ରଣଜୀ ଟ୍ରଫି: ଓଡ଼ିଶାକୁ କ୍ବାର୍ଟର ଫାଇନାଲ୍‌ ଆଶା ଦେଲା ଛତିଶଗଡ଼, ଫଲୋଅନ୍‌ ଏଡ଼ାଇଲା ଝାଡ଼ଖଣ୍ତ

ଅମୀମା˚ସିତ ଅଭିମୁଖେ ଓଡ଼ିଶା-ଝାଡ଼ଖଣ୍ତ ମ୍ୟାଚ୍‌

କଟକ: ଓଡ଼ିଶାର ଦୁର୍ବଳ କ୍ଷେତ୍ରରକ୍ଷଣ ଯୋଗୁଁ ଝାଡ଼ଖଣ୍ତ ଫଲୋଅନ୍‌ ଏଡ଼ାଇବାରେ ସଫଳ ହେବା ସହ ମ୍ୟାଚ୍‌ ଅମୀମା˚ସିତ ରଖିବାର ସମ୍ଭାବନା ସୃଷ୍ଟି କରିଛି। ବାରବାଟୀରେ ଓଡ଼ିଶା ଓ ଝାଡ଼ଖଣ୍ତ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫିର ଏହି ମ୍ୟାଚ୍‌ରେ ଭ୍ରମଣକାରୀ ବ୍ୟାଟ୍ସମ୍ୟାନ ତୃତୀୟ ଦିନରେ ଓଡ଼ିଶା ବୋଲରଙ୍କୁ ଅନେକ ସୁଯୋଗ ଦେଇଥିଲେ ସୁଦ୍ଧା ସେଥିରୁ ମାତ୍ର ଅଳ୍ପ କେତୋଟି କ୍ୟାଚ୍‌ରେ ପରିଣତ ହୋଇଥିଲା। ଏପରିକି ଝାଡ଼ଖଣ୍ତ ଫଲୋଅନ୍‌ ହେବା ସମ୍ଭାବନା ସୃଷ୍ଟି ହୋଇଥିବା ସତ୍ତ୍ବେ ବିରାଟ ସି˚ହଙ୍କ ଲଢୁଆ ପାଳି ଯୋଗୁଁ ଦଳ ଏହାକୁ ପାର‌୍‌ କରିବାରେ ସଫଳ ହୋଇଥିଲା। ଏବେ ଝାଡ଼ଖଣ୍ତ ୮୧ ରନ୍‌ ପଛୁଆ ଥିଲା ବେଳେ ହାତରେ ମାତ୍ର ଗୋଟିଏ ଵିକେଟ୍‌ ବାକି ରହିଛି। ତଥାପି ଶେଷ ଵିକେଟ ନେବା ପାଇଁ ବୋଲରମାନେ ପାଖାପାଖି ୧୪ ଓଭର ପର୍ଯ୍ୟନ୍ତ ସ˚ଘର୍ଷ କରିଥିଲେ ବି ବିଫଳ ହୋଇଛନ୍ତି। ବରଂ ଝାଡ଼ଖଣ୍ଡର ଅନ୍ତିମ ଯୋଡ଼ି ଅବିଭାଜିତ ଦଶମ ୱିକେଟ୍‌ରେ ୫୦ ରନ୍‌ ଯୋଡ଼ି ସାରିଲେଣି।

ଦ୍ବିତୀୟ ଦିନର ଅସମାପ୍ତ ସ୍କୋର ୭୧/୨ରୁ ଶୁକ୍ରବାର ଖେଳିଥିବା ଝାଡ଼ଖଣ୍ତର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଉତ୍କର୍ଷ ସି˚ହ ଓ କୁମାର ସୁରଜ ସୁବିଧାଜନକ ଭାବେ ପାଳି ଆଗକୁ ବଢାଇଥିଲେ। ତେବେ ଦିନର ୬ ଓଭର ପରେ ଉତ୍କର୍ଷଙ୍କୁ ୧୫ ରନ୍‌ରେ ସୂର୍ଯ୍ୟକାନ୍ତ ରନ୍‌ଆଉଟ କରିଥିଲେ। ଏହାପରେ ସୁରଜ ଓ ସୌରଭ ତିଵାରୀ ଚତୁର୍ଥ ଵିକେଟରେ ୭୯ ରନ୍‌ ଯୋଡ଼ିଥିଲେ। ନିଜର ପଞ୍ଚମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥିବା ସୁରଜ ଏହି ପାଳିରେ ଋତୁର ଦ୍ବିତୀୟ ଶତକ ଅର୍ଜନ କରିଥିଲେ। କିନ୍ତୁ ତାଙ୍କୁ ୧୦୭ ରନ୍‌ରେ ଗୋବିନ୍ଦ ପୋଦ୍ଦାର ବୋଲ୍ଡ କରିବା ପରେ ଝାଡ଼ଖଣ୍ତ ପାଳି ଓଡ଼ିଶା ନିୟନ୍ତ୍ରଣକୁ ଆସିବା ଭଳି ମନେହେଉଥିଲା। କାରଣ ୧୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥିବା ସୌରଭଙ୍କୁ ମାତ୍ର ୨୧ ରନ୍‌ରେ ଦେବବ୍ରତ ପ୍ରଧାନ ଏଲ୍‌ବିଡବ୍ଲୁ କରିବା ସହ ନିକଟରେ ନ୍ୟୁଜିଲାଣ୍ତ ଗସ୍ତରୁ ଫେରିଥିବା ଇଶାନ କିସାନ ୧୩ ରନ୍‌ରେ ସୂର୍ଯ୍ୟକାନ୍ତଙ୍କ ଶିକାର ହୋଇଥିଲେ। ତେବେ ଏହାପରେ ବିରାଟ ଓ ସାହିଲ ରାଜ ଦଳକୁ ଫଲୋଅନ୍‌ରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସାହିଲ ରାଜ ମୂଲ୍ୟବାନ ୩୦ ରନ୍‌ କରିଥିଲା ବେଳେ ନୂଆବଲ୍‌ରେ ବସନ୍ତ ତାଙ୍କୁ ବୋଲ୍ଡ କରିଥିଲେ। ଏହାପରେ ବିରାଟ ଅର୍ଧଶତକ ପୂରଣ କରିବା ସହ ରକ୍ଷଣାତ୍ମକ ଖେଳିବା ଜାରି ରଖିଥିଲେ। ଆଶିଷ (୪)ଙ୍କୁ ଦେବବ୍ରତ ପ୍ରଧାନ ଆଉଟ୍‌ କରିବା ପରେ ଶତକ ଆଡକୁ ଅଗ୍ରସର ହେଉଥିବା ବିରାଟ (୮୩) ସୂର୍ଯ୍ୟକାନ୍ତଙ୍କ ତୃତୀୟ ଶିକାର ହୋଇଥିଲେ। ଶେଷ ଵିକେଟ୍‌ରେ ରାହୁଲ ଶୁକ୍ଳା ଓ ଅଜୟ ଯାଦବ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଓଡ଼ିଶା ବୋଲରଙ୍କୁ ସାମ୍ନା କରିଥିଲେ। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ରାହୁଲ ୨୫* ଓ ଅଜୟ ୨୧ ରନ୍‌ରେ ଅପରାଜିତ ଅଛନ୍ତି।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୪୬.୨ ଓଭରରେ ୪୩୬/୧୦। ଝାଡ଼ଖଣ୍ତ ପ୍ରଥମ ପାଳି ୧୦୮ ଓଭରରେ ୩୫୫/୯ (କୁମାର ସୁରଜ ୧୦୭, ବିରାଟ ସି˚ହ ୮୩, ସାହିଲ ରାଜ ୩୦, ରାହୁଲ ଶୁକ୍ଲା ୨୫*, ଅଜୟ ଯାଦବ ୨୧*, ସୂର୍ଯ୍ୟକାନ୍ତ ପ୍ରଧାନ ୩/୮୬, ବସନ୍ତ ମହାନ୍ତି ୨/୫୨, ଦେବବ୍ରତ ପ୍ରଧାନ ୨/୮୫, ଗୋବିନ୍ଦ ପୋଦ୍ଦାର ୧/୮୦)।

ଓଡ଼ିଶାକୁ କ୍ବାର୍ଟର ଫାଇନାଲ୍‌ ଆଶା ଦେଲା ଛତିଶଗଡ଼
ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ସି’ରେ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓ ଝାଡ଼ଖଣ୍ତ ମ୍ୟାଚ୍‌ ଅପେକ୍ଷା ରାୟପୁରରେ ଖେଳାଯାଉଥିବା ସର୍ଭିସେସ୍‌ ଓ ଛତିଶଗଡ଼ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହୁଛି। କାରଣ ବାରବାଟୀ ମ୍ୟାଚ୍‌ରୁ ଫଳାଫଳ ବାହାରିବା ସମ୍ଭାବନା କ୍ଷୀଣ। ତେଣୁ ଓଡ଼ିଶା ୩ ପଏଣ୍ଟ ସୁରକ୍ଷିତ କରିବା ସମ୍ଭାବନା ଅଧିକ ଥିବାରୁ ସର୍ଭିସେସ୍‌ ଯେପରି ଛତିଶଗଡ଼କୁ ପରାସ୍ତ କରିନପାରେ ତାହା ଉପରେ ନଜର ରହିଛି। ସର୍ଭିସେସ୍‌ ମ୍ୟାଚ୍‌ ଜିତିନପାରିଲେ ଏହାର ଫାଇଦା ଓଡ଼ିଶାକୁ ମିଳିବ। ସର୍ଭିସେସ୍‌ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଲେ ମଧ୍ୟ ଓଡ଼ିଶାର କ୍ବାର୍ଟର ଫାଇନାଲ୍‌ ପ୍ରବେଶ ନିଶ୍ଚିତ ହୋଇଯିବ। ଏପରିସ୍ଥଳେ ପ୍ରଥମ ପାଳିରେ ଆଗୁଆ ରହିଥିବା ସର୍ଭିସେସ୍‌କୁ ପ୍ରତିପକ୍ଷ ଛତିଶଗଡ଼ ଦ୍ବିତୀୟ ପାଳିରେ କନ୍ଦାଇ ସାରିଲାଣି। ତୃତୀୟ ଦିନ ସୁଦ୍ଧା ଦ୍ବିତୀୟ ପାଳିରେ ମାତ୍ର ଗୋଟିଏ ଵିକେଟ ବିନିମୟରେ ୩୨୫ ରନ୍‌ ସ˚ଗ୍ରହ କରି ଛତିଶଗଡ଼ ମ୍ୟାଚ୍‌ ଅମୀମାଂସିତ ମୁହାଁ କରିଛି। ଅଭିମନ୍ୟୁ ଚୌହାନ ୪ ରନ୍‌ରେ ଆଉଟ ହେବା ପରେ ଅନୁଜ ତିଵାରୀ ୫୦ ରନ୍‌ରେ ରିଟାୟର୍ଡ ହର୍ଟ ହୋଇ ପାଭିଲିଅନ୍‌ ଫେରିଛନ୍ତି। ତେବେ ଜୀବନଜ୍ୟୋତ ସି˚ହ (୧୫୨*) ଓ ହରପ୍ରୀତ ସି˚ହ (୧୦୧) ଉଭୟ ଶତକ ଅର୍ଜନ କରି ଅପରାଜିତ ରହିବା ସାଙ୍ଗକୁ ସର୍ଭିସେସ୍‌ ବୋଲରଙ୍କୁ କନ୍ଦାଇ ସାରିଲେଣି। ଉଭୟ ଜୀବନଜ୍ୟୋତି ଓ ହର୍‌ପ୍ରୀତ୍‌ ମଧ୍ୟ ଅତୁଟ ଦ୍ବିତୀୟ ୱିକେଟ୍‌ରେ ୧୯୫ ରନ୍ ଯୋଡ଼ି ସାରିଛନ୍ତି। ଯାହା ଫଳରେ ଛତିଶଗଡ଼ ୧୦୬ ରନ୍‌ର ଅଗ୍ରଣୀ ନେଇସାରିଲାଣି। ତେଣୁ ଛତିଶଗଡ଼ ହିଁ ଓଡ଼ିଶାକୁ କ୍ବାର୍ଟର ଫାଇନାଲ୍‌ ପ୍ରବେଶର ଆଶା ଦେଲାଣି।

ଅନ୍ୟପକ୍ଷରେ ଜମ୍ମୁ କାଶ୍ମୀର ବିପକ୍ଷରେ ହରିଆଣାକୁ ବିଜୟ ପାଇଁ ଶେଷ ଦିନରେ ଆଉ ୧୨୧ ରନ୍‌ର ଆବଶ୍ୟକ ରହିଥିଲା ବେଳେ ହାତରେ ୫ ଵିକେଟ ବାକି ରହିଛି। ପ୍ରଥମ ପାଳିରେ ଆଗୁଆ ଥିବା ଜମ୍ମୁର ଦ୍ବିତୀୟ ପାଳି ୧୭୪ ରନ୍‌ରେ ସୀମିତ ରହିବାରୁ ହରିଆଣା ସମ୍ମୁଖରେ ୨୨୪ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଅନୁରାଗ ଗୁରୁତର ଆହତ
ଓଡ଼ିଶାର ବାମହାତୀ ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀ ଗୁରୁତର ଆହତ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମରେ ଝାଡ଼ଖଣ୍ତ ବିପକ୍ଷ ମ୍ୟାଚ୍‌ର ତୃତୀୟ ଦିନର ଶେଷଅର୍ଧରେ ଅନୁରାଗ ଆହତ ହୋଇଥିଲେ। ଏକ ବାଉଣ୍ତାରୀକୁ ରୋକିବାକୁ ଯାଇ ଥାର୍ଡ ମ୍ୟାନ ଅଞ୍ଚଳରେ ଡାଇଭ୍‌ ମାରିଥିଲେ। ଏହାଦ୍ବାରା ତାଙ୍କର ବାମ କାନ୍ଧରେ ଗୁରୁତର ଆଘାତ ଲାଗିଛି। କାନ୍ଧର ହାଡ଼ ଖସିଯାଇଥିବା ଆଶଙ୍କା କରି ତାଙ୍କର ଏକ୍ସ-ରେ କରାଯାଇଥିଲା। କିନ୍ତୁ ଫଟୋରେ ସବୁ ସ୍ବାଭାବିକ ଦେଖାଯାଇଛି। ତଥାପି ଯନ୍ତ୍ରଣା ଅଧିକ ଥିବାରୁ ଆଭ୍ୟନ୍ତରୀଣ ଆଘାତ ଲାଗିଥିବା ଅନୁମାନ କରାଯାଉଛି। ତେଣୁ ଶନିବାର ଯନ୍ତ୍ରଣା ନକମିଲେ ଅନୁରାଗ ବ୍ୟାଟି˚ କରିବା ସମ୍ଭାବନା କମ୍‌ ଥିବା ଦଳ ପକ୍ଷରୁ ସୂଚନା ମିଳିଛି। ଯଦି ଯନ୍ତ୍ରଣା କମିଯାଇଥାଏ, ତାହେଲେ ଟେପ୍‌ ଲଗାଇ ତାଙ୍କୁ ବ୍ୟାଟି˚ କରିବାକୁ ଛଡ଼ାଯାଇପାରେ ବୋଲି କୁହାଯାଇଛି। ଚଳିତ ଋତୁରେ ଅନୁରାଗ ଦ୍ବିତୀୟ ଥର ପାଇଁ ଆହତ ହୋଇଛନ୍ତି। ଉତ୍ତରାଖଣ୍ତ ବିପକ୍ଷ ମ୍ୟାଚ୍‌ ପାଇଁ ଡ୍ରିମ୍ସରେ ଅଭ୍ୟାସ କରୁଥିବା ବେଳେ ତାଙ୍କ ପାଦରେ ବଲ୍‌ ବାଜି ଗୁରୁତର ହେବାରୁ ତିନିଟି ମ୍ୟାଚ୍‌ରେ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ର˚ଜିତ ସି˚ହ ଦଳରେ ସାମିଲ ଥିଲେ। ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌ର ପ୍ରଥମ ପାଳିରେ ଅନୁରାଗ ୬୫ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର