ରଣଜୀ ଟ୍ରଫି: ଫାଇନାଲ୍‌ରେ ମୁମ୍ବାଇ-ମଧ୍ୟପ୍ରଦେଶ

ବେଙ୍ଗାଲୁରୁ: ୨୦୨୧-୨୨ ଋତୁ ପରେ ରଣଜୀ ଟ୍ରଫି ଫାଇନାଲ୍‌ରେ ୪୧ ଥର ବିଜେତା ମୁମ୍ବାଇ ସହିତ ମଧ୍ୟପ୍ରଦେଶର ମୁକାବିଲା ହେବ। ବେଙ୍ଗାଲୁରୁରେ ଅନୁଷ୍ଠିତ ସେମିଫାଇନାଲ୍‌ରେ ମୁମ୍ବାଇ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଉତ୍ତରପ୍ରଦେଶକୁ ପରାସ୍ତ କରିଥିବା ବେଳେ ବେଙ୍ଗଲ୍ ବିପକ୍ଷରେ ମଧ୍ୟପ୍ରଦେଶ ୧୭୪ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା। ଜୁନ୍‌ ୨୨ ତାରିଖରୁ‌ ବେଙ୍ଗାଲୁରୁଠାରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ। କିଂବଦନ୍ତି କ୍ରି‌କେଟ୍ ଗୁରୁ ରମାକାନ୍ତ ଅଚରେକରଙ୍କ ଦୁଇ ଶିଷ୍ୟ ଚନ୍ଦ୍ରକାନ୍ତ ପଣ୍ଡିତ (ମଧ୍ୟପ୍ରଦେଶ ପ୍ରଶିକ୍ଷକ) ଏବଂ ଅମୋଲ ମଜୁଦମାର (ମୁମ୍ବାଇ ପ୍ରଶିକ୍ଷକ)ଙ୍କ ମଧ୍ୟରେ ଏହି ପରୋକ୍ଷ ଲଢ଼େଇ ମଧ୍ୟ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ବେଙ୍ଗାଲୁରୁର କେଏସ୍‌ସିଏ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ସେମିଫାଇନାଲ୍‌ରେ ପ୍ରଥମ ପାଳିରେ ପଛୁଆ ଥିବା ବେଙ୍ଗଲ୍ ସମ୍ମୁଖରେ ୩୫୦ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ମଧ୍ୟପ୍ରଦେଶ। ଶନିବାର ପଞ୍ଚମ ଦିନ ସକାଳେ ୯୬/୪ରୁ ଖେଳ ଆରମ୍ଭ କରିଥିବା ବେଙ୍ଗଲ କିନ୍ତୁ ୧୭୫ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।

ଦୁଇ ଭରସାଯୋଗ୍ୟ ବ୍ୟାଟର୍‌ ଅଧିନାୟକ ଅଭିମନ୍ୟୁ ଈଶ୍ବରନ୍ (୭୮) ଏବଂ ଅନସ୍ତୁପ ମଜୁମଦାର (୮) ବିଶେଷ କିଛି କରିନପାରିବା ଫଳରେ ଏହି ପୂର୍ବାଞ୍ଚଳ ଦଳ ଆଗକୁ ବଢ଼ି ପାରିନଥିଲା। କୁମାର କାର୍ତ୍ତିକେୟ (୫/୬୭),‌ ଗୌରବ ୟାଦବ (୩/୧୯), ସାରାଂଶ ଜୈନ (୨/୬୯) ୱିକେଟ୍ ବାଣ୍ଟି ନେଇଥିଲେ। ପୂର୍ବରୁ ମଧ୍ୟପ୍ରଦେଶର ୩୪୧ ରନ୍ ପ୍ରଥମ ପାଳି ଜବାବରେ‌ ବେଙ୍ଗଲ ୨୭୩ ରନ୍‌ କରିଥିଲା। ମଧ୍ୟପ୍ରଦେଶ ଦ୍ବିତୀୟ ପାଳିରେ ୨୮୧ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ମଧ୍ୟପ୍ରଦେଶର ପ୍ରଥମ ପାଳିରେ ବିଶାଳ ଶତକ (୧୬୫) ଅର୍ଜନ କରିଥିବା ହିମାଂଶୁ ମନ୍ତ୍ରୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମନ୍ତ୍ରୀ ଓ କାର୍ତ୍ତିକେୟଙ୍କ ପ୍ରଦର୍ଶନ କାରଣରୁ ଦୀର୍ଘ ୨୩ ଋତୁ ପରେ ମଧ୍ୟପ୍ରଦେଶ ଫାଇନାଲ୍ ପ୍ରବେଶ କରିଛି।

ବେଙ୍ଗାଲୁରୁର ଜଷ୍ଟ କ୍ରିକେଟ୍‌ ଏକାଡେମି ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ବିତୀୟ ସେମିଫାଇନାଲ୍‌ରେ ମୁମ୍ବାଇ ମଧ୍ୟ ଶେଷ ଦିନରେ ବ୍ୟାଟିଂ ଜାରି ରଖିଥିଲା। ମୁମ୍ବାଇ ୭୪୬ ରନ୍‌ର ବିଶାଳ ଅଗ୍ରଣୀ ନେବା ସତ୍ତ୍ବେ ପାଳି ଘୋଷଣା କରିନଥିଲା। ଫଳରେ ମୁମ୍ବାଇର ଦ୍ବିତୀୟ ପାଳି ୫୩୩/୪ରେ ହିଁ ମ୍ୟାଚ୍‌ ଶେଷ ହୋଇଥିଲା। ସୂଚନାଯୋଗ୍ୟ, ପ୍ରଥମ ପାଳିରେ ୩୯୩ ରନ୍ କରିଥିବା ମୁମ୍ବାଇର ବୋଲରମାନେ ଉତ୍ତର ପ୍ରଦେଶ ପ୍ରଥମ ପାଳିକୁ ୧୮୦ ରନ୍‌ରେ ଶେଷ କରି ଦେଇଥିଲେ। ଯଶସ୍ବୀ ଜୟସ୍ବାଲ୍ (୧୦୦ ଓ ୧୮୧) ଏକ ରଣଜୀ ଟ୍ରଫିର ଉଭୟ ପାଳିରେ ଶତକ ହାସଲ କରିବାରେ ମୁମ୍ବାଇର ନବମ ଖେଳାଳି ହେବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ମୁମ୍ବାଇ ୬ ବର୍ଷ ପରେ ରଣଜୀ ଫାଇନାଲ୍‌ ଖେଳିବ।

ସମ୍ବନ୍ଧିତ ଖବର