ରଣଜୀ ଟ୍ରଫି ଡିସେମ୍ବର ୧୩ରୁ

ଚଳିତ ବର୍ଷ ହେବ ଦଲିପ ଟ୍ରଫି, ଈରାନି କପ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚଳିତ ବର୍ଷର ଘରୋଇ କ୍ୟାଲେଣ୍ଡରରେ ଦଲିପ ଟ୍ରଫି ଏବଂ ଈରାନି କପ୍‌କୁ ପୁଣି ‌ଥରେ ଯୋଡ଼ିଛି। ୨୦୧୯ରେ ଶେଷ ଥର ଲାଗି ଦଳିପ ଟ୍ରଫି ଆୟୋଜିତ ହୋଇଥିଲା। କୋଭିଡ୍‌ ପାଇଁ ୩ ବର୍ଷ ହେଲା ବନ୍ଦ ରହିଥିବା ଏହି ପ୍ରତିଯୋଗିତା ଜୋନାଲ୍‌ ପଦ୍ଧତିରେ ଖେଳାଯିବ। ଏହା ସେପ୍ଟେମ୍ବର ୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମୁମ୍ବାଇରେ ଗୁରୁବାର ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିସିସିଆଇର ୫ ଜୋନ୍‌କୁ ନେଇ ୫ ମ୍ୟାଚ୍‌ ବିଶିଷ୍ଟ ଏହି ପ୍ରତିଯୋଗିତା ‌ଆୟୋଜିତ ହେବ। ସେହିପରି କରୋନା ମହାମାରୀ ପାଇଁ ୨ ବର୍ଷ ହେଲା ବନ୍ଦ ରହିଥିବା ଈରାନି କପ୍‌ ଚଳିତ ବର୍ଷ ମଧ୍ୟ ଖେଳାଯିବ। ପାରମ୍ପରିକ ଭାବେ ଈରାନି କପ୍‌ ୫ ଦିନିଆ ଏବଂ ଗୋଟିଏ ମ୍ୟାଚ୍‌ ବିଶିଷ୍ଟ। ଏଥିରେ ରଣଜୀ ବିଜେତା ଓ ଅବଶିଷ୍ଟ ଭାରତ ଖେଳିଥା’ନ୍ତି। ଏହି ମ୍ୟାଚ୍‌ ଅକ୍ଟୋବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ବୈଠକରେ ୨୦୨୨-୨୩ ଋତୁ ଲାଗି ଘରୋଇ ପ୍ରତିଯୋଗିତାର ସୂଚୀ ମଧ୍ୟ ସ୍ଥିର ହୋଇଥିଲା। ରଣଜୀ ଟ୍ରଫି ଡିସେମ୍ବର ୧୩ରୁ ଆରମ୍ଭ ହେବ। ଏହାର ଲିଗ୍‌ ପର୍ଯ୍ୟାୟ ଜାନୁଆରି ପର୍ଯ୍ୟନ୍ତ ଏବଂ ନକ୍‌ଆଉଟ୍‌ ଫେବ୍ରୁଆରି ୧ରୁ ୨୮ ପର୍ଯ୍ୟନ୍ତ ଚାଲିବ। ଅନ୍ୟ ଘରୋଇ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲୀ ଟ୍ରଫି ଅକ୍ଟୋବର ୧୧ରୁ ନଭେମ୍ବର ୨୨, ବିଜୟ ହଜାରେ ଟ୍ରଫି ନଭେମ୍ବର ୧୨ରୁ ଡି‌ସେମ୍ବର ୨, ପୁରୁଷ ୨୫ ବର୍ଷରୁ କମ୍‌ ଦିନିକିଆ ପ୍ରତିଯୋଗିତା ନଭେମ୍ବର ୨୦ରୁ ଡିସେମ୍ବର ୧୦, ସିକେ ନାୟୁଡ଼ୁ ଟ୍ରଫି ଜାନୁଆରି ୧ରୁ ମାର୍ଚ୍ଚ ୨୩, ବିନୁ ମଙ୍କଡ଼ ଟ୍ରଫି ଅକ୍ଟୋବର ୭ରୁ ୨୩, କୁଚ୍‌ ‌ବେହାର ଟ୍ରଫି ନଭେମ୍ବର ୫ରୁ ଜାନୁଆରି ୩ ଏବଂ ବିଜୟ ମର୍ଚାଣ୍ଟ ଟ୍ରଫି ୧୬ ବର୍ଷରୁ କମ୍‌ ଡିସେମ୍ବର ୧ରୁ ଜାନୁଆରି ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।

ସେହିଭଳି ମହିଳା ଟ୍ବେଣ୍ଟି-୨୦ ଟ୍ରଫି ଅକ୍ଟୋବର ୧୧ରୁ ନଭେମ୍ବର ୫, ଅନ୍ତଃଜୋନ୍‌ ଟ୍ବେଣ୍ଟି-୨୦ ନଭେମ୍ବର ୮ରୁ ୧୫, ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ନଭେମ୍ବର ୨୦ରୁ ୨୬, ଦିନିକିଆ ଟ୍ରଫି ଜାନୁଆରି ୧୮ରୁ ଫେବ୍ରୁଆରି ୭, ଅନ୍ତଃଜୋନ୍‌ ଦିନିକିଆ ଫେବ୍ରୁଆରି ୧୨ରୁ ୨୧, ମହିଳା ୨୩ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ଟ୍ରଫି ଫେବ୍ରୁଆରି ୩ରୁ ୨୩, ମହିଳା ୨୩ ବର୍ଷରୁ କମ୍‌ ଦିନିକିଆ ଫେବ୍ରୁଆରି ୨୬ରୁ ମାର୍ଚ୍ଚ ୧୮, ମହିଳା ୧୯ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ଟ୍ରଫି ଅକ୍ଟୋବର ୧ରୁ ୧୭, ମହିଳା ୧୯ ବର୍ଷରୁ କମ୍‌ ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ନଭେମ୍ବର ୧ରୁ ୭, ମହିଳା ୧୯ ବର୍ଷରୁ କମ୍‌ ଦିନିକିଆ ଟ୍ରଫି ଡିସେମ୍ବର ୭ରୁ ୨୩ ଏବଂ ମହିଳା ୧୬ ବର୍ଷରୁ କମ୍‌ ଦିନିକିଆ ଟ୍ରଫି ଡିସେମ୍ବର ୨୬ରୁ ଜାନୁଆରି ୩ ପର୍ଯ୍ୟନ୍ତ ଖେଳାଯିବ।

ସମ୍ବନ୍ଧିତ ଖବର