ଭୁବନେଶ୍ବର: ବଡ଼ୋଦରାରେ ଚାଲିଥିବା ବରୋଦା ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ପଛେଇଯାଇଛି। ଦ୍ବିତୀୟ ଦିନ ସୁଦ୍ଧା ବରୋଦା ହାତରେ ୯ ୱିକେଟ୍ ଥାଇ ୨୧୬ ରନ୍‌ ଆଗୁଆ ହେବା ସହ ଦୃଢ଼ ସ୍ଥିତିରେ ରହିଛି। ଘରୋଇ ଦଳର ପ୍ରଥମ ପାଳି ୩୫୧ ରନ୍ ଜବାବରେ ଓଡ଼ିଶା ମାତ୍ର ୧୭୮ ରନ୍ କରି ସମସ୍ତ ୱିକେଟ୍‌ ହରାଇଛି। ଜବାବରେ ଶନିବାର ଖେଳ ଶେଷ ସୁଦ୍ଧା ବରୋଦା ଦ୍ବିତୀୟ ପାଳିରେ ୧ ୱିକେଟ୍‌ ହରାଇ ୪୩ ରନ୍ ସଂଗ୍ରହ କରିଛି।

Advertisment

ଶନିବାର ସକାଳେ ବରୋଦା ୩୨୨/୬ରୁ ଖେଳିଥିବା ବେଳେ ବିଶେଷ ବଢ଼ିପାରି ନଥିଲା। ଓଡ଼ିଶାର ଦୁଇ ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ମିଳିତ ଭାବେ ସକାଳର ୮.୫ ଓଭର ଭିତରେ ଶେଷ ୪ ୱିକେଟ୍ ଅକ୍ତିଆର କରି ନେଇଥିଲେ। ଅତୀତ ସେଠ (୫୭)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ୱିକେଟରକ୍ଷକ ଆଶୀର୍ବାଦ ସ୍ବାଇଁଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଏହା ପରେ ରାଜେଶ ମହାନ୍ତି ଲଗାତାର ବଲ୍‌ରେ ମହେଶ ପୀଠିୟା (୩) ଓ ଭାର୍ଗବ ଭଟ୍ଟ (୦)ଙ୍କୁ ଆଉଟ୍ କରି ବରୋଦାକୁ ରୋକିଥିଲେ। ରାଜେଶ ମଧ୍ୟ ମିତେଶ ପଟେଲ୍ (୧୧୬, ୧୫୧ ବଲ୍‌)ଙ୍କୁ ଶେଷ ୱିକେଟ୍‌ ଭାବେ ଆଉଟ୍ କରିଥିଲେ। ଏଥି ସହ ସବୁଠୁ ସଫଳ ରାଜେଶ ୨୦.୫-୪-୭୪-୪ ବୋଲିଂ ଚିତ୍ର ପାଇଥିଲେ।

ସୂର୍ଯ୍ୟକାନ୍ତ ୨ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଓଡ଼ିଶା ପ୍ରଥମ ପାଳି ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅନୁରାଗ ଷଡ଼ଙ୍ଗୀ (୫), ସନ୍ଦୀପ ପଟ୍ଟନାୟକ (୮), ଶୁଭ୍ରାଂଶୁ ସେନାପତି (୪), କାର୍ତ୍ତିକ ବିଶ୍ବାଳ (୨) ଦଳୀୟ ସ୍କୋର୍‌ ୪୨ ରନ୍ ଭିତରେ ପ୍ୟାଭିଲିଅନ୍ ଫେରିଯାଇଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର (୪୫, ୧୦୬ ବଲ୍‌, ୬ ଚୌକା) ଓ ଗୋବିନ୍ଦ ପୋଦ୍ଦାର (୬୮ ରନ୍‌, ୧୨୧ ବଲ୍‌, ୯ ଚୌକା) ପଞ୍ଚମ ୱିକେଟ୍‌ ପାଇଁ ୬୫ ରନ୍ ଯୋଡ଼ିଥିଲେ। ମଧ୍ୟାହ୍ନଭୋଜନ ବିରତି ପରେ ଶାନ୍ତନୁ ଆଉଟ୍ ହୋଇଯିବା ପରେ ନବାଗତ ଆଶୀର୍ବାଦ ସ୍ବାଇଁ (୨) ଷ୍ଟମ୍ପିଂ ହୋଇଯାଇଥିଲେ। ଏହା ପରେ କେବଳ ସୂର୍ଯ୍ୟକାନ୍ତ ପ୍ରଧାନ (୪୧ ବଲ୍‌ରୁ ୨୭ ରନ୍‌, ୩ ଚୌକା, ୧ ଛକା) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଓଡ଼ିଶା ପାଳି ୫୮.୨ ଓଭର ଓ ୧୭୮ ରନ୍‌ରେ ରହିଯାଇଥିଲା। ଅତୀତ ସେଠ୍ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଭାର୍ଗବ ଭଟ୍ଟ ଓ ନିନାଦ ରାଠୱା ୨-୨ ୱିକେଟ୍ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର: ବରୋଦା ପ୍ରଥମ ପାଳି: ୯୬.୫ ଓଭରରେ ୩୫୧ (‌ମିତେଶ ପଟେଲ୍‌-୧୧୬, ଜ୍ୟୋତ୍ସ୍ନୀଲ ସିଂହ-୭୩, ଅତୀତ ସେଠ-୫୭, ରାଜେଶ ମହାନ୍ତି-୪/୭୪, ସୂର୍ଯ୍ୟକାନ୍ତ ପ୍ରଧାନ-୨/୮୬, ଦେବବ୍ରତ ପ୍ରଧାନ-୧/୪୮, ଗୋବିନ୍ଦ ପୋଦ୍ଦାର-୧/୫୦, ଜୟନ୍ତ ବେହେରା-୧/୮୮)। ଓଡ଼ିଶା ପ୍ରଥମ ପାଳି: ୫୮.୨ ଓଭରରେ ୧୭୮/୧୦ (ଗୋବିନ୍ଦ ପୋଦ୍ଦାର-୬୮, ଶାନ୍ତନୁ ମିଶ୍ର-୪୫, ସୂର୍ଯ୍ୟକାନ୍ତ ପ୍ରଧାନ-୨୭, ଅତୀତ ସେଠ-୩/୫୦, ନିନାଦ ରାଠୱା-୨/୨୧, ଭାର୍ଗବ ଭଟ୍ଟ-୨/୨୮। ବରୋଦା ଦ୍ବିତୀୟ ପାଳି: ୧୩ ଓଭରରେ ୪୩/୧ (ଜ୍ୟୋତ୍ସ୍ନୀଲ ସିଂହ-୨୮*, ଶାଶ୍ବତ ରାୱତ-୧୪*, ଦେବବ୍ରତ ପ୍ରଧାନ-୧/୫)।