ଭୁବନେଶ୍ବର: ଚଳିତ ରଣଜୀ ଋତୁରେ ଓଡ଼ିଶା ପ୍ରଥମ ଥର ପାଇଁ ପାଳି ପରାଜୟ ଦ୍ବାରରେ ପହଞ୍ଚିଛି। ରଣଜୀ ଟ୍ରଫିରେ ଉତ୍ତରାଖଣ୍ଡକୁ ଦୁର୍ବଳ ମଣିଥିବା ଓଡ଼ିଶା ଉପରେ ଘରୋଇ ଦଳ ଭାରି ପଡ଼ିଛି। ଫଳରେ ପ୍ରଥମରୁ ଅଗ୍ରଣୀ ନେଇସାରିଥିବା ଉତ୍ତରାଖଣ୍ଡ ଏବେ ଓଡ଼ିଶାକୁ ହରାଇବାର ନିକଟତର ହୋଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ପ୍ରଥମ ପାଳି ୪୭୭ ରନ୍‌ରେ ଶେଷ ହୋଇଥିଲା ବେଳେ ୨୬୪ ରନ୍‌ର ଅଗ୍ରଣୀ ପାଇଥିଲା। ଏବେ ପରାଜୟକୁ ଏଡ଼ାଇବା ପାଇଁ ଓଡ଼ିଶା ଦ୍ବିତୀୟ ପାଳିରେ ସଂଘର୍ଷ କରୁଛି। ଏହି ଦଳ ଗୁରୁବାର ଷ୍ଟମ୍ପ୍‌ସ ପ୍ରତ୍ୟାହାର ସୁଦ୍ଧା ୯୭ ରନ୍‌ରେ ୪ ୱିକେଟ୍‌ ହରାଇସାରିଲାଣି। ହାତ‌ରେ ୬ ୱିକେଟ୍‌ ଥିଲାବେଳେ ଏବେ ବି ଓଡ଼ିଶା ୧୬୭ ରନ୍‌ରେ ପଛୁଆ ରହିଛି। ଲଗାତାର ବିଫଳ ହେଉଥିବା ଅନୁରାଗ ଷଡ଼ଙ୍ଗୀ (୫୯*) ଗୋଟିଏ ପଟରୁ ପାଳି ସମ୍ଭାଳିଥିଲା ବେଳେ ଅନ୍ୟପଟରୁ ବ୍ୟାଟରଙ୍କ ଯିବା ଆସିବା ଜାରି ରହିଛି। ଏପରିକି ନାଇଟ୍‌ ୱାଚ୍‌ମ୍ୟାନ ଭାବେ ଆସିଥିବା ଶୁଭମ୍‌ ନାୟକ ମଧ୍ୟ ଖାତା ଖୋଲିବା ଆଗରୁ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଯାଇଛନ୍ତି। ଏବେ ପିଚ୍‌ରେ ଅନୁରାଗଙ୍କ ସହିତ କାର୍ତ୍ତିକ ବିଶ୍ବାଳ (୪*) ଅପରାଜିତ ରହିଛନ୍ତି।

Advertisment

ଦ୍ବିତୀୟ ଦିନ ଶତକ ଜମାଇଥିବା ଉତ୍ତରାଖଣ୍ଡ ଅଧିନାୟକ ଜୀବନଜ୍ୟୋତ ସିଂହ ଗୁରୁବାର ଏହାକୁ ଦ୍ବିଶତକରେ ପରିଣତ କରିଥିଲେ। ହେଲେ ଅନ୍ୟତମ ଅପରାଜିତ ବ୍ୟାଟର ସ୍ବପ୍ନିଲ ସିଂହ (୬୫) ମାତ୍ର ୫ ରନ୍‌ ଯୋଡ଼ି ସୂର୍ଯ୍ୟକାନ୍ତଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ପରେ ଆଦିତ୍ୟ ତାରେଙ୍କ ସହ ମିଶି ଜୀବନଜ୍ୟୋତ ୮୬ ରନ୍‌ର ଭାଗୀଦାରି କରିଥିଲେ। ତେବେ ଏହି ଯୋଡ଼ି ଅଧିକ ଲମ୍ବା ସମୟ ଖେଳିବା ପୂର୍ବରୁ ଦ୍ବିଶତକ ଅର୍ଜନ କରିଥିବା ଜୀବନଜ୍ୟୋତ୍‌ (୨୧୮)ଙ୍କୁ ବିପ୍ଲବ ଆଉଟ୍‌ କରି ରନ୍‌ ଗତି ହ୍ରାସ କରାଇଥିଲେ। ପଛକୁ ପଛ ଆଦିତ୍ୟ (୫୭)ଙ୍କୁ ଆଉଟ କରି ସୌରଭ କାନୋଜିଆ ତାଙ୍କର ପ୍ରଥମ ରଣଜୀ ୱିକେଟ୍‌ ଅକ୍ତିଆର କରିଥିଲେ। ଏମାନଙ୍କ ପରେ ତଳଭାଗରେ ଅନ୍ୟ କେହି ଅଧିକ ସମୟ ଖେଳିପାରିନଥିଲେ ଓ ଦଳ ୪୭୭ରେ ସମସ୍ତ ୱିକେଟ୍‌ ହରାଇଥିଲା।
ଚା’ପାନ ବିରତି ପୂର୍ବରୁ ଦ୍ବିତୀୟ ପାଳି ଆରମ୍ଭ କରିଥିବା ଓଡ଼ିଶା ମ୍ୟାଚ୍‌କୁ ଅମୀମାଂସିତ ଆଡ଼କୁ ନେବା ପାଇଁ ମନସ୍ଥ କରି ଖେଳିବାକୁ ଆସିଥିଲା। କିନ୍ତୁ ଦ୍ବିତୀୟ ଓଭରରେ ହିଁ ଶାନ୍ତନୁ ମିଶ୍ର ଖାତା ଖୋଲିନପାରି ଆଉଟ୍‌ ହୋଇଥିଲେ। ଏହି ଝଟ୍‌କା ପରେ ଅନୁରାଗଙ୍କ ସହ ଅଧିନାୟକ ଶୁଭ୍ରାଂଶୁ ସେନାପତି ପାଳି ବଞ୍ଚାଇବା ପାଇଁ ଯଥେଷ୍ଟ ସମୟ କ୍ରିଜ୍‌ରେ ବିତାଇଥିଲେ। ହେଲେ ରକ୍ଷଣାତ୍ମକ ଖେଳୁଥିବା ଶୁଭ୍ରାଂଶୁ ୬୫ ବଲ୍‌ରୁ ୧୩ ରନ୍‌ କରିଥିଲା‌ ବେଳେ ନିଜ ୱିକେଟ୍‌ ହରାଇଥିଲେ। ପରେ ବିପ୍ଲବ (୯), ଶୁଭମ୍‌ (୦) ମଧ୍ୟ ନିରାଶ କରିବାରୁ ପ୍ରଥମ ଦିନରେ ଓଡ଼ିଶା ୪ ୱିକେଟ୍‌ ହରାଇସାରିଲାଣି। ରାଜେଶ ଧୂପର ଓ ଅଭିଷେକ ରାଉତ ଶେଷ ବିଶେଷଜ୍ଞ ବ୍ୟାଟର ଭାବେ ଦଳକୁ ପାଳି ପରାଜୟରୁ ବଞ୍ଚାଇବାର ପ୍ରୟାସ କରିବେ।