ମୁମ୍ବାଇ: ଶାର୍ଦୁଳ ଠାକୁର (୨/୪୮, ୧୦୯, ୨/୧୬)ଙ୍କ ସୁପର ସୋ’ ବଳରେ ତାମିଲନାଡ଼ୁକୁ ଗୋଟିଏ ପାଳି ଓ ୭୦ ରନ୍‌ରେ ସ୍ତବ୍ଧ କରି ମୁମ୍ବାଇ ରେକର୍ଡ ୪୮ତମ ଥର ପାଇଁ ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଛି। ମାର୍ଚ୍ଚ ୧୦ରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ବିଦର୍ଭ କିମ୍ବା ମଧ୍ୟପ୍ରଦେଶକୁ ଭେଟିବ ମୁମ୍ବାଇ। ବିଦର୍ଭ ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯାଉଥିବା ଅନ୍ୟ ଏକ ସେମିଫାଇନାଲ୍‌ ରୋମାଞ୍ଚକ ମୋଡ଼ରେ ରହିଛି। ରବିବାର ସୁଦ୍ଧା ମଧ୍ୟପ୍ରଦେଶ ପଲା ଭାରି ଥିଲା ବେଳେ ସୋମବାର ବିଦର୍ଭ ଫର୍ମକୁ ଫେରିଛି। ଏଣୁ ଏହି ଦୁଇ ଦଳ ଭିତରୁ କିଏ ମୁମ୍ବାଇ ସହ ଫାଇନାଲ୍ ଖେଳିବ, ତାହା ଆଗାମୀ ଦୁଇ ଦିନ ଭିତରେ ସ୍ପଷ୍ଟ ହୋଇଯିବ। ତିନିଦିନ ଭିତରେ ‌ଶେଷ ହୋଇଯାଇଥିବା ମୁମ୍ବାଇ-ତାମିଲନାଡ଼ୁ ଦ୍ବିତୀୟ ‌ସେମିଫାଇନାଲ୍‌ରେ ମୁମ୍ବାଇ ରବିବାରର ସ୍କୋର ୩୫୩/୯ରୁ ଖେଳ ଆରମ୍ଭ କରି ୩୭୮ ରନ୍‌ରେ ପାଳି ଶେଷ କରିଥିଲା। ୭୪ ରନ୍‌ରେ ଅପରାଜିତ ଥିବା ତନୁଶ କୋଟିଆନ୍ ଓ ତୁଷାର ଦେଶପାଣ୍ଡେ ଦଶମ ୱିକେଟ୍ ଭାଗୀଦାରିକୁ ୮୮ ରନ୍‌କୁ ଟାଣି ନେଇଥିଲେ। ତୁଷାରଙ୍କୁ ଆଉଟ୍ କରି ୱାସିଂଟନ୍ ସୁନ୍ଦର ଏହି ବିପଜ୍ଜନକ ଯୋଡ଼ିକୁ ଭାଙ୍ଗିଥିଲେ। ତେବେ ସେତେବେଳକୁ ୨୩୨ ରନ୍‌ର ଅଗ୍ରଣୀ ଲାଭ କରି ମୁମ୍ବାଇ ମ୍ୟାଚ୍‌କୁ ଏକପ୍ରକାର ନିଜ ନିୟନ୍ତ୍ରଣକୁ ନେଇସାରିଥିଲା।

Advertisment

ତିନିଦିନ ଭିତରେ ତାମିଲନାଡୁର ଶୋଚନୀୟ ପରାଜୟ
ରୋଚକ ମୋଡ଼ରେ ବିଦର୍ଭ-ମଧ୍ୟପ୍ରଦେଶ ପ୍ରଥମ ସେମିଫାଇନାଲ୍

ମଧ୍ୟାହ୍ନଭୋଜନ ପୂର୍ବରୁ ଦ୍ବିତୀୟ ପାଳି ଆରମ୍ଭ କରିଥିବା ତାମିଲନାଡ଼ୁ ପୁଣି ଥରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ପାଳିରେ ମାତ୍ର ୧୪୬ ରନ୍‌ରେ ଅଲ୍ଆଉଟ୍ ହେବାର ଭୁଲ୍‌ରୁ କୌଣସି ଶିକ୍ଷା ଗ୍ରହଣ ନକରି ଦୁଇ ଓପନର ସାଇ ସୁଦର୍ଶନ ଓ ନାରାୟଣ ଜଗଦୀଶାନଙ୍କ ସହ ଅଲରାଉଣ୍ଡର୍‌ ୱାସିଂଟନ୍ ସୁନ୍ଦର ମାତ୍ର ୧୦ ରନ୍‌ ଭିତରେ ନିଜନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ସାମ୍ସ ମୁଲାନି (୪/୫୩)ଙ୍କ ନେତୃତ୍ବରେ ମୁମ୍ବାଇ ବୋଲରମାନେ ଶାଣିତ ବୋଲିଂ କରି ତାମିଲନାଡ଼ୁ ବ୍ୟାଟର୍‌ଙ୍କୁ ଜଣକ ପରେ ଜଣେ ପ୍ୟାଭିଲିୟନ ପଠାଇଥିଲେ। ଫଳରେ ତାମିଲନାଡ଼ୁ ଲଗାତାର ଦୁଇଟି ପାଳିରେ ଦୁର୍ବଳ ବ୍ୟାଟିଂ କରି ମାତ୍ର ୧୬୪ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଶାର୍ଦୁଳଙ୍କୁ ତାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ନାଗପୁରରେ ଚାଲିଥିବା ପ୍ରଥମ ସେମିଫାଇନାଲ୍‌ର ଦ୍ବିତୀୟ ପାଳିରେ ବିଦର୍ଭ ଅପେକ୍ଷାକୃତ ଭଲ ବ୍ୟାଟିଂ କରିବା ପରେ ମ୍ୟାଚ୍‌ର ରୋମାଞ୍ଚ ବଢ଼ିଛି। ପ୍ରଥମ ପାଳିରେ ବିଦର୍ଭ ମାତ୍ର ୧୭୦ ରନ୍ କରିବା ପରେ ପ୍ରତିପକ୍ଷ ମଧ୍ୟପ୍ରଦେଶ ୨୫୨ ରନ୍ କରି ୭୨ ରନ୍‌ର ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିଲା। ଲାଗୁଥିଲା ମଧ୍ୟପ୍ରଦେଶକୁ ସହଜରେ ନିୟନ୍ତ୍ରଣକୁ ନେଇଯିବ। ‌ହେଲେ ସୋମବାର ବିଦର୍ଭ ବ୍ୟାଟର୍ ଲଢ଼ିଥିଲେ। ୟଶ୍ ରାଠୋଡ଼ଙ୍କ ଅପରାଜିତ ୯୭ ରନ୍ ସହ ଅମନ ମୋଖାଡ଼େଙ୍କ ୫୯ ରନ୍ ବଳରେ ଆଜି ତୃତୀୟ ଦିନର ଖେଳ ବନ୍ଦ ବେଳକୁ ବିଦର୍ଭ ତା’ର ଦ୍ବିତୀୟ ପାଳିରେ ୬ ୱିକେଟ୍ ବିନିମୟରେ ୩୪୩ ରନ୍ କରି ନେଇଛି। ଫଳରେ ହାତରେ ୪ ୱିକେଟ୍ ଥାଇ ୨୬୧ ରନ୍‌ରେ ଆଗୁଆ ରହିଛି। ଆଉ ପୂରା ୨ ଦିନର ‌ଖେଳ ବାକିଥିବାରୁ ଏହି ମ୍ୟାଚ୍‌ର ଫଳାଫଳ ମିଳିବା ସମ୍ଭାବନା ବଢ଼ିଛି।

ମ୍ୟାଚ୍‌ ବ୍ୟବଧାନ ବଢ଼ାଇବା ସପକ୍ଷରେ ଶାର୍ଦୁଳ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ସମୟ ବ୍ୟବଧାନ ବଢାଇବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ଶାର୍ଦୁଳ ଠାକୁର। ମୁମ୍ବାଇକୁ ରଣଜୀ ଟ୍ରଫି ଫାଇନାଲ୍‌ରେ ପହଞ୍ଚାଇବା ପରେ ଶାର୍ଦୁଳ କହିଛନ୍ତି ଯେ, ଆସନ୍ତା ଋତୁଠୁ ଖେଳସୂଚୀ ପ୍ରସ୍ତୁତ ହେବା ବେଳେ ବିସିସିଆଇ ତାହାକୁ ଭଲଭାବେ ତର୍ଜମା କରୁ। ୧୦ଟି ମ୍ୟାଚ୍‌ର ପ୍ରତ୍ୟେକ ମ୍ୟାଚ୍‌ ମଝିରେ ମାତ୍ର ୩ ଦିନିଆ ବିଶ୍ରାମ ଦିନ ରହୁଥିବାରୁ ଖେଳାଳିମାନେ ଆହତ ହେବା ସମ୍ଭାବନା ବଢ଼ିଯାଉଛି। ଗୋଟିଏ ମ୍ୟାଚ୍‌ ପରେ ମାତ୍ର ୩ଦିନ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଖେଳାଳିମାନେ ପ୍ରସ୍ତୁତ ହେବା ଅସମ୍ଭବ। ଯଦି ଏଭଳି ଆଉ ଦୁଇ ଋତୁ ଧରି ଖେଳାଯାଏ, ତାହେଲେ ଦେଶବ୍ୟାପୀ ‌ଅନେକ ଖେଳାଳି ଆହତ ହେବେ। ପୂର୍ବରୁ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ରହୁଥିଲା। ୭-୮ ବର୍ଷ ତଳେ ଲିଗ୍‌ ପର୍ଯ୍ୟାୟରେ ୩ ଦିନ ଓ ପରେ ୪ଦିନ ବ୍ୟବଧାନ ରହୁଥିଲା। ନକ୍‌ଆଉଟ୍‌ ପର୍ଯ୍ୟାୟରେ ୫ଦିନିଆ ବ୍ୟବଧାନ ରହୁଥିଲା ବୋଲି ଶାର୍ଦୁଳ କହିଛନ୍ତି। ନିଜର ଆନ୍ତର୍ଜାତିକ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଉପରେ ଶାର୍ଦୁଳ କହିଛନ୍ତି, ଏହି ଲକ୍ଷ୍ୟ ଏବେ ବହୁତ ଦୂରରେ ଅଛି। ଏହା ବିଷୟରେ ମୁଁ ଏବେ ଚିନ୍ତା କରୁନାହିଁ। କିନ୍ତୁ ରଣଜୀ ଟ୍ରଫିରେ ଶତକ ଅର୍ଜନ କରିବା ବହୁତ ବଡ଼ କଥା। ଏହା ମୋତେ ଆଶ୍ବସ୍ତି ଦେବା ସହ ଦଳକୁ ଆଗକୁ ନେବାରେ ସହାୟକ ହୋଇଛି। ସୂଚନାଯୋଗ୍ୟ, ‌ଚଳିତ ରଣଜୀ ଟ୍ରଫି ସେମିଫାଇନାଲ୍‌ରେ ଶାର୍ଦୁଳ ନବମ ସ୍ଥାନରେ ବ୍ୟାଟିଂ ଆସି ୧୦୯ ରନ୍‌ର ଶତକୀୟ ପାଳି ଖେଳିବା ସହ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ।