ଭୁବନେଶ୍ବର: ଓଡ଼ିଶା ରଣଜୀ ଦଳ ଦ୍ବିତୀୟ ଥର ପାଇଁ ଚଳିତ ଋତୁରେ ୪୦୦ ରନ୍ ଅତିକ୍ରମ କରିଛି। ଟାଙ୍ଗୀର ଡ୍ରିମ୍ସ ପଡିଆରେ ଚାଲିଥିବା ଆସାମ ବିପକ୍ଷ ମ୍ୟାଚ୍ରେ ଶୁଭ୍ରାଂଶୁ ସେନାପତିଙ୍କ ଦଳ ୫ଟି ଅର୍ଧଶତକ ସହାୟତାରେ ୪୩୬ ରନ୍ କରିଛି। ସେହି ପଡିଆରେ ସର୍ଭିସେସ୍ ବିପକ୍ଷରେ ୫୪୦ ରନ୍ କରିଥିବା ଓଡ଼ିଶା ଦଳ ମଧ୍ୟ ଦ୍ବିତୀୟ ଥର ପାଇଁ ୩୦୦ ଟପିଥିଲା। ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଆସାମ ୩ ୱିକେଟ୍ ବିନିମୟରେ ୫୯ ରନ୍ କରିଛି। ମଙ୍ଗଳବାର ଓଡ଼ିଶା ୨୧୫/୩ରୁ ଖେଳ ଆରମ୍ଭ କରିଥିଲା। ପୂର୍ବ ସଂଧ୍ୟାର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ଯୋଡ଼ି ଗୋବିନ୍ଦ ପୋଦ୍ଦାର (୫୮, ୧୫୦ ବଲ୍, ୯ ଚୌକା) ଏବଂ ବିପ୍ଳବ ସାମନ୍ତରାୟ (୩୭, ୯୩ ବଲ୍, ୫ ଚୌକା) ଯଥାକ୍ରମେ ୪ ଓ ୫ ରନ୍ ଯୋଡ଼ି ସଅଳ ଆଉଟ୍ ହୋଇଯାଇଥିଲେ। ଉଭୟ ୮ ବଲ୍ ଭିତରେ ଆଉଟ୍ ହେବା ପରେ ରାଜେଶ ଧୂପର (୧୩) ମଧ୍ୟ ଅରୂପ ଦାସଙ୍କ ଅନ୍ୟତମ ଶିକାର ହୋଇଥିଲେ। ୨୪୮ ରନ୍ରେ ୬ ୱିକେଟ୍ ହରାଇ ଓଡ଼ିଶା ସଙ୍କଟରେ ପଡ଼ିଥିବା ବେଳେ ଅଭିଷେକ ରାଉତ (୭୧, ୧୧୬ ବଲ୍, ୯ ଚୌକା), ଦେବବ୍ରତ ପ୍ରଧାନ (୭୯, ୧୨୫ ବଲ୍, ୧୦ ଚୌକା, ୨ ଛକା), ସୂର୍ଯ୍ରକାନ୍ତ ପ୍ରଧାନ (୩୧, ୧୫ ବଲ୍, ୩ ଚୌକା, ୧ ଛକା) ଏବଂ ରାଜେଶ ମହାନ୍ତି (୧୨, ୯ ବଲ୍, ୩ ଚୌକା) ବଢ଼ିଆ ବ୍ୟାଟିଂ କରିବାରୁ ଦଳ ୪୩୬ ରନ୍ରେ ପାଳି ଶେଷ କରିଥିଲା। ଅଭିଷେକ ଏବଂ ବେବବ୍ରତ ସପ୍ତମ ୱିକେଟ୍ ପାଇଁ ୧୩୦ ରନ୍ ଯୋଡ଼ିବା ନିର୍ଣ୍ଣାୟକ ହୋଇଥିଲା। ଆସାମ ପକ୍ଷରୁ ୩ ଦ୍ରୁତ ବୋଲର ଅରୂପ ଦାସ (୪/୧୦୧), ରଂଜିତ ମାଳି (୪/୧୧୩) ଏବଂ ପଲ୍ଲବ ଦାସ (୨/୮୪) ୱିକେଟ୍ ବାଣ୍ଟି ନେଇଥିଲେ। ଡ୍ରିମ୍ସ ପଡ଼ିଆରେ ଗତ ସର୍ଭିସେସ୍ ବିପକ୍ଷ ମ୍ୟାଚ୍ରେ ନିଜ ପ୍ରଥମ ଅର୍ଧଶତକ (୫୭ ରନ୍) କରିଥିବା ଦେବବ୍ରତ ମଙ୍ଗଳବାର କିନ୍ତୁ ନିଜ ଖେଳ ଜୀବନର ଶ୍ରେଷ୍ଠ ପାଳି (୭୯) ଖେଳିଥିଲେ। ଏହା ମଧ୍ୟ ଓଡ଼ିଶା ପାଳିର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ହୋଇଥିଲା। ସେହିଭଳି ଆଇପିଏଲ୍ ଅଭିଜ୍ଞ ଅଭିଷେକ ରାଉତ (୭୧) ମଧ୍ୟ ନିଜ ଖେଳ ଜୀବନର ଚତୁର୍ଥ ପ୍ରଥମ ଶ୍ରେଣୀ ଅର୍ଧଶତକ ହାସଲ କରିଥିଲେ।
ଜବାବରେ ବସନ୍ତ ମହାନ୍ତି ନିଜ ପ୍ରଥମ ଓଭରରେ ବିପ୍ଳବ ସାଇକିଆ (୦, ୧୧ ବଲ୍)ଙ୍କୁ ବୋଲଡ୍ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶୁଭମ ମଣ୍ଡଳ (୧୨)ଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ୍ କରିଥିଲେ। ଅଧିନାୟକ ଗୋକୁଳ ଶର୍ମା (୮)ଙ୍କୁ ଅଭିଷେକ ରାଉତ ରନ୍ ଆଉଟ୍ କରିଦେବାରୁ ଆସାମ ସଂଘର୍ଷ କରିଛି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୩୬.୩ ଓଭରରେ ୪୩୬ (ଦେବବ୍ରତ ପ୍ରଧାନ-୭୯, ଅଭିଷେକ ରାଉତ-୭୧, ଶାନ୍ତନୁ ମିଶ୍ର-୬୬, ଅନୁରାଗ ଷଡ଼ଙ୍ଗୀ-୫୮, ଗୋବିନ୍ଦ ପୋଦ୍ଦାର-୫୮, ଅରୂପ ଦାସ-୪/୧୦୧, ରଂଜିତ ମାଳି-୪/୧୧୩, ପଲ୍ଲବ ଦାସ-୨/୮୪)। ଆସାମ ପ୍ରଥମ ପାଳି: ୩୩ ଓଭରରେ ୫୯/୩ (ଋଷଭ ଦାସ-୨୪*, ରିୟାନ ପରାଗ-୧୪*, ସୂର୍ଯ୍ୟକାନ୍ତ ପ୍ରଧାନ-୧/୧୨, ବସନ୍ତ ମହାନ୍ତି-୧/୧୩)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Ranji-Trophy.jpg)