ରଣଜୀ ଟ୍ରଫି ବିଜୟ ଦ୍ୱାରରେ ବିଦର୍ଭ

ରଣଜୀ ଟ୍ରଫି ଫାଇନାଲ୍‌

ଇନ୍ଦୋର: ପ୍ରଥମ ଥର ପାଇଁ ବିଦର୍ଭ ରଣଜୀ ଟ୍ରଫି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ହୋଲ୍‌କର ଷ୍ଟାଡିୟମ୍‌ରେ ଚାଲିଥିବା ଫାଇନାଲ୍‌ର ତୃତୀୟ ଦିବସରେ ଦୁଇ ଦୁଇଟି ଶତକୀୟ ଭାଗୀଦାରି ବଳରେ ବିଦର୍ଭ ପ୍ରଥମ ପାଳିରେ ଦ୍ୱିଶତକ ଅଗ୍ରଣୀ ନେଇ ସାରିଛି। ଦିଲ୍ଲୀର ୨୯୫ ରନ୍‌ ଜବାବରେ ବିଦର୍ଭ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ୍‌ରେ ୫୨୮ ରନ୍‌ କରି ଆଉ ସୁଯୋଗ ହାତଛଡ଼ା କରିବା ସ୍ଥିତିରେ ନାହିଁ। ହାତରେ ୩ ଓ୍ଵିକେଟ୍‌ ଥାଇ ଦଳ ୨୩୩ ରନ୍‌ ଆଗୁଆ ରହିଛି।

ରବିବାର ବିଦର୍ଭ ୨୦୬/୪ରୁ ଖେଳିବା ବେଳେ ୮୯ ରନ୍‌ ପଛରେ ଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ ଓ୍ଵାସିମ୍‌ ଜାଫର୍‌ ଏବଂ ଓ୍ଵାଖାରେଙ୍କୁ ନଭଦୀପ୍‌ ସଇନି ଆଉଟ୍‌ କରି ଦେବାରୁ ବିଦର୍ଭ ୨୪୬/୬ରେ ପହଞ୍ଚିଯିବାରୁ ସ୍ଥିତି ପ୍ରାୟ ବରାବର ଥିଲା। ଏହି ସମୟରେ ଏକାଠି ହୋଇଥିବା ଦୁଇ ସ୍ୱଳ୍ପ ଜଣାଶୁଣା ଖେଳାଳି ଅକ୍ଷୟ ଓ୍ଵାଡ୍‌କର ଏବଂ ଆଦିତ୍ୟ ସରଓ୍ଵାତେ ୧୬୯ ରନ୍‌ ଭାଗୀଦାରି କରି ଦିଲ୍ଲୀକୁ ସମ୍ପୂର୍ଣ୍ଣ ଦାବି ଦେଇଥିଲେ। ସରଓ୍ଵାତେ (୭୯) ଚା’ପାନ ବିରତି ପରେ ଆଉଟ୍‌ ହୋଇଥିଲେ। କିନ୍ତୁ ଏସ୍‌ ନେରାଲ (୫୬*, ୯୨ ବଲ୍‌, ୪ ଚୌକା, ୪ ଛକା)ଙ୍କୁ ସାଥୀ କରି ଅକ୍ଷର ଓ୍ଵାଡ୍‌କର (୧୩୩*, ୨୪୩ ବଲ୍‌, ୧୬ ଚୌକା, ୧ ଛକା) ଆଉ ଏକ ଶତକୀୟ ଭାଗୀଦାରି କରିନେବାରୁ ଦିଲ୍ଲୀ ମ୍ୟାଚ୍‌ରୁ ସମ୍ପୂର୍ଣ୍ଣ ବାହାରେ ହୋଇଯାଇଛି। ୨୩ ବର୍ଷୀୟ ଓ୍ଵାଡ୍‌କର ରଣଜୀ ଟ୍ରଫିର ଫାଇନାଲ୍‌ରେ ନିଜ ଖେଳ ଜୀବନର ପ୍ରଥମ ଶତମ ହାସଲ କରିବା ଏବଂ ବିଦର୍ଭକୁ ପ୍ରଥମ ଥର ରଣଜୀ ଟ୍ରଫି ବିଜୟ ଦ୍ୱାରରେ ରଖିବା ଉଲ୍ଲେଖନୀୟ ହୋଇଛି।

ସଂକ୍ଷିପ୍ତ ସ୍କୋର୍‌: ଦିଲ୍ଲୀ ପ୍ରଥମ ପାଳି: ୨୯୫ (ଧୃବ ସୋରେ-୧୪୫, ରଜନୀଶ ଗୁରବାଣୀ-୬/୫୯)। ବିଦର୍ଭ ପ୍ରଥମ ପାଳି: ୫୨୮/୭ (ଓ୍ଵାସିମ୍‌ ଜାଫର୍‌-୭୮, ଆଦିତ୍ୟ ସରଓ୍ଵାତେ-୭୯, ଅକ୍ଷୟ ଓ୍ଵାଡକର୍‌-୧୩୩*, ସିଦ୍ଧେଶ ନେରାଲ୍‌-୫୬*, ନବଦୀପ ସଇନି-୩/୧୨୬, ଆକାଶ ସୁଦାନ-୨/୧୦୨)।

ସମ୍ବନ୍ଧିତ ଖବର