ରଣଜୀ ଟ୍ରଫି ନେଇ ଅନିଶ୍ଚିତତା, ଅଧିକାଂଶ ରାଜ୍ୟର ପସନ୍ଦ ଧଳା ବଲ୍‌ କ୍ରିକେଟ୍‌

ଗାଙ୍ଗୁଲି, ଶାହାଙ୍କ ଭବିଷ୍ୟତ ନେଇ ୯ରେ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ଋତୁରେ ନାଲି ବଲ୍‌ର ଖେଳ ଆଉ ଦେଖିବାକୁ ମିଳିନପାରେ। କାରଣ ଅଧିକା˚ଶ ରାଜ୍ୟ ସ˚ଘ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି (ଧଳା ବଲ୍‌ କ୍ରିକେଟ୍‌) ପାଇଁ ଆଗ୍ରହ ଦେଖାଇଛନ୍ତି। ଧଳା ବଲ୍‌ କ୍ରିକେଟ୍‌କୁ ଆଗାମୀ ଋତୁରେ ସୀମିତ ରଖାଯାଉ ବୋଲି ଅଧିକାଂଶ ରାଜ୍ୟ ସଂଘ ବିସିସିଆଇ ନିକଟରେ ପ୍ରସ୍ତାବ ବାଢ଼ିଛନ୍ତି। ତଥାପି ଡିସେମ୍ବର ୨ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ସ˚ଘମାନଙ୍କଠୁ ପରାମର୍ଶ ଗ୍ରହଣ କରାଯିବାକୁ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ଏହାପରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ।

କରୋନା ମହାମାରୀ ପାଇଁ ବିସିସିଆଇର ଘରୋଇ ପ୍ରତିଯୋଗିତାଗୁଡ଼ିକ ଏବେ ବନ୍ଦ ରହିଛି। ତେଣୁ ଘରୋଇ ଋତୁ ଆରମ୍ଭ କରାଯିବା ଉପରେ ବିସିସିଆଇ ସମସ୍ତ ରାଜ୍ୟ ସ˚ଘମାନଙ୍କଠାରୁ ଗତ ରବିବାର ଇ-ମେଲ ଜରିଆରେ ପରାମର୍ଶ ଲୋଡ଼ିଥିଲା। ରଣଜୀ ଟ୍ରଫି, ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ମଧ୍ୟରୁ ବାଛିବା ପାଇଁ କୁହାଯାଇଥିଲା। ଡିସେମ୍ବର ୨୦ରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ଘରୋଇ ପ୍ରତିଯୋଗିତା ଆୟୋଜନ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ହେଲେ ଗତ ସ˚ସ୍କରଣର ବିଜେତା ସୌରାଷ୍ଟ, ମୁମ୍ବାଇ, ତାମିଲନାଡୁ, ବରୋଦା, ପଞ୍ଜାବ ଭଳି ପ୍ରମୁଖ ଦଳମାନେ ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫି ପାଇଁ ଆଗ୍ରହୀ ଥିବା ବିସିସିଆଇକୁ ଜଣାଇଛନ୍ତି। ତେବେ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ବିଦର୍ଭ ସୟଦ ମୁସ୍ତାକ ଅଲ୍ଲୀ ସହ ରଣଜୀ ଟ୍ରଫି ଖେଳିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଓଡ଼ିଶା କ୍ରିକେଟ୍‌ ସ˚ଘ ମଧ୍ୟ ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ବିସିସିଆଇକୁ ଜଣାଇଦେଇଛି। ଡିସେମ୍ବର ୨୦ରୁ ଜାନୁଆରି ୧୦ ତାରିଖ ମଧ୍ୟରେ ସୟଦ ମୁସ୍ତାକ ଅଲ୍ଲୀ ପାଇଁ ବିସିସିଆଇ ଲକ୍ଷ୍ୟ ରଖିଥିଲା ବେଳେ ରଣଜୀ ଟ୍ରଫି ପାଇଁ ୬୭ ଦିନ ସମୟ ଲାଗିପାରେ। ଏଥିପାଇଁ ଜାନୁଆରି ୧୧ରୁ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଛି। ବିଜୟ ହଜାରେ ଟ୍ରଫିକୁ ଜାନୁଆରି ୧୧ରୁ ଫେବ୍ରୁଆରି ୭ ତାରିଖ ମଧ୍ୟରେ ଆୟୋଜନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏସବୁ ମଧ୍ୟରେ ଦଳମାନଙ୍କ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଦଳୀୟ ପ୍ରସ୍ତୁତି ଓ ଚୟନ। କିଛି ରାଜ୍ୟ ପ୍ରଶିକ୍ଷଣ ଶିବିର ଓ ସ୍ଥାନୀୟ ଘରୋଇ ପ୍ରତିଯୋଗିତା ଆୟୋଜନ ଆରମ୍ଭ କରିସାରିଛନ୍ତି।

ଗାଙ୍ଗୁଲି, ଶାହାଙ୍କ ଭବିଷ୍ୟତ ନେଇ ୯ରେ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ପଦବିର ଭବିଷ୍ୟତକୁ ନେଇ ସୁପ୍ରିମକୋର୍ଟରେ ଆସନ୍ତା ୯ ତାରିଖରେ ଶୁଣାଣି ହେବ। କର୍ମକର୍ତ୍ତାଙ୍କ ପାଇଁ ଥିବା ‘କୁଲିଂ ଅଫ’ ଅବଧିକୁ ହଟାଇବା ପାଇଁ ବିସିସିଆଇ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲା ବେଳେ ଚୂଡ଼ାନ୍ତ ଶୁଣାଣି ୯ ତାରିଖକୁ ଧାର୍ଯ୍ୟ ହୋଇଛି। ନିୟମ ଅନୁଯାୟୀ ବିସିସିଆଇ କିମ୍ବା କୌଣସି ରାଜ୍ୟ ସ˚ଘରେ ଉଭୟ ଗାଙ୍ଗୁଲି ଓ ଶାହା କର୍ମକର୍ତ୍ତା ଭାବେ ୬ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। କିନ୍ତୁ ଗାଙ୍ଗୁଲିଙ୍କ ଅବଧି ଜୁଲାଇରେ ଏବ˚ ଶାହାଙ୍କ ଅବଧି ମେ’ ମାସରେ ଶେଷ ହୋଇଯାଇଥିଲେ ସୁଦ୍ଧା ସେମାନେ ଏବେ ବି ବିସିସିଆଇ ପଦବିକୁ ଉପଭୋଗ କରିଆସୁଛନ୍ତି। ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମାଲ ମଧ୍ୟ ଗତ ଏପ୍ରିଲ ମାସରେ ସମ୍ବିଧାନରେ ୬ରୁ ଅଧିକ ପରିବର୍ତ୍ତନ ଆଣିବା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ତାହା ମଧ୍ୟରେ କୁଲିଂ ଅଫ୍‌ ଅବଧିକୁ ହଟାଇବା ମୁଖ୍ୟ ପ୍ରସଙ୍ଗ ଥିଲା।

ସୂଚନାଯୋଗ୍ୟ, ୨୦୧୮ରେ ଲୋଧା ସମିତି ସୁପାରିଶ ଅନୁଯାୟୀ ପ୍ରଶାସନିକ ସମିତି ପ୍ରସ୍ତୁତ କରିଥିବା ବିସିସିଆଇର ନୂତନ ସମ୍ବିଧାନକୁ ସୁପ୍ରିମକୋର୍ଟ ଅନୁମୋଦନ କରିଥିଲେ। ଏଥିରେ ତିନି ବର୍ଷିୟା କୁଲି˚ ଅଫ୍‌ ଅବଧି ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ ଥିଲା। ଜଣେ କର୍ମକର୍ତ୍ତା ଲଗାତର ଦୁଇଥର ତିନି ବର୍ଷିୟା ଅବଧି ପୂରଣ କରିବା ପରେ କୁଲିଂ ଅଫ୍‌ ଅବଧିରେ ଯିବେ ବୋଲି ନିୟମ ରହିଥିଲା। ଏହାସତ୍ତ୍ବେ ଗାଙ୍ଗୁଲି, ଶାହା ଓ ଜୟେଶ ଜର୍ଜ ଏବେ ବି ବିସିସିଆଇରେ କାର୍ଯ୍ୟ କରିଚାଲିଛନ୍ତି। ତେବେ ଆସନ୍ତା ୯ ତାରିଖରେ ସେମାନଙ୍କ ଭବିଷ୍ୟତ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର