ଭୁବନେଶ୍ବର: ମୁମ୍ବାଇ ବିପକ୍ଷ ରଣଜୀ ଟ୍ରଫିରେ ଓଡ଼ିଶାର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ମୁମ୍ବାଇର ଶରଦ ପାୱାର ଏକାଡେମୀ ପଡ଼ିଆରେ ଚାଲିଥିବା ଚତୁର୍ଥ ରାଉଣ୍ଡ୍ ମ୍ୟାଚ୍ରେ ଓଡ଼ିଶା ପୁଣି ଥରେ ଫଲୋଅନ୍ ଖେଳିବା ସହ ପାଳି ପରାଜୟ ଆଡ଼କୁ ଅଗ୍ରଗତି ହେଉଛି। ମୁମ୍ବାଇର ୬୦୨/୪ ସ୍କୋରକୁ ପିଛା କରି ଓଡ଼ିଶା ପ୍ରଥମ ପାଳି ୨୮୫ରେ ସୀମିତ ରହିଥିଲା। ଫଲୋଅନ୍ ଡାକରା ପରେ ତୃତୀୟ ଦିନ ସୁଦ୍ଧା ଦ୍ବିତୀୟ ପାଳିରେ ଓଡ଼ିଶା ୧୨୬ ରନ୍ରେ ୫ ୱିକେଟ୍ ହରାଇ ସଂଘର୍ଷ କରୁଛି। ଏବେବି ଗୋବିନ୍ଦ ପୋଦ୍ଦାରଙ୍କ ଦଳ ୧୯୧ ରନ୍ ପଛରେ ରହିଛି। ପ୍ରଥମ ପାଳିର ଶତକ ପରେ ସନ୍ଦୀପ ପଟ୍ଟନାୟକ ଦ୍ବିତୀୟ ପାଳିରେ ୩୯ ରନ୍ରେ ଆଉଟ୍ ହୋଇଯାଇଛନ୍ତି। ତେବେ ପ୍ରାରମ୍ଭିକ ବିଫଳତା, ବରିଷ୍ଠ ଖେଳାଳିଙ୍କ ଦାୟିତ୍ବହୀନ ବ୍ୟାଟିଂ ଏଥର ମଧ୍ୟ ଜାରି ରହିଛି। ଯେଉଁଥିପାଇଁ ଓଡ଼ିଶା ଚଳିତ ଋତୁରେ ଆଉ ଏକ ପରାଜୟ ବରଣ କରିବା ଆଶଙ୍କା ଦେଖାଦେଇଛି।
ଶୁକ୍ରବାର ୧୪୬/୫ରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିବା ଓଡ଼ିଶା ପାଇଁ ପ୍ରଥମ ଘଣ୍ଟା ବହୁତ ଭଲ ଯାଇଥିଲା। ସନ୍ଦୀପ ପଟ୍ଟନାୟକ (୧୦୨ ରନ୍, ୧୮୭ ବଲ୍, ୧୧ ଚୌକା, ୪ ଛକା) ପଞ୍ଚମ ପ୍ରଥମ ଶ୍ରେଣୀ ଶତକ ଅର୍ଜନ କରିଥିଲା ବେଳେ ଓଡ଼ିଶା ଦ୍ବିଶତକ ଅତିକ୍ରମ କରିଥିଲା। ଦେବବ୍ରତ ପ୍ରଧାନଙ୍କ ସହ ଷଷ୍ଠ ୱିକେଟ୍ରେ ୬୮ ରନ୍ର ମହତ୍ତ୍ବପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ ସନ୍ଦୀପ। କିନ୍ତୁ ଶତକ ହାସଲ ପରେ ସନ୍ଦୀପଙ୍କୁ ସାମ୍ସ ମୁଲାନି ବୋଲ୍ଡ କରିଦେବାରୁ ଓଡ଼ିଶାର ସବୁ ଆଶା ମଉଳିଯାଇଥିଲା। ଦେବବ୍ରତ ପ୍ରଧାନ ଅର୍ଦ୍ଧଶତକଠୁ ୫ ରନ୍ ଦୂରରେ ଥାଇ ଆଉଟ୍ ହୋଇଯାଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ (୬)ଙ୍କୁ ଆଉଟ୍ କରି ମୁଲାନି ୫ ୱିକେଟ୍ ପୂରଣ କରିବା ସହ ଆଶୀର୍ବାଦ ସ୍ବାଇଁ (୩୭)ଙ୍କୁ ନିଜ ଷଷ୍ଠ ଶିକାର କରିଥିଲେ। ୨୮୫ ରନ୍ରେ ଅଲ୍ଆଉଟ୍ ହେବା ପରେ ଓଡ଼ିଶା ଫଲୋଅନ୍ ଖେଳିଥିଲା। ଏଥର ମଧ୍ୟ ଅନୁରାଗ ଷଡ଼ଙ୍ଗୀ (୬)-ସ୍ବସ୍ତିକ ସାମଲ (୧) ଙ୍କ ପ୍ରାରମ୍ଭିକ ଯୋଡ଼ି ୩ ଓଭର ବି ତିଷ୍ଠି ପାରିଲେନି। ଯୁବ ପ୍ରତିଭା ଆଶୀର୍ବାଦଙ୍କୁ ଏଥର ତିନି ନମ୍ବରରେ ସୁଯୋଗ ଦିଆଯାଇଥିଲା ବେଳେ ସେ ସନ୍ଦୀପଙ୍କ ସହ ମିଶି ତୃତୀୟ ୱିକେଟ୍ରେ ୫୬ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ। କିନ୍ତୁ ସନ୍ଦୀପ (୩୯) ଙ୍କୁ ମୁଲାନି ଦିନରେ ଦ୍ବିତୀୟ ଥର ଆଉଟ୍ କରିଦେଇଥିଲେ। ମୁମ୍ବାଇ ଶିବିରରେ ବଡ଼ ଉତ୍ସାହ ଭରିଯାଇଥିଲା। ଅଧିନାୟକ ଗୋବିନ୍ଦ ପୋଦ୍ଦାର ମାତ୍ର ୧ ରନ୍ କରି ପାଭିଲିଅନ୍ ଫେରିଯିବାରୁ ବିପ୍ଳବ ସାମନ୍ତରାୟ ରକ୍ଷଣାତ୍ମକ ଖେଳିଥିଲେ। ତେବେ ରନ୍ ବାହାର କରିବାରେ ସଫଳ ହୋଇ ନଥିଲେ। ମାତ୍ର ୨୬ ରନ୍ରେ ବିପ୍ଳବ ଆଉଟ୍ ହେବାରୁ ତୃତୀୟ ଦିନର ଖେଳକୁ ସେହିଠାରେ ସମାପ୍ତ କରିଦିଆଯାଇଛି। ଆଶୀର୍ବାଦ ଏବେ ୪୬* ରନ୍ରେ ଅପରାଜିତ ରହି ନିଜ ଦ୍ବିତୀୟ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଛନ୍ତି।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି: ୬୦୨/୪, ଘୋଷିତ, (ଶ୍ରେୟସ ଆୟର-୨୩୩, ସିଦ୍ଦେଶ ଲାଡ୍-୧୬୯*, ଅଙ୍ଗକ୍ରିଶ ରଘୁବଂଶୀ-୯୨, ବିପ୍ଳବ ସାମନ୍ତରାୟ-୨/୫୭, ସୂର୍ଯ୍ୟକାନ୍ତ ପ୍ରଧାନ- ୧/୬୬, ହର୍ଷିତ ରାଠୋଡ଼-୧/୧୩୬)। ଓଡ଼ିଶା ପ୍ରଥମ ପାଳି ୯୪.୩ ଓଭରରେ ୨୮୫/୧୦ (ସନ୍ଦୀପ ପଟ୍ଟନାୟକ-୧୦୨, ଦେବବ୍ରତ ପ୍ରଧାନ-୪୫, ଅନୁରାଗ ଷଡ଼ଙ୍ଗୀ-୩୯, ଆଶୀର୍ବାଦ ସ୍ବାଇଁ-୩୭, ସାମ୍ସ ମୁଲାନି-୬/୧୧୫, ହିମାଂଶୁ ସିଂହ-୩/୫୩)। ଓଡ଼ିଶା ଦ୍ବିତୀୟ ପାଳି ୪୨ ଓଭରରେ ୧୨୬/୫ (ଆଶୀର୍ବାଦ ସ୍ବାଇଁ-୪୬*, ସନ୍ଦୀପ ପଟ୍ଟନାୟକ-୩୯, ବିପ୍ଳବ ସାମନ୍ତରାୟ-୨୬, ହିମାଂଶୁ ସିଂହ-୩/୪୫, ରଏଷ୍ଟନ୍ ଦାସ-୧/୧୯)।