ଭୁବନେଶ୍ବର: ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ପଞ୍ଚମ ପର୍ଯ୍ୟାୟ ରଣଜୀ ଟ୍ରଫିରେ ଓଡ଼ିଶା ପ୍ରଥମ ଦିନରେ ୧୯୧ ରନ୍ କରି ସମସ୍ତ ୱିକେଟ୍ ହରାଇଛି। ଏହାର ଜବାବରେ ହିମାଚଳ ପ୍ରଦେଶ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୨ ୱିକେଟ୍ ବିନିମୟରେ ୯୧ ରନ୍ ସଂଗ୍ରହ କରିସାରିଛି। ପାଳି ଅଗ୍ରଣୀଠୁ ହିମାଚଳ ଆଉ ୧୦୦ ରନ୍ ଦୂରରେ ରହିଛି। ରାଘବ ଧାୱନ୍ ୨୭ ଓ ଅଙ୍କିତ କଲ୍ସି ବିନା କୌଣସି ରନ୍ କରି ଯଥାକ୍ରମେ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଛନ୍ତି। ଅର୍ଦ୍ଧଶତକ ପୂରଣ କରିସାରିଥିବା ପ୍ରଶାନ୍ତ ଚୋପ୍ରା ଓ ଅମିତ କୁମାର ଅପରାଜିତ ରହିଛନ୍ତି। ଏଥିପୂର୍ବରୁ ଘାସୁଆ ପିଚ୍ରୁ ଫାଇଦା ଉଠାଇବା ପାଇଁ ରିଷି ଧାୱନ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।
ଶାନ୍ତନୁ ମିଶ୍ର ଏକାକି ଅର୍ଦ୍ଧଶତକ କରି ସଂଘର୍ଷମୟ ପାଳି ଖେଳିଥିଲେ ବି ତାଙ୍କୁ ଅନ୍ୟ ପଟରୁ ଉଚିତ୍ ସହଯୋଗ ମଳିନଥିଲା। ବିପର୍ଯ୍ୟୟର ଶିକାର ହୋଇ ଓଡ଼ିଶା ମଧ୍ୟାହ୍ନ ବିରତି ସୁଦ୍ଧା ଅଧା ୱିକେଟ୍ (୯୩/୫) ହରାଇସାରିଥିଲା। ପ୍ରୟାସ ସିଂହଙ୍କ ବ୍ୟାଟ୍ରୁ କିଛି ଭଲ ସଟ୍ ବାହାରିଥିଲା। କିନ୍ତୁ ପଦାର୍ପଣକାରୀ ସୁନୀଲ ରାଉଳ ଖାତା ଖୋଲିବାରେ ଅସଫଳ ହୋଇଥିଲେ। ପ୍ରତିପକ୍ଷର ବୈଭବ ଆରୋରା ୫ ୱିକେଟ୍ ସଫଳତା ପାଇଥିଲା ବେଳେ କନ୍ୱର ଅଭିନୟ ଓ ରିଷି ଧାୱନ ୨ ୱିକେଟ୍ ଲେଖାଏଁ ବାଣ୍ଟି ନେଇଥିଲେ।