ରଣଜୀ ଟ୍ରଫି: ଶାନ୍ତନୁ-ଧୂପର ସମ୍ଭାଳିଲେ ପାଳି: ଓଡ଼ିଶା ୨୨୦/୫

ଭୁବନେଶ୍ବର: ପୁଣେର ଗହୁଞ୍ଜେ ଏମ୍‌ସିଏ ଷ୍ଟାଡିୟମ୍‌ରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ମହାରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶାକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ଶାନ୍ତନୁ ମିଶ୍ର ଏବଂ ରାଜେଶ ଧୂପର। ଉଭୟଙ୍କ ଅପରାଜିତ ଅର୍ଧଶତକ ଏବଂ ଅତୁଟ ଶତକୀୟ ଭାଗୀଦାରି ବଳରେ ଓଡ଼ିଶା ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ବିନିମୟରେ ୨୨୦ ରନ୍ କରିଛି। ଶାନ୍ତନୁ ଦିନ ତମାମ ବ୍ୟାଟିଂ କରି ୮୪ ରନ୍‌ରେ ଏବଂ ୱିକେଟରକ୍ଷକ ରାଜେଶ ଧୂପର ୬୭ ରନ୍‌ରେ ଖେଳୁଛନ୍ତି।

ମହାରାଷ୍ଟ୍ର ଟସ୍ ଜିତିବା ପରେ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ଯୋଡ଼ି ଶାନ୍ତନୁ ମିଶ୍ର ଏବଂ ଅନୁରାଗ ଷଡ଼ଙ୍ଗୀ ପ୍ରଥମ ୱିକେଟ୍ ପାଇଁ ୨୮ ଓଭରରେ ୬୨ ରନ୍ ଉଠାଇଥିଲେ। ଦୃଢ଼ ମୂଳଦୁଆ ପକାଇବା ପରେ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଅନୁରାଗ (୪୧, ୮୭ ବଲ୍‌, ୫ ଚୌକା, ୨ ଛକା) ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତି (୧) ଆଉଟ୍‌ ହୋଇଯାଇଥିଲେ। ଏହି ବିରତିର ପୂର୍ବ ଓ ପରବର୍ତୀ ଘଣ୍ଟାକ ଭିତରେ ଓଡ଼ିଶା ୩୪ ରନ୍‌ରେ ୫ ୱିକେଟ୍ ହରାଇ ଦେଇଥିଲା। ଶୁଭ୍ରାଂଶୁ ସେନାପତିଙ୍କ ପରେ ଗୋବିନ୍ଦ ପୋଦ୍ଦାର (୫)ଙ୍କୁ ଦ୍ରୁତ ବୋଲର ଅସୟ ପାଲକର୍‌ ଦ୍ବିତୀୟ ଶିକାର କରିଥିଲେ। ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ (୫)ଙ୍କୁ ମନୋଜ ଇଙ୍ଗଲେ ୱିକେଟରକ୍ଷକ ବିଶାନ୍ତ ମୋରୋଙ୍କ ଗ୍ଲୋଭ୍‌ସରେ ଧରାଇ ଦେଇଥିଲେ। ଅଲରାଉଣ୍ଡର୍‌ର ଅଭିଷେକ ରାଉତ (୧୨, ୧୬ ବଲ୍‌)ଙ୍କୁ ମୁକେଶ ଚୌଧୁରୀ ରନ୍‌ ଆଉଟ୍ କରି ଦେଇଥିଲେ। ଫଳରେ ଓଡ଼ିଶା ୯୬/୫ରେ ସଂଘର୍ଷ କରିଥିଲା। ଏହି ସମୟରେ ଏକତ୍ରିତ ହୋଇଥିବା ଦୁଇ ଯୁବ ତାରକା ଶାନ୍ତନୁ ମିଶ୍ର ଏବଂ ରାଜେଶ ଧୂପର ଦିନର ଅବଶିଷ୍ଟ ୩୯.୩ ଓଭର ଖେଳି ୱିକେଟ୍ ହରାଇନଥିଲେ। ଦିନ ତମାମ ବ୍ୟାଟିଂ କରି ଶାନ୍ତନୁ ମାରାଥନ ପାଳିରେ ୨୬୫ ବଲ୍‌ ଖେଳି ୮୪ ରନ୍‌ରେ ଅପରାଜିତ ଅଛନ୍ତି। ଏହା ମଧ୍ୟରେ ୭ ଚୌକା ସାମିଲ ରହିଛି। ଅନ୍ୟପକ୍ଷରେ ରାଜେଶ ଅପେକ୍ଷାକୃତ ଦ୍ରୁତ ବ୍ୟାଟିଂ କରି ୧୦୪ ବଲ୍‌ରୁ ୬୭* ରନ୍‌ କରିଛନ୍ତି। ଉଭୟଙ୍କ ମଧ୍ୟରେ ଅତୁଟ ଷଷ୍ଠ ୱିକେଟ୍‌ ପାଇଁ ୧୨୪ ରନ୍‌ର ଭାଗୀଦାରି ହୋଇସାରିଛି। ଶାନ୍ତନୁ ନିଜ ଖେଳ ଜୀବନରେ ଅଷ୍ଟମ ଥର ପାଇଁ ୫୦+ ସ୍କୋର୍‌ କରିଥିବା ବେଳେ ଧୂପର ଚତୁର୍ଥ ଥର ୫୦ ପୂର୍ଣ୍ଣ କରିଛନ୍ତି। ମହାରାଷ୍ଟ୍ର ପକ୍ଷରୁ ଦୁଇ ଦ୍ରୁତ ବୋଲର ପାଲକର ଏବଂ ଇଙ୍ଗଲେ ୩ ୱିକେଟ୍ ନେଇଥିବା ବେଳେ ବାମହାତୀ ସ୍ପିନର୍‌ ସତ୍ୟଜିତ୍ ବଚ୍ଚଭଙ୍କୁ ଗୋଟିଏ ୱିକେଟ୍ ମିଳିଛି। ଓଡ଼ିଶା ଏହି ମ୍ୟାଚ୍‌କୁ ଗୋଟିଏ ପରିବର୍ତନ ସହ ଖେଳୁଛି। ଦୀର୍ଘ ଦିନ ପରେ ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ବିନା ଓଡ଼ିଶା ଖେଳୁଛି। ବ୍ୟାଟିଂ ଅନୁକୂଳ ପିଚ୍‌ କାରଣରୁ ବସନ୍ତଙ୍କ ବଦଳରେ ସ୍ପିନର ପପୁ ରାୟଙ୍କୁ ନିଆଯାଇଛି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୮୮ ଓଭରରେ ୨୨୦/୫ (ଅନୁରାଗ ଷଡ଼ଙ୍ଗୀ-୪୧, ଶାନ୍ତନୁ ମିଶ୍ର-୮୪*, ରାଜେଶ ଧୂପର-୬୭*, ଅସୟ ପାଲକର-୨/୪୬, ମନୋଜ ଇଙ୍ଗଲେ-୧/୩୧, ସତ୍ୟଜିତ୍ ବଚ୍ଚଭ-୧/୭୦)।

ସମ୍ବନ୍ଧିତ ଖବର