟନାୟକ (୦) ଙ୍କୁ ଆଉଟ୍‌ କରି ଓଡ଼ିଶାକୁ ଯୁଗଳ କ୍ଷତି ପହଞ୍ଚାଇଥିଲେ। ଏହା ପରଠୁ ଦଳର ୱିକେଟ୍‌ ପତନ ଧାରା ଲାଗି ରହିଥିଲା। ମାତ୍ର ପରବର୍ତ୍ତୀ ୨୬ ରନ୍‌‌ ଭିତରେ ଓଡ଼ିଶାର ୮ଜଣ ବ୍ୟାଟର୍‌ ପାଭିଲିୟନ୍‌ ଫେରିଯାଇଥିଲେ। ଗତ ମ୍ୟାଚ୍‌ର ଦ୍ବିଶତକ ଅର୍ଜନକାରୀ ଶୁଭ୍ରାଂଶୁ ସେନାପତି (୪) ଓ ରାଜେଶ ଧୂପର (୭)ଙ୍କୁ ଉମ୍ରାନ ମଲ୍ଲିକ ଆଉଟ୍‌ କରିଥିଲା ବେଳେ ଶାନ୍ତନୁ (୨୮), କାର୍ତ୍ତିକ ବିଶ୍ବାଳ (୪), ସୂର୍ଯ୍ୟକାନ୍ତ ପ୍ରଧାନ(୦)ଙ୍କୁ ରୋହିତ ଆଉଟ୍‌ କରି ୫-ୱିକେଟ୍‌ ସଫଳତା ପାଇଛନ୍ତି। ତିନି ଅଙ୍କକୁ ନେଇ ଆଶଙ୍କାରେ ଥିବା ଓଡ଼ିଶା ଦଳକୁ ବିପର୍ଯ୍ୟୟରୁ ଗୋବିନ୍ଦ ପୋଦାର ରକ୍ଷା କରିଛନ୍ତି। ଗୋବିନ୍ଦ ଓ ରାଜେଶ ମହାନ୍ତିଙ୍କ ‌ଯୋଡ଼ି ୪୧ ବଲ୍‌ରୁ ୪୯ ରନ୍‌ ଯୋଗ କରି ଦଳକୁ ଶତକ ଅତିକ୍ରମ କରାଇଥିଲେ। ୧୧ ରନ୍‌ କରିଥିବା ବେଳେ ରାଜେଶ ଆଉଟ୍‌ ହୋଇଯିବାରୁ ଗୋଟିଏ ଓଭର ବ୍ୟବଧାନରେ ଗୋବିନ୍ଦ ମଧ୍ୟ ଶେଷ ୱିକେଟ୍‌ ଭାବେ ପ୍ୟାଭିଲିୟନକୁ ଫେରିଛନ୍ତି। କିନ୍ତୁ ଆଉଟ୍‌ ହେବା ପୂର୍ବରୁ ଗୋବିନ୍ଦ ୬୨ ବଲ୍‌ରୁ ମହତ୍ତ୍ୱପୂର୍ଣ୍ଣ ୫୫ ରନ୍‌ (୯ ଚୌକା) ସଂଗ୍ରହ କରିଛନ୍ତି। ଜମ୍ମୁ କଶ୍ମୀର ମଧ୍ୟ ଓଡ଼ିଶା ଭଳି ସମଦଶା ଭୋଗିଛି। ଦଳର ବିଭ୍ରାନ୍ତ ଶର୍ମା ଓ ଶୁଭମ୍‌ ଖଜୁରିଆ (୨୪) ୩୯ ରନ୍‌ ଭାଗୀଦାରି କରିଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ ଷଷ୍ଠ ଓଭରରେ ଖଜୁରିଆଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରି ପ୍ରଥମ ସଫଳତା ପାଇଥିବା ବେଳେ ସୁନିଲ ରାଉଳ ଲଗାତାର ଓଭରରେ ବିଭ୍ରାନ୍ତ (୧୪) ଓ ଅଭିନବ ପୁରୀ (୧)ଙ୍କୁ ଆଉଟ୍‌ କରିଥିଲେ। ଅବଦୁଲ ସମଦ (୧)ଙ୍କୁ ରାଜେଶ ପ୍ରଥମ ଶିକାର କରିଥିଲେ। ଷ୍ଟମ୍ପ୍ ପ୍ରତ୍ୟାହାର ବେଳକୁ ଶୁଭମ୍‌ ପୁନ୍ଦିର ୨* ଓ ଫଜିଲ୍‌ ରସିଦ୍‌ ୨* ଅପରାଜିତ ଅଛନ୍ତି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୪୭.୨ ଓଭରରେ ୧୩୦/୧୦ (ଗୋବିନ୍ଦ ପୋଦ୍ଦାର-୫୫, ଶାନ୍ତନୁ ମିଶ୍ର-୨୮, ଅନୁରାଗ ଷଡଙ୍ଗୀ-୧୧, ରାଜେଶ ମହାନ୍ତି-୧୧, ରୋହିତ ଶର୍ମା-୫/୧୨, ଉମର ନଜିର ମିର୍‌-୨/୨୭, ଉମ୍ରାନ୍‌ ମଲ୍ଲିକ-୨/୩୪)। ଜମ୍ମୁ କଶ୍ମୀର ପ୍ରଥମ ପାଳି: ୧୮ ଓଭରରେ ୪୫/୪ (ଶୁଭମ ଖଜୁରିଆ-୨୪, ବିଭ୍ରାନ୍ତ ଶର୍ମା-୧୪, ସୁନିଲ ରାଉଳ-୨/୮, ରାଜେଶ ମହାନ୍ତି-୧/୧୮, ସୂର୍ଯ୍ୟକାନ୍ତ ପ୍ରଧାନ-୧/୧୮)।