ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ଉତ୍ତରାଖଣ୍ଡ ମୁକାବିଲା

ଆହତ ଅନୁରା‌ଗ ବାଦ୍‌; ରଂଜିତଙ୍କୁ ଡକରା: ଓଡ଼ିଶା ବିପକ୍ଷରେ ଖେଳିବେ ସୌରଭ

କଟକ: ଓଡ଼ିଶା ଓ ଉତ୍ତରାଖଣ୍ଡ ମଧ୍ୟରେ ଟାଙ୍ଗୀସ୍ଥିତ ଡ୍ରିମ୍ସ ପଡ଼ିଆରେ ରଣଜୀ ଟ୍ରଫି ତୃତୀୟ ପର୍ଯ୍ୟାୟର ମୁକାବିଲା ବୁଧବାରଠୁ ଆରମ୍ଭ ହେବ। ଘରୋଇ ପଡ଼ିଆରେ ବେଶ୍ ଶକ୍ତିଶାଳୀ ହୋଇଯାଇଥିବା ଓଡ଼ିଶା ଲଗାତର ତୃତୀୟ ମ୍ୟାଚ୍‌ ଜିତି ନିଜର ପ୍ରାଧାନ୍ୟ କାଏମ ରଖିବାକୁ ଚାହୁଁଥିବା ବେଳେ ଉତ୍ତରାଖଣ୍ଡ ପ୍ରଥମ ବିଜୟ ସନ୍ଧାନରେ ରହିବ। ତେବେ ଏହି ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିସାରିଥିବା ଉତ୍ତରାଖଣ୍ଡର ୱିକେଟ୍‌ରକ୍ଷକ ସୌରଭ ରାୱତ ପ୍ରଥମ ଥର ପାଇଁ ଓଡ଼ିଶା ବିପକ୍ଷରେ ଓଡ଼ିଶା ମାଟିରେ ଖେଳିବାକୁ ଯାଉଛନ୍ତି। ଓଡ଼ିଶାର ପ୍ରତ୍ୟେକ ଖେଳାଳିଙ୍କୁ ଭଲଭାବେ ଜାଣିଥିବା ସୌରଭ ଉତ୍ତରାଖଣ୍ଡ ପାଇଁ ବଡ଼ ଅସ୍ତ୍ର ହୋଇପାରନ୍ତି। ଓଡ଼ିଶାର ଚକ୍ରବ୍ୟୁହରୁ ବାହାରିବାରେ ଉତ୍ତରାଖଣ୍ଡ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ହେବ। ମଙ୍ଗଳବାର ଅଭ୍ୟାସ ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅନୁରାଗ ଷଡ଼ଙ୍ଗୀ ଆହତ ହୋଇ ବାଦ୍‌ ପଡ଼ିବାରୁ ତାଙ୍କ ବଦଳରେ ରଂଜିତ ସିଂହଙ୍କୁ ଡକରା ଦିଆଯାଇଛି। ‌େତବେ ଶାନ୍ତନୁ ମିଶ୍ରଙ୍କ ସହ ରାଜେଶ ଧୁପର ପାଳି ଆରମ୍ଭ କରିବାର ସୁଯୋଗ ପାଇବା ସମ୍ଭାବନା ରହିଛି।

ବର୍ତ୍ତମାନ ସୁଦ୍ଧା ପ୍ରତିଯୋଗିତାରେ ଓଡ଼ିଶାର ବୋଲରମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ଦୁଇ ପର୍ଯ୍ୟାୟ ସୁଦ୍ଧା ସର୍ବାଧିକ ୱିକେଟ୍‌ ଦଖଲକାରୀଙ୍କ ତାଲିକାରେ ରାଜେଶ ମହାନ୍ତି (୧୫) ଓ ବସନ୍ତ ମହାନ୍ତି (୧୧) ସ୍ଥାନ ପାଇଛନ୍ତି। ଏଥିସହିତ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଦେବବ୍ରତ ପ୍ରଧାନ ମଧ୍ୟ ଏହି ଦୁଇଜଣଙ୍କୁ ଭଲ ସହଯୋଗ ଦେଉଛନ୍ତି। ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ରେ ଯେତେବେଳେ ଦ୍ରୁତ ବୋଲରଙ୍କୁ ୱିକେଟ୍‌ ମିଳିଲାନି, ସେତେବେଳେ ଅଭିଷେକ ରାଉତ ୩ ୱିକେଟ୍‌ ବାହାର କରିଥିଲେ। ଏହା ବ୍ୟତୀତ ବିପ୍ଲବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ମଧ୍ୟ ଅନ୍ୟତମ ବିକଳ୍ପ ଭାବେ ଦଳ ସହିତ ଅଛନ୍ତି। ତେଣୁ ବୋଲିଂ ବିଭାଗ ଏବେ ଶକ୍ତିଶାଳୀ ହୋଇସାରିଥିଲା ବେଳେ ବ୍ୟାଟିଂ କ୍ରମ ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ। କାରଣ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଦଳର ଆରମ୍ଭ ଭଲ ହେଉଥିବା ବେଳେ ମଧ୍ୟକ୍ରମରେ ଅଧିନାୟକଙ୍କ ସହ ଦେବାଶି‌ଷ ସାମନ୍ତରାୟ, ବିପ୍ଲବ ସାମନ୍ତରାୟ, ସୁଜିତ ଲେଙ୍କା ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିପାରୁଛନ୍ତି। ତେଣୁ ସମସ୍ତ ଦୃଷ୍ଟିକୋଣରୁ ଦେଖିଲେ ଓଡ଼ିଶା ପାଇଁ ଏହି ମ୍ୟାଚ୍‌ ସେତେଟା କଠିନ ହେବ ନାହିଁ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ଯଦିଓ ନୂଆ ଦଳ, ତଥାପି ଦୁର୍ବଳ ଭାବିବା ଅନୁଚିତ। କାରଣ ୱିକେଟ୍‌ରକ୍ଷକ ସୌରଭ ରାୱତ ଓଡ଼ିଶା ବିପକ୍ଷରେ ଖେଳିସାରିଥିବାରୁ ଘରୋଇ ରଣନୀତିକୁ ଠଉରାଇ ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିବା ତାଙ୍କ ପାଇଁ ସମସ୍ୟା ହେବନି। ଏକଦା ଓଡ଼ିଶାର ବ୍ୟାଟିଂ ଶକ୍ତି ମଧ୍ୟରେ ଅନ୍ୟତମ ଅସ୍ତ୍ର ପାଲଟିଥିବା ସୌରଭ ଏବେ ଘରୋଇ ଦଳ ଆଗରେ କଣ୍ଟା ହୋଇ ଛିଡ଼ା ହୋଇପାରନ୍ତି। ତଥାପି ଦଳର ବ୍ୟାଟିଂ ବର୍ତ୍ତମାନ ସୁଦ୍ଧା ନିରୁତ୍ସାହଜନକ ରହିଛି। ଜମ୍ମୁ କାଶ୍ମୀର ବିପକ୍ଷରେ ଦୀକ୍ଷାଂଶୁ ନେଗି ଦ୍ବିତୀୟ ପାଳିରେ ୫୫* ରନ୍‌ର ପାଳି ଖେଳିଥି‌ଲା ବେଳେ ଛତିଶଗଡ଼ ବିପକ୍ଷରେ ତନ୍ମୟ ଶ୍ରୀବାସ୍ତବ (୫୮), ନେଗି (୬୯), ସୌରଭ (୬୧) ପାଳି ପରାଜୟ ଏଡ଼ାଇବାକୁ ସଂଘର୍ଷ କରିଥିଲେ। କିନ୍ତୁ ‌ବୋଲିଂକ୍ରମରେ ସ୍ପିନର ରାହିଲ ଶାହା ଜାମ୍ମୁ କାଶ୍ମୀର ବିପକ୍ଷରେ ୫ ୱିକେଟ୍‌ ସଫଳତା ପାଇଥିଲା ବେଳେ ଦ୍ରୁତ ବୋଲର ପ୍ରଦୀପ ଚାମୋଲି ଦୁଇ ମ୍ୟାଚ୍‌ରୁ ୬ ୱିକେଟ ନେଇ ଦଳ ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଡ୍ରିମ୍ସର ବୋଲିଂ ପିଚ୍‌ରେ ଉତ୍ତରାଖଣ୍ଡ ବୋଲରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ରଣଜୀରେ ଫିଟନେସ୍‌ ପ୍ରମାଣ ଦେବେ ବୁମ୍‌ରା
ସୁରତ: ଆହତ ଯୋଗୁଁ ପାଖାପାଖି ୪ ମାସ ହେଲା ଭାରତୀୟ ଦଳରୁ ବାହାରେ ରହିଛନ୍ତି ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା। ଅଭ୍ୟାସ ମଧ୍ୟ ଆରମ୍ଭ କରିସାରିଛନ୍ତି। ସୋମବାର ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ଦଳ ଘୋଷଣା ବେଳେ ତାଙ୍କ ନାମ ସ୍ଥାନ ପାଇଛି। ହେଲେ ଜାତୀୟ ଦଳକୁ ଫେରିବା ପୂର୍ବରୁ ତାଙ୍କୁ ଫିଟ୍‌ନେସ୍‌ ପ୍ରମାଣ ଦେବାକୁ ପଡ଼ିବ ବୋଲି ମୁଖ୍ୟ ମନୋନୟନକର୍ତା ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି। କେବଳ ଏଇଥି ପାଇଁ ସେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ରଣଜୀ ଟ୍ରଫି ଖେଳିବାକୁ ଯାଉଛନ୍ତି। ଗୁଜୁରାଟ ପକ୍ଷରୁ କେରଳ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି ଫିଟ୍‌ନେସ୍‌ ପ୍ରମାଣ ଦେବାକୁ ବୁମ୍‌ରା ପ୍ରସ୍ତୁତ ହୋଇଛନ୍ତି। ଗୁଜୁରାଟ ଏହା ପୂର୍ବରୁ ହାଇଦ୍ରାବାଦକୁ ସହଜରେ ପରାସ୍ତ କରିସାରିଛି। ଅନ୍ୟପକ୍ଷରେ କେରଳ ଘରୋଇ ମାଟିରେ ବେଙ୍ଗଲ ନିକଟରୁ ହାରିସାରିଥିଲା ବେଳେ ଦିଲ୍ଲୀଠୁ ଅଳ୍ପକେ ପରାଜୟରୁ ବର୍ତିଯାଇଥିଲା। ଭାରତ ପକ୍ଷରୁ ତିନି ଫର୍ମାଟ୍‌ ପାଇଁ ନିଜକୁ ଦାବିଦାର କରିସାରିଥିବା ବୁମ୍‌ରା ଶେଷ ଥର ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ହିଁ ଖେଳିଥିଲେ। ଜାମାଇକାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ସେ ତୃତୀୟ ଭାରତୀୟ (ହରଭଜନ ସିଂହ ଓ ଇର୍ଫାନ୍‌ ପଠାନ୍‌ଙ୍କ ପରେ) ଭାବେ ଟେଷ୍ଟ୍‌ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ବୁମ୍‌ରା ୧୨ ଟେ‌ଷ୍ଟ୍‌ରୁ ୬୨ ୱିକେଟ୍‌ ଦଖଲ ସହିତ ୧୦୩ ଦିନିକିଆ ଓ ୫୧ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ୱିକେଟ୍‌ ମଧ୍ୟ ଅକ୍ତିଆର କରିଛନ୍ତି।

ସମ୍ବନ୍ଧିତ ଖବର