ଭୁବନେଶ୍ବର: ଇନ୍ଦୋରରେ ଶୁକ୍ରବାରଠାରୁ ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ବଡ଼ ବ୍ୟାଟିଂ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ଶୁଭ୍ରାଂଶୁ ସେନାପତି ଓ ରାଜେଶ ଧୂପରଙ୍କ ଲଢ଼ୁଆ ଅର୍ଦ୍ଧଶତକ ତଥା ଶତକୀୟ ଭାଗୀଦାରି କାରଣରୁ ଭ୍ରମଣକାରୀ ଦଳ ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଛି।
ଶୁକ୍ରବାର ମଧ୍ୟପ୍ରଦେଶ ଅଧିନାୟକ ଆଦିତ୍ୟ ଶ୍ରୀବାସ୍ତବ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲେ। ଏହି ନିଷ୍ପତ୍ତିକୁ ଘରୋଇ ଦଳର ବୋଲରମାନେ ଯଥାର୍ଥ ସାବ୍ୟସ୍ତ କରିବାରୁ ଓଡ଼ିଶା ୨୨ତମ ଓଭର ବେଳକୁ ୩୮/୪ରେ ସଂଘର୍ଷ କରିଥିଲା। ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରାରମ୍ଭିକ ଯୋଡ଼ି ଶାନ୍ତନୁ ମିଶ୍ର (୨) ଓ ଅନୁରାଗ ଷଡ଼ଙ୍ଗୀ (୯)ଙ୍କ ସହ ସନ୍ଦୀପ ପଟ୍ଟନାୟକ (୧୧) ସଅଳ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଦ୍ରୁତ ବୋଲର ଆର୍ଯ୍ୟନ ପାଣ୍ଡେ ଓ କୁଲୱନ୍ତ ଖେଜରୋଲିୟା ଏହି ଦୁଇ ଜଣଙ୍କୁ ବୋଲ୍ଡ କରିନେଇଥିଲେ। ଏହା ପରେ ଅର୍ନ୍ତଜାତୀୟ ଖେଳାଳି ଭେଙ୍କଟେଶ ଆୟର ଲଗାତାର ଭାବେ ସନ୍ଦୀପ ପଟ୍ଟନାୟକ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ଶିକାର କରିଥିଲେ। ସନ୍ଦୀପଙ୍କୁ ଏହି କେକେଆର୍ ଅଲରାଉଣ୍ଡର୍ ଷ୍ଟମ୍ପିଂ କରାଇଥିବା ବେଳେ ଗୋବିନ୍ଦ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ଏହି ସମୟରେ କିନ୍ତୁ ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ୱିକେଟ୍ରକ୍ଷକ ବ୍ୟାଟର୍ ରାଜେଶ ଧୂପର ୪୦.୫ ଓଭରରେ ଆଉ ୱିକେଟ୍ ନ ଦେଇ ୧୧୮ ରନ୍ ଯୋଡ଼ିଥିଲେ। ଓଡ଼ିଶା ସ୍ଥିତି ସାମାନ୍ୟ ସୁଧୁରିଥିଲା। ଚା’ପାନ ବିରତି ପରେ ପ୍ରଥମ ମ୍ୟାଚ୍ରୁ ବଞ୍ଚିତ ଅଭିଜ୍ଞ ୱିକେଟ୍ରକ୍ଷକ ରାଜେଶ ଧୂପର ଅର୍ଦ୍ଧଶତକ (୫୧ ରନ୍, ୧୪୧ ବଲ୍, ୬ ଚୌକା, ୧ ଛକା) ହାସଲ କରିବା ପରେ ଅଫସ୍ପିନର୍ ସାରାଂଶ ଜୈନଙ୍କ ବୋଲିଂରେ ୱିକେଟରକ୍ଷକ ହିମାଂଶୁ ମନ୍ତ୍ରୀଙ୍କ ଗ୍ଲୋଭ୍ସରେ ଧରା ପଡ଼ିଥିଲେ। ୧୫୬ ରନ୍ରେ ଓଡ଼ିଶା ପଞ୍ଚମ ୱିକେଟ୍ ହରାଇଥିଲା। ଏହି ସମୟରେ ଶୁଭ୍ରାଂଶୁଙ୍କ ସହ ଯୋଗ ଦେଇ ପ୍ରୟାସ ସିଂହ (୭୩ ବଲ୍ରୁ ୨୭ ରନ୍, ୨ ଚୌକା, ୧ ଛକା) ୫୨ ରନ୍ର ଭାଗୀଦାରି କରିଥିଲେ। ପ୍ରୟାସଙ୍କୁ ଆର୍ଯ୍ୟନ ପାଣ୍ଡେ ବୋଲ୍ଡ କରିଦେବା ପରେ ଷ୍ଟମ୍ପ୍ସ ହୋଇଥିଲା। ଗତ ମୁକାବିଲାରେ ମଧ୍ୟପ୍ରଦେଶ ବିପକ୍ଷରେ ଶତକ ହାସଲ କରିଥିବାରୁ ଆତ୍ମବିଶ୍ବାସରେ ଥିବା ଶୁଭ୍ରାଂଶୁ ସେନାପତି ୮୭* ରନ୍ରେ ଅପରାଜିତ ଅଛନ୍ତି। ୨୦୮ ବଲ୍ ସମ୍ମୁଖୀନ ହୋଇ ସେ ୬ ଚୌକା ଓ ୧ ଛକା ବଳରେ ଶତକର ନିକଟତର ହୋଇଛନ୍ତି।
ଓଡ଼ିଶା ଏହି ମ୍ୟାଚ୍କୁ ୪ ପରିବର୍ତ୍ତନ ସହ ଖେଳୁଛି। ବରୋଦା ବିପକ୍ଷରେ ଖେଳିଥିବା ଦଳରୁ ଯୁବ ବ୍ୟାଟର୍ କାର୍ତ୍ତିକ ବିଶ୍ବାଳ, ୱିକେଟରକ୍ଷକ ଆଶୀର୍ବାଦ ବେହେରା ଓ ଦୁଇ ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନଙ୍କୁ ବାଦ୍ ଦିଆଯାଇଥିବା ବେଳେ ରାଜେଶ ଧୂପର, ସୁନିଲ ରାଉଳ, ପ୍ରୟାସ ସିଂହ, ହର୍ଷିତ ରାଠୋଡ଼ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଏଥି ସହିତ ହର୍ଷିତ ରାଠୋଡ଼ଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନ ରଣଜୀ ଟ୍ରଫିରୁ ଆରମ୍ଭ ହୋଇଛି। ଓଡ଼ିଶା ମଧ୍ୟ ୨ ଲେଖାଏଁ ପେସ୍ ଓ ସ୍ପିନରଙ୍କ ସହ ଜଣେ ମଧ୍ୟମଗତି ଅଲ୍ରାଉଣ୍ଡର୍ (ପ୍ରୟାସ ସିଂହ) ଯୋଜନାରେ ଖେଳୁଛି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୮୫.୩ ଓଭରରେ ୨୦୮/୬ (ଶୁଭ୍ରାଂଶୁ ସେନାପତି-୮୭*, ରାଜେଶ ଧୂପର-୫୧, ପ୍ରୟାସ ସିଂହ-୨୭, ଭେଙ୍କଟେଶ ଆୟର-୨/୨୫, ଆର୍ଯ୍ୟନ ପାଣ୍ଡେ-୨/୩୦, କୁଲୱନ୍ତ ଖେଜେରୋଲିୟା-୧/୩୧, ସାରାଂଶ ଜୈନ-୧/୩୯)।