ପୁଣେ: ଶେଷ ଦଳ ଭାବେ କେରଳ ଚଳିତ ରଣଜୀ ଟ୍ରଫିର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗତକାଲି ମୁମ୍ବାଇ, ବିଦର୍ଭ, ଗୁଜରାଟ ନିଜ ନିଜ କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ସୋମବାରଠୁ ଖେଳାଯିବାକୁ ଥିବା ସେମିଫାଇନାଲ୍‌ ଦୁଇଟିରେ କେରଳ-ଗୁଜରାଟ ଏବଂ ବିଦର୍ଭ-ମୁମ୍ବାଇ ମୁହାଁମୁହିଁ ହେବେ। ପୁଣେରେ ଖେଳାଯାଇଥିବା ଜମ୍ମୁ କଶ୍ମୀର ବିପକ୍ଷ କ୍ବାର୍ଟରଫାଇନାଲ୍‌ରେ କେରଳ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ଜମ୍ମୁ କଶ୍ମୀର ପ୍ରଥମ ପାଳିରେ ୨୮୦ ରନ୍‌‌ କରିଥିଲା। ଜବାବରେ କେରଳ ୨୮୧ ରନ୍‌ କରି ମହତ୍ବପୂର୍ଣ୍ଣ ୧ ରନ୍‌ର ଅଗ୍ରଣୀ ନେଇଥିଲା। ଜମ୍ମୁ କଶ୍ମୀର ଚତୁର୍ଥ ଦିନରେ ୩୯୯/୯ରେ ଦ୍ବିତୀୟ ପାଳି ଘୋଷଣା କରି କେରଳ ସମ୍ମୁଖରେ ୩୯୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। 

Advertisment

ଏହାକୁ ପିଛା କରି ଚତୁର୍ଥ ଦିନ ଶେଷ ସୁଦ୍ଧା କେରଳ ୨ ୱିକେଟ୍‌ ହରାଇ ୧୦୦ ରନ୍‌ କରିଥିଲା। ବୁଧବାର ଏଥିରେ ଆଉ ୧୯୫ ରନ୍‌ ଯୋଡ଼ି କେବଳ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ୧୮୦ ରନ୍‌ରେ ୬ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା କେରଳକୁ ସଲମାନ ନିଜାର (୪୪*, ୧୬୨ ବଲ୍‌) ଓ ମହମ୍ମଦ ଆଝାରୁଦ୍ଦିନ୍‌ (୬୭*, ୧୧୮ ବଲ୍‌) ସପ୍ତମ ୱିକେଟ୍‌ରେ ୧୧୫ ରନ୍‌ ଯୋଡ଼ି ପରାଜୟରୁ ମୁକୁଳାଇବା ସହ ୬ ବର୍ଷ ପରେ ସେମିଫାଇନାଲ୍‌ରେ ପହଞ୍ଚାଇଥିଲେ। ଉଭୟ ପାଳିରେ ଅପରାଜିତ ଥିବା ସଲମାନ ନିଜାର (୧୧୨*, ୪୪*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।