କଟକ: ବହୁ ପ୍ରତୀକ୍ଷିତ ପ୍ରାରମ୍ଭିକ ଶତକୀୟ ଭାଗୀଦାରି ଯୋଗୁଁ ଓଡ଼ିଶା ଡ୍ରିମ୍ସ ରଣଜୀ ମ୍ୟାଚ୍‌ରେ ତାମିଲନାଡ଼ୁ ବିପକ୍ଷରେ ଭଲ ସ୍ଥିତିରେ ପହଞ୍ଚିଛି। ପାଳି ଅଗଣୀ ନେବା ଏବଂ ପରାଜୟ ଏଡ଼ାଇବାର ସୁଯୋଗ ରଖିଛି ଘରୋଇ ଦଳ। ତୃତୀୟ ଦିନ ଶେଷ ସୁଦ୍ଧା ଓଡ଼ିଶା ପ୍ରଥମ ପାଳିରେ ୪ ଓ୍ଵିକେଟ ବିନିମୟରେ ୨୮୬ ରନ୍‌ ସଂଗ୍ରହ କରିଛି। ଆଉ ମାତ୍ର ଗୋଟିଏ ଦିନ ହାତରେ ଥିବାରୁ ମ୍ୟାଚ୍‌ରୁ ଫଳାଫଳ ବାହାରିବା ସମ୍ଭାବନା ପ୍ରାୟ ନାହିଁ। ବିପ୍ଳବ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ରକ୍ଷଣାତ୍ମକ ଶୈଳୀରେ ଖେଳ ଜାରି ରଖିଛନ୍ତି। ଶେଷ ଦିନରେ ଓ୍ଵିକେଟ ବଞ୍ଚାଇ ଖେଳିବାକୁ ଓଡ଼ିଶା ଯୋଜନା ରଖିଛି। ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଏବେ ହାତରେ ୬ ଓ୍ଵିକେଟ୍‌ ଥାଇ ୨୪୪ ରନ୍‌ ପଛରେ ରହିଛି। ଫଳରେ ଓଡ଼ିଶା ପାଇଁ ବି ଏହି ମ୍ୟାଚ୍‌ ମୁକୁଳା ରହିଛି।

Advertisment

ତାମିଲନାଡ଼ୁ ପ୍ରଥମ ପାଳିର ୫୩୦ ରନ୍‌ର ବିଶାଳ ରନ୍‌କୁ ପିଛା କରିବାକୁ ଥିବାରୁ ନଟରାଜ ବେହେରା ଓ ସନ୍ଦୀପ ପଟ୍ଟନାୟକଙ୍କ ଆଗରେ ଏହା ବଡ଼ ପରୀକ୍ଷା ରୂପେ ଉପନୀତ ହୋଇଥିଲା। ପୂର୍ବ ତିନୋଟି ମ୍ୟାଚ୍‌ରେ ପ୍ରାରମ୍ଭିକ ଯୋଡ଼ି ବିଫଳ ହେଉଥିବାରୁ ତାହାର ଚାପ ସଂପୂର୍ଣ୍ଣ ବ୍ୟାଟିଂ କ୍ରମ ଉପରେ ପଡ଼ୁଥିଲା। ଏହି ମ୍ୟାଚରେ ଉଭୟ ଧୈର୍ଯ୍ୟର ସହ ପ୍ରତ୍ୟେକ ବଲ୍‌କୁ ରକ୍ଷଣାତ୍ମକ ଭଙ୍ଗୀରେ ଖେଳିଥିଲେ। ଉଭୟ ଅର୍ଧଶତକ ହାସଲ କରିବା ସହ ଉଭୟଙ୍କ ମଧ୍ୟରେ ୧୨୮ରନ୍‌ର ମହତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା। ମଧ୍ୟାହ୍ନ ବିରତିର ୩ ଓଭର ପୂର୍ବରୁ ୟୋ ମହେଶଙ୍କ ବଲ୍‌କୁ ଫ୍ଲିକ୍‌ କରିବାକୁ ଯାଇଥିଲାବେଳେ ଏହା ସନ୍ଦୀପଙ୍କ ବ୍ୟାଟ୍‌ରୁ ଏଜ୍‌ ନେଇ କଭର୍‌ କ୍ଷେତ୍ରରକ୍ଷକଙ୍କ ହାତରେ ପଡ଼ିଯାଇଥିଲା। ସେତେବେଳକୁ ସନ୍ଦୀପ ୧୨୭ ବଲ୍‌ରେ ୧୧ ଚୌକା ସହାୟତାରେ ୬୬ ରନ୍‌ କରିଥିଲେ। ନଟରାଜଙ୍କ ସହ ଅଧିନାୟକ ଗୋବିନ୍ଦ ପୋଦ୍ଦାର ପାଳି ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ ବି ଆରମ୍ଭରୁ ଆଉଟ ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ୟୋ ମହେଶଙ୍କ ଆଉଟ୍‌ ସୁଇଂ ଗୋବିନ୍ଦଙ୍କ ବ୍ୟାଟ୍‌କୁ ଛୁଇଁ ଓ୍ଵିକେଟ ରକ୍ଷକ ଜଗଦୀଶନଙ୍କ ଗ୍ଲୋଭ୍‌ସକୁ ଯାଇଥିଲେ ବି ସେ ତାହାକୁ ହାତଛଡ଼ା କରିଥିଲେ। ସେତେବେଳକୁ ଗୋବିନ୍ଦ ମାତ୍ର ୪ରନ୍‌ କରିଥିଲେ। ୬୧.୧ ଓଭରରେ ଗୋବିନ୍ଦ ୨୯ରନ୍‌ କରିଥିଲାବେଳେ ଓ୍ଵାସିଙ୍ଗଟନ୍‌ ସୁନ୍ଦରଙ୍କ ଓଭରପିଚ୍‌ ବଲ୍‌କୁ ବଡ଼ ସଟ୍‌ ମାରିବା ଚକ୍କରରେ ମିଡ୍‌ଓ୍ଵିକେଟ ଅଞ୍ଚଳରେ ଧରାପଡ଼ିଥିଲେ। ସେହି ଓଭରର ପଞ୍ଚମ ବଲ୍‌ରେ ଶୁଭ୍ରାଂଶୁ ସେନାପତି (୪) ମଧ୍ୟ ବୋଲ୍‌ଡ ହୋଇଯିବାରୁ ଘରୋଇ ଦଳକୁ ତୃତୀୟ ଝଟ୍‌କା ଲାଗିଥିଲା। ଶତକ ଆଡ଼କୁ ଅଗ୍ରସର ହେଉଥିବା ନଟରାଜ ମାତ୍ର ୯ରନ୍‌ ଦୂରରେ ଥିବାବେଳେ ରାହିଲ ସାହାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇ ଦିନର ଚତୁର୍ଥ ଓ୍ଵିକେଟ ଭାବେ ଆଉଟ ହୋଇଥିଲେ। ତାଙ୍କ ୨୦୮ ବଲ୍‌ ପାଳିରେ ୧୩ ଚୌକା ଓ ୧ ଛକା ସାମିଲ ଥିଲା। ଚଳିତ ଋତୁରେ ନିଜର ପ୍ରତମ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ନବମ ପ୍ରଥମ ଶ୍ରେଣୀ ଶତକରୁ ବଞ୍ଚିତ ରହିଥିଲେ। ୨୦୮ ରନରେ ଚତୁର୍ଥ ଓ୍ଵିକେଟ ହରାଇଥିବା ଓଡ଼ିଶା ପାଳିକୁ ସମ୍ଭାଳିବା ପାଇଁ ବିପ୍ଲବ ସାମନ୍ତରାୟ ଓ ଶାନ୍ତନୁ ମିଶ୍ର ପାଖାପାଖି ଅଢେଇ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟିଂ କରିସାରିଲେଣି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଶାନ୍ତନୁ ୧୨୧ ବଲ୍‌ରେ ୩୭* ରନ୍‌ ଓ ବିପ୍ଲବ ୯୦ ବଲ୍‌ରୁ ୪୪* ରନ୍‌ ସଂଗ୍ରହ କରିଥିଲେ। ଏହି ଯୁବ ଅଭିଜ୍ଞ ଯୋଡ଼ି ପୁଣି ଏକ ଅର୍ଧଶତକୀୟ ଭାଗୀଦାରି କରି ଅତୁଟ ପଞ୍ଚମ ଓ୍ଵିକେଟ୍‌ ପାଇଁ ୭୮* ରନ୍‌ ଯୋଡ଼ି ସାରିଛନ୍ତି। ଶନିବାରର ଚା’ପାନ ବିରତି ପରବର୍ତୀ ଅଧିବେଶନରେ କୌଣସି ଓ୍ଵିକେଟ୍‌ ହରାଇନଥିଲା ଓଡ଼ିଶା।

ସିକେ ନାୟୁଡୁ ଟ୍ରଫି: ଓଡ଼ିଶା ୧୮୬ ରନ୍‌ରେ ସୀମିତ

କଟକ: ବୋକାରୋଠାରେ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍‌ ସିକେ ନାୟୁଡୁ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ଝାଡ଼ଖଣ୍ଡ୍‌ ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିନରେ ୧୮୬ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ଦେବାଶିଷ ସାମନ୍ତରାୟ (୨୫) ପ୍ରଥମ ଝଟ୍‌କା ହୋଇଥିଲାବେଳେ ଅମ୍ରିତ୍‌ ଖଟୁଆ (୩୦), ସୁବ୍ରତ ସାମଲ (୨୯), ଦେବେନ୍ଦ୍ର କୁଅଁର (୩୧), ସୌରଭ ରାଓ୍ଵତ (୨୧) ଓ ନିମ୍ନକ୍ରମରେ ଆଶୁତୋଷ ଦାସ (୨୮) ଦଳୀୟ ରନ୍‌ରେ ଅଳ୍ପକିଛି ଯୋଗଦାନ କରିଥିଲେ। ଝାଡ଼ଖଣ୍ଡର ରୋନିତ ସିଂହ ୭ଟି ଓ୍ଵିକେଟ ନେଇ ଓଡ଼ିଶା ବ୍ୟାଟିଂକ୍ରମକୁ ବିପର୍ଯ୍ୟସ୍ତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ପ୍ରତୀକ ରଂଜନ, ବିନାୟକ ବିକ୍ରମ ଓ ସୁପ୍ରିୟ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ଵିକେଟ ପାଇଥିଲେ। ଜବାବରେ ଘରୋଇ ଝାଡ଼ଖଣ୍ଡ ୩୪ ଓଭରରେ ୩ ଓ୍ଵିକେଟ ହରାଇ ୧୧୮ ରନ୍‌ ସଂଗ୍ରହ କରିଛି। ସୁପ୍ରିୟ ଚକ୍ରବର୍ତ୍ତୀ ଓ ସାଶିମ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲାବେଳେ ପ୍ରତ୍ୟୁଷ ସିଂହ (୪୯) ଦଳର ତୃତୀୟ ଓ୍ଵିକେଟ ଭାବେ ପ୍ୟାଭିଲିଅନ୍‌ ଫେରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ବିରାଟ ସିଂହ ୪୮* ଓ କୁମାର ସୁରଜ ୧୨* ରନ୍‌ କରି ଖେଳୁଥିଲେ। ଦେବବ୍ରତ ପ୍ରଧାନ, ଶୁଭମ୍‌ ନାୟକ ଓ ପ୍ରୀତ୍‌ ସିଂହ ଚୌହାନ ଏହି ତିନି ଓ୍ଵିକେଟକୁ ବାଣ୍ଟିନେଇଛନ୍ତି।