ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦ୍ରୁତ ବୋଲର କୁଲୱନ୍ତ ଖେଜ୍ରୋଲିଆ ରଣଜୀ ଟ୍ରଫିରେ ଏକ ବିରଳ କୀର୍ତ୍ତିମାନ କରିଛନ୍ତି। ହୋଲ୍କର କ୍ରିକେଟ୍ ଷ୍ଟାଡିୟମ୍ରେ ରଣଜୀ ଟ୍ରଫି ମ୍ୟାଚ୍ରେ ବରୋଦା ବିପକ୍ଷରେ ସେ ଲଗାତାର ୪ ବଲ୍ରୁ ୪ ୱିକେଟ୍ ନେଇଥିଲେ। ଫଳରେ ମଧ୍ୟପ୍ରଦେଶ ଏହି ମ୍ୟାଚ୍ରେ ଏକ ପାଳି ଓ ୫୨ ରନ୍ରେ ବରୋଦାକୁ ପରାସ୍ତ କରିଛି। ଖେଜ୍ରୋଲିଆ ମ୍ୟାଚ୍ରେ ମୋଟ୍ ୫୭ ରନ୍ ବ୍ୟୟ କରି ୭ ୱିକେଟ୍ ପାଇବା ସହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ପ୍ରଥମ ପାଳିରେ ୨ ୱିକେଟ୍ ନେଇଥିବା ଖେଜ୍ରୋଲିଆ ଦ୍ବିତୀୟ ପାଳିରେ ୯୪.୨ ଓଭରରେ ଶାଶ୍ବତ ରାୱତ (୧୦୫) ଓ ମହେଶ ପିଠିଆଙ୍କୁ ଆଉଟ୍ କରିବା ପରେ ଭାର୍ଗବ ଭଟ୍ଟଙ୍କ ୱିକେଟ୍ରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ପଞ୍ଚମ ବଲ୍ରେ ଆକାଶ ସିଂହଙ୍କୁ ସେ ଆଉଟ୍ କରିଥିଲେ। ଅତୀତ ସେଠ୍ (୨୦)ଙ୍କୁ ସେ ପଞ୍ଚମ ଶିକାର କରିଥିଲେ। ଖେଜ୍ରୋଲିଆଙ୍କ ଏହି ସଫଳତା ଯୋଗୁଁ ଭାରତର ପ୍ରଥମ ଶ୍ରେଣୀ କ୍ରିକେଟ୍ ଇତିହାସରେ ସେ ତୃତୀୟ ବୋଲର ଭାବେ ଲଗାତାର ୪ ବଲ୍ରୁ ୪ ୱିକେଟ୍ ନେଇଛନ୍ତି। ପୂର୍ବରୁ ଦିଲ୍ଲୀର ଶଙ୍କର ସୈନି (୧୯୯୮ ବନାମ ହିମାଚଳ ପ୍ରଦେଶ) ଓ ଜମ୍ମୁ କାଶ୍ମୀରର ମହମ୍ମଦ ମୁଦାସିର୍ (୨୦୧୫, ବନାମ ରାଜସ୍ଥାନ) ଏହି କୀର୍ତ୍ତି ବହନ କରୁଛନ୍ତି।