ଅନ୍ୟୁନ ୯ ଖେଳାଳି ଥିଲେ ଜାରି ରହିବ ରଣଜୀ ମ୍ୟାଚ୍‌

ମୁମ୍ବାଇ : କୋଭିଡ୍‌ ମହାମାରୀ ଯୋଗୁଁ ପ୍ରାୟ ଦୁଇ ବର୍ଷ ପରେ ରଣଜୀ ଟ୍ରଫି ଖେଳାଯିବାକୁ ଯାଉଛି। ଏହି ପରିସ୍ଥିତି କାରଣରୁ ବିସିସିଆଇ ଖେଳ ନିୟମରେ କେତେକ ପରିବର୍ତନ କରିବାକୁ ବାଧ୍ୟ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି କୌଣସି ମ୍ୟାଚ୍‌ ଆରମ୍ଭ ପରେ ଯଦି‌ କୋଭିଡ୍‌ ସଂକ୍ରମଣ ଜଣାପଡ଼େ ତେବେ ସମ୍ପୂର୍ଣ୍ଣ ୧୧ ଜଣ ଉପଲବ୍‌ଧ ନହେଲେ ବି ମ୍ୟାଚ୍‌ ଚାଲି ପାରିବ। ସମସ୍ତ କୋଭିଡ୍‌ ବଦଳ ଖେଳାଳିଙ୍କୁ ମିଶାଇ ଅନ୍ୟୁନ ୯ ଜଣ ଉପଲବ୍ଧ ହେଲେ‌ ଖେଳ ଜାରି ରଖାଯିବ। କୋଭିଡ୍‌ ପରିସ୍ଥିତିରେ ପଏଣ୍ଟ ଆବଣ୍ଟନ ଦୁଇଟି ପର୍ଯ୍ୟାୟରେ ହେବ। ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ ଟେବୁଲ୍‌ ଭିତ୍ତିରେ ପଏଣ୍ଟ ପ୍ରଦାନ କରାଯିବ। ନକ୍ ଆଉଟ୍‌ ମ୍ୟାଚ୍‌ରେ ରନ୍‌ କୋ‌ସେଣ୍ଟ୍‌ କିମ୍ବା ସ୍ପିନ୍ ଅଫ୍‌ କଏନ୍‌ ଜରିଆରେ ନିର୍ଣ୍ଣୟ କରାଯିବ। ଅନ୍ୟ ଏକ ନୂଆ ନିୟମ ଅନୁସାରେ କୌଣସି ବୋଲର ବୋଲିଂ ହାତରେ ଟେପିଂ କରିପାରିବେ ନାହି। ବୋଲିଂ ହାତରେ ପଛ ପାର୍ଶ୍ବରେ ଯଦି କୌଣସି ପ୍ଲାଷ୍ଟର୍‌ ଆବଶ୍ୟକତା ପଡ଼ିଥାଏ ତେବେ ଏହା ଶରୀର ରଙ୍ଗ କିମ୍ବା ତଦ୍‌ଜନିତ ହେବା ଉଚିତ, ଯେଭଳି ବ୍ୟାଟର୍‌ଙ୍କ ଧ୍ୟାନ ଭଙ୍ଗ କରୁନଥିବ। ଆହତ ସମସ୍ୟା ପାଇଁ ମଧ୍ୟ ବିସିସିଆଇ ସର୍ବାଧିକ ୪ ମିନିଟ୍‌ ସମୟ ଧାର୍ଯ୍ୟ କରିଛି। କୌଣସି ଖେଳାଳି ପଡ଼ିଆ ଭିତରେ ଆହତ ହୋଇ ଅଧିକ ସମୟ ଆବଶ୍ୟକ କରୁଥିଲେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହେ‌ବେ।
ଅନ୍ୟ ବହୁ ପୁରୁଣା ବ୍ୟବସ୍ଥା ଓ ନିୟମାବଳୀରେ ବି‌ଶେଷ ପରିବର୍ତନ କରାଯାଇନାହିଁ। ପଏଣ୍ଟ ବ୍ୟବସ୍ଥାରେ ପୂର୍ବ ଭଳି ସିଧାସଳଖ ବିଜୟ ପାଇଁ ୬ ଓ ସିଧାସଳଖ ପରାଜୟ ପାଇଁ ୦ ପଏଣ୍ଟ ଧାର୍ଯ୍ୟ ରହିଛି। ପାଳି ବ୍ୟବଧାନ ବିଜୟ କିମ୍ବା ୧୦ ୱିକେଟ୍ ବିଜୟ ପାଇଁ ‌୧ ବୋନସ ପଏଣ୍ଟ ମିଳିବ। ପ୍ରଥମ ପାଳି ପଛୁଆ ଭିତ୍ତିରେ ପରାଜୟ ପାଇଁ ଗୋଟିଏ ପଏଣ୍ଟ। ବିନା ଫଳାଫଳରେ ‌ଶେଷ ହୋଇଥିବା ମ୍ୟାଚ୍‌ର ପ୍ରଥମ ପାଳି ଟାଇ ରହିଥିଲେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏଁ ପ୍ରଦାନ କରାଯିବ। କିନ୍ତୁ ମ୍ୟାଚ୍‌ର ଉଭୟ ପାଳି ଟାଇରେ ଶେଷ ହେଲେ ଉଭୟ ଦଳକୁ ୩ ପଏଣ୍ଟ ଲେଖାଏଁ ପ୍ରାପ୍ତ ହେବ। ଯେ କୌଣସି କାରଣରୁ ହେଉ ପଛେ ଯଦି ଅନ୍ୟୁନ ପ୍ରଥମ ପାଳି ଶେଷ ହୋଇପାରିନଥିବ ତେବେ ପ୍ରତ୍ୟେକ ଦଳକୁ ୧ ଲେଖାଏଁ ପଏଣ୍ଟ ମିଳିବ। ବୋଲିଂ କରୁଥିବା ଦଳ ଯଦି ବଲ୍‌ରେ ଲାଳ ଲଗାନ୍ତି ତେବେ ପ୍ରଥମ ଉଦାହରଣ ପାଇଁ ଅଧିନାୟକଙ୍କୁ ଚେତାବନୀ, ଦ୍ବିତୀୟ ଉଦାହରଣ ପାଇଁ ୫ ରନ୍‌ ଦଣ୍ଡର ଧମକ ଏବଂ ତୃତୀୟ ଉଦାହଣରେ ୫ ରନ୍‌ ଦଣ୍ଡ ଲାଗୁର ବ୍ୟବସ୍ଥା ରହିଛି। କୋଭିଡ୍‌ ସଂକ୍ରମଣ ‌କ୍ଷେତ୍ରରେ ବଦଳ ଖେଳାଳି ତାଙ୍କ ଭଳି (ବ୍ୟାଟର୍‌/ବୋଲର୍‌/‌ଅଲ୍‌ରାଉଣ୍ଡର୍‌) ହୋଇଥିବା କଥାକୁ ମ୍ୟାଚ୍‌ ରେଫରି ତଦାରଖ କରିବେ। ମ୍ୟାଚ୍‌ ରେଫରିଙ୍କ ଅନୁମୋଦନ ଜରୁରି ଓ ନିଷ୍ପତ୍ତି ଚୂଡାନ୍ତ। ବଦଳିଥିବା ଖେଳାଳି ଆଉ ସେହି ମ୍ୟାଚ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର