ରଣଜୀ ଟ୍ରଫି: ଦେବାଶିଷ ୧୯୫, ଓଡ଼ିଶା ୫୪୦

ପାଳି ପରାଜୟ ଆଶଙ୍କାରେ ସର୍ଭିସେସ୍‌

କଟକ: ଦେବାଶିଷ ସାମନ୍ତରାୟଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି ଏବଂ ନିମ୍ନକ୍ରମରେ ଦେବବ୍ରତ ପ୍ରଧାନ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପରିପକ୍ବ ବ୍ୟାଟିଂ ବଳରେ ଡ୍ରିମ୍ସରେ ଚାଲିଥିବା ସର୍ଭିସେସ୍‌ ବିପକ୍ଷ ରଣଜୀ ଟ୍ରଫିରେ ଓଡ଼ିଶା ପ୍ରଥମ ପାଳିରେ ୫୪୦ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିଛି। ଏହି ପାଳିରେ ଦେବାଶିଷ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୯୫ (୪୦୩ ବଲ୍‌, ୨୩ ଚୌକା) ରନ୍‌ରେ ଆଉଟ ହୋଇଥିଲେ। ଫଳରେ ପ୍ରଥମ ଦ୍ବିଶତକରୁ ମାତ୍ର ୫ ରନ୍‌ ପାଇଁ ବଞ୍ଚିତ ହୋଇଥିଲେ। ଓଡ଼ିଶାର ୨୬୯ ରନ୍‌ର ଅଗ୍ରଣୀ ଜବାବରେ ସର୍ଭିସେସ୍‌ ତା’ ଦ୍ବିତୀୟ ପାଳି ମଧ୍ୟ ନିରାଶଜନକ ପ୍ରଦର୍ଶନ କରିଛି। ତୃତୀୟ ଦିନ ଖେଳ ବନ୍ଦ ହେବା ବେଳକୁ ସର୍ଭିସେସ୍‌ ୯୬ ରନ୍‌ରେ ୩ ଵିକେଟ ହରାଇଛି। ଏବେ ବି ଭ୍ରମଣକାରୀ ଦଳ ହାତରେ ୭ ୱିକେଟ୍‌ ଥାଇ ୧୮୩ ରନ୍‌ ପଛରେ ରହିଛି। ନକୁଲ ବର୍ମା ୩୧ ରନ୍‌ରେ ରନ୍‌ଆଉଟ ହୋଇଥିଲା ବେଳେ ମମତାଜ କାଦିର (୩୧) ଓ ରବି ଚୌହାନ (୨)ଙ୍କୁ ରାଜେଶ ମହାନ୍ତି ଆଉଟ୍‌ କରିଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ରଜତ ପାଲିଵାଲ ୬* ଓ ରାହୁଲ ସି˚ହ ଗେହଲଟ ୧୪* ରନ୍‌ କରି ଖେଳୁଛନ୍ତି।

ଦ୍ବିତୀୟ ଦିନ ଓଡ଼ିଶା ପାଳି ସମ୍ଭାଳିଥିବା ଦେବାଶିଷ ଓ ଦେବବ୍ରତ ଗୁରୁବାର ତାଙ୍କ ପାଳିକୁ ଲମ୍ବାଇଥିଲେ। ଏଥିମଧ୍ୟରେ ଦେବାଶିଷ ବ୍ୟକ୍ତିଗତ ତଥା ସର୍ଭିସେସ୍‌ ବିପକ୍ଷରେ ଦ୍ବିତୀୟ ଶତକ ଅର୍ଜନ କରିଥିଲେ। ତାଙ୍କୁ ଉଚିତ ସହଯୋଗ କରିଆସୁଥିବା ଦେବବ୍ରତ ପ୍ରଥମ ଥର ପାଇଁ ଅର୍ଧଶତକର ଅନୁଭୂତି ପାଇଥିଲେ। ୮୪ ବଲ୍‌ରୁ ୭ ଚୌକା ଓ ୨ ଛକା ସହାୟତାରେ ୫୭ ରନ୍‌ କରି ଆଉଟ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକାନ୍ତ ପ୍ରଧାନ ଚିରାଚରିତ ଢଙ୍ଗରେ ଆରମ୍ଭରୁ ଆକ୍ରମଣ କରିଦେଇଥିଲେ। ୯ ଓଭରରେ ୮୧ ରନ୍‌ର ଭାଗୀଦାରି କରିବା ପରେ ସୂର୍ଯ୍ୟକାନ୍ତ ଦ୍ରୁତ ଖେଳିବା ଚକ୍କରରେ ନିଜ ଵିକେଟ ହରାଇଥିଲେ। ତଥାପି ଆଉଟ ହେବା ପୂର୍ବରୁ ୬୪ (୨୮ ବଲ୍‌, ୪ ଚୌକା, ୬ ଛକା) ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ରାଜେଶ ମହାନ୍ତି ମଧ୍ୟ ଏହି ଧାରାରେ ସାମିଲ ହୋଇ ୪୩ ବଲ୍‌ରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୨୭ ରନ୍‌ କରିଥିଲେ। ଶେଷରେ ବସନ୍ତ ମହାନ୍ତି ହିଁ ଦେବାଶିଷଙ୍କୁ ପ୍ରଥମ ଦ୍ବିଶତକ ହାସଲ କରିବାରେ ସାହାୟତା କରିପାରିବେ ବୋଲି ଆଶା ଥିଲା। କିନ୍ତୁ ଦେବାଶିଷ ୧୯୫ ରନ୍‌ କରିଥିଲା ବେଳେ ଅରୁଣ ବାମଲଙ୍କୁ ତାଙ୍କ ବୋଲି˚ରେ ଫେରନ୍ତା କ୍ୟାଚ୍‌ ଦେଇଥିଲେ। ପାଳି ଶେଷ ବେଳକୁ ବସନ୍ତ ୧୪ ରନ୍‌‌ରେ ଅପରାଜିତ ରହିଥିଲେ। ଏହି ପାଳିରେ ସର୍ଭିସେସ୍‌ର ଅରୁଣ ବାମଲ ସର୍ବାଧିକ ୪ ଵିକେଟ ଅକ୍ତିଆର କରିଥିଲା ବେଳେ ଦିବେଶ ପଠାନିଆ, ସଦାବ ନଜର, ସଚିଦାନନ୍ଦ ପାଣ୍ତେ ଦୁଇଟି ଲେଖାଏ ଵିକେଟ ନେଇଥିଲେ।

ପ୍ରଥମ ପାଳିରେ ୨୭୧ ରନ୍‌ କରିଥିବା ସର୍ଭିସେସ୍‌ ଦ୍ବିତୀୟ ପାଳି ଆରମ୍ଭରୁ ସନ୍ତୋଷଜନକ ହୋଇନଥିଲା। ଯଦିଓ ନକୁଲ ବର୍ମା ଓ ମମତାଜ କାଦିର ରକ୍ଷଣାତ୍ମକ ଖେଳି ଅର୍ଧଶତକୀୟ ଭାଗୀଦାରି କରିଥିଲେ, ତଥାପି ନକୁଳଙ୍କୁ ଅଭିଷେକ ରାଉତଙ୍କ ରନ୍‌ଆଉଟ ଓଡ଼ିଶାକୁ ଆଶ୍ବସ୍ତ କରିଥିଲା। ତାଙ୍କ ପଛକୁ ମମତାଜ ଓ ରବି ଚୌହାନଙ୍କୁ ଲଗାତର ଓଭରରେ ଆଉଟ୍‌ କରି ରାଜେଶ ମହାନ୍ତି ଓଡ଼ିଶାକୁ ଦୃଢ଼ ସ୍ଥିତି ଦେଇଥିଲେ। ଏଥି ସହିତ ସର୍ଭିସେସ୍‌ ପାଳି ପରାଜୟ ଆଙ୍କାରେ ପଡ଼ିଯାଇଛି।

ସ˚କ୍ଷିପ୍ତ ସ୍କୋର: ସର୍ଭିସେସ୍‌ ପ୍ରଥମ ପାଳି ୬୬.୧ ଓଭରରେ ୨୭୧। ଓଡ଼ିଶା ପ୍ରଥମ ପାଳି ୧୬୦.୨ ଓଭରରେ ୫୪୦ (ଦେବାଶିଷ ସାମନ୍ତରାୟ ୧୯୫, ବିପ୍ଲବ ସାମନ୍ତରାୟ ୭୩, ଦେବବ୍ରତ ପ୍ରଧାନ ୫୭, ସୂର୍ଯ୍ୟକାନ୍ତ ପ୍ରଧାନ ୬୪, ଅରୁଣ ବାମଲ ୪/୧୧୬, ଦିବେଶ ପଠାନିଆ ୨/୧୧୬, ସଦାବ ନଜର ୨/୮୧, ସଚିଦାନନ୍ଦ ପାଣ୍ତେ ୨/୧୩୫)। ସର୍ଭିସେସ୍‌ ଦ୍ବିତୀୟ ପାଳି ୩୦ ଓଭରରେ ୮୬/୩ (ନକୁଲ ବର୍ମା ୩୧, ମମତାଜ କାଦିର ୩୧, ରଜତ ପାଲିଵାଲ ୬*, ରାହୁଲ ସି˚ହ ଗେହଲଟ ୧୪*, ରାଜେଶ ମହାନ୍ତି ୨/୧୯)।

ସମ୍ବନ୍ଧିତ ଖବର