ଭୁବନେଶ୍ବର: ବିକାଶ ପଡ଼ିଆରେ ଓଡ଼ିଶା ଓ ବରୋଦା ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍ ଅମୀମା˚ସିତ ଆଡ଼କୁ ଗତି କରୁଛି। ତୃତୀୟ ଦିନ ସୁଦ୍ଧା ବରୋଦା ପ୍ରଥମ ପାଳିରେ ୫ ଵିକେଟ୍ ବିନିମୟରେ ୪୧୬ ରନ୍ ସ˚ଗ୍ରହ କରିଛି। ଫଳରେ ବରୋଦାକୁ ପାଳି ଅଗ୍ରଣୀ ପାଇବାକୁ ଆଉ ୪୨ ରନ୍ ଆବଶ୍ୟକ ହେଉଛି। ଭ୍ରମଣକାରୀ ଦଳର ଦୁଇ ପଦାର୍ପଣକାରୀ ଶାଶ୍ବତ ରାଵତ (୧୩୫) ଓ ପ୍ରିୟା˚ଶୁ ମୋଲିଆ (୧୧୩*)ଙ୍କ ଅପରାଜିତ ପାଳି ଦଳକୁ ମଜବୁତ୍ କରିଥିଲା ବେଳେ ଓଡ଼ିଶା ବୋଲରମାନଙ୍କୁ ଏମାନଙ୍କ ଵିକେଟ୍ ବାହାର କରିବାକୁ ନାକେଦମ୍ ହେବାକୁ ପଡ଼ିଛି। ଏପରିକି ୱିକେଟ୍ରକ୍ଷକ ରାଜେଶ ଧୂପର ଓ ଅନୁରାଗ ଷଡ଼ଙ୍ଗୀଙ୍କୁ ଛାଡ଼ିଦେଲେ ୯ ଜଣ ବୋଲିଂ କରିଥିଲେ। ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ପ୍ରିୟା˚ଶୁଙ୍କ ସହ ନିନାଦ ରାଠଵା ୧୧* ରନ୍ କରି ଅପରାଜିତ ରହିଛନ୍ତି।
ଦ୍ବିତୀୟ ଦିନର ଅସମାପ୍ତ ସ୍କୋର ୭୭/୦ରୁ ବରୋଦା ଗୁରୁବାର ଖେଳିବା ଆରମ୍ଭ କରିଥିଲା। ଅପରାଜିତ ବ୍ୟାଟର ଜ୍ୟୋସ୍ନିଲ୍ ସି˚ହ ଅର୍ଦ୍ଧଶତକ ପୂରଣ କରିଥିଲେ। ୩୫.୨ ଓଭର ବେଳକୁ ସେ ୬୩ ରନ୍ କରିଥିଲା ବେଳେ ବସନ୍ତ ମହାନ୍ତିଙ୍କ ଦ୍ବାରା ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଦୁଇଟି ବଲ୍ ପରେ ନୂଆ ବ୍ୟାଟର ଅକ୍ଷୟ ମୋରେ (୨)ଙ୍କୁ ବସନ୍ତ ଦ୍ବିତୀୟ ଶିକାର କରିଥିଲେ। ଏହି ଦୁଇ ଵିକେଟ୍ ସହଯୋଗରେ ବସନ୍ତଙ୍କ ପ୍ରଥମ ଶ୍ରେଣୀ ଵିକେଟ୍ ସ˚ଖ୍ୟା ୩୯୬ରେ ପହଞ୍ଚିଛି। କିନ୍ତୁ ଏହାର ପରବର୍ତ୍ତୀ ସ୍ପେଲ୍ରେ ବୋଲି˚ କରୁଥିଲା ବେଳେ ବସନ୍ତ ଗୁରୁତର ଆହତ ହେବାରୁ ପଡ଼ିଆ ଛାଡ଼ିଥିଲେ। ପରେ ରକ୍ଷଣାତ୍ମକ ଖେଳୁଥିବା ପ୍ରତ୍ୟୁଷ କୁମାର (୪୪) ଓ ବିଷ୍ଣୁ ସୋଲାଙ୍କି (୩୬)ଙ୍କୁ ମଧ୍ୟାହ୍ନ ବିରତି ପୂର୍ବରୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ଶୁଭମ୍ ନାୟକ ଆଉଟ କରିଥିଲେ। ତେବେ ପଞ୍ଚମ ଵିକେଟ୍ରେ ଦୁଇ ପଦାର୍ପଣକାରୀ ଶାଶ୍ବତ (୧୩୫ ରନ୍, ୧୯୮ ବଲ୍, ୨୦ ଚୌକା) ଓ ପ୍ରିୟା˚ଶୁ (୧୧୩ ରନ୍, ୧୮୫ ବଲ୍, ୧୪ ଚୌକା) ଆଉ ବୋଲରଙ୍କୁ ସୁଯୋଗ ନଦେଇ ଦୁଇ ପଟରୁ ରନ୍ ସ˚ଗ୍ରହ କରିଚାଲିଥିଲେ। ପଦାର୍ପଣ ମ୍ୟାଚ୍ରେ ଉଭୟ ଶତକ ଅର୍ଜନ କରିବା ସହ ୨୨୪ ରନ୍ର ଭାଗୀଦାରି କରିଥିଲେ। ତେବେ ତୃତୀୟ ଦିନ ଖେଳ ଶେଷ ହେବାର ୪ ଓଭର ପୂର୍ବରୁ ଅଭିଷେକ ରାଉତ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଅଭିଷେକଙ୍କ ବଲ୍କୁ ଶାଶ୍ବତ ଫ୍ରଣ୍ଟଫୁଟ୍ ଡିଫେନ୍ସ କରୁଥିଲା ବେଳେ ବ୍ୟାଟ୍ର ଏଜ୍ ନେଇ ସ୍ଲିପ୍ରେ ଅନୁରାଗ ଷଡ଼ଙ୍ଗୀଙ୍କ ହାତରେ ଧରାପଡ଼ିଥିଲେ।
ପଦାର୍ପଣରେ ଶାଶ୍ବତ, ପ୍ରିୟା˚ଶୁଙ୍କ ଶତକ
ବରୋଦା ପାଇଁ ରଣଜୀ ପଦାର୍ପଣରେ ଶତକ ମାରିବାରେ ଶାଶ୍ବତ ସପ୍ତମ ଓ ପ୍ରିୟା˚ଶୁ ଅଷ୍ଟମ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ୧୯୩୮-୩୯ରେ ରାଓସାହେବ ନିମ୍ବଲକର (୧୧୯), ୧୯୫୭-୫୮ରେ ରୋଶନ ଶୋଧନ (୨୬୧), ୧୯୮୧-୮୨ରେ ସ୍ନେହଲ ପାରିଖ (୧୦୪), ୨୦୧୦-୧୧ରେ ଅମ୍ବାତି ରାୟୁଡୁ (୨୦୦*), ୨୦୧୪-୧୫ରେ ଦୀପକ ହୁଦା (୧୧୪), ୨୦୧୭-୧୮ରେ ନିନାଦ ରାଠଵା (୧୧୫) ପଦାର୍ପଣରେ ଶତକ ଅର୍ଜନ କରିଛନ୍ତି। ବିକାଶ ପଡ଼ିଆରେ ଦେବବ୍ରତ ପ୍ରଧାନଙ୍କୁ ସ୍କୋୟାର ଅଞ୍ଚଳକୁ ଚୌକା ମାରି ଶାଶ୍ବତ ଶତକ ହାସଲ କରିଥିଲେ। ସେହିପରି ଦିନର ଖେଳ ଶେଷ ହେବାର ୪୫ ମିନିଟ୍ ପୂର୍ବରୁ ପ୍ରିୟାଂଶୁ ଶତକ ପାର୍ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା ବିପକ୍ଷରେ ଶାଶ୍ବତ ଓ ପ୍ରିୟା˚ଶୁଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ରେ ହୋଇଥିବା ୨୨୪ ରନ୍ର ଭାଗୀଦାରି ବରୋଦା ପାଇଁ ଏହି ସ୍ଥାନର ସର୍ବୋଚ୍ଚ ସ୍କୋର ହୋଇପାରିଛି। ପୂର୍ବରୁ ଓଡ଼ିଶା ବିପକ୍ଷରେ ୨୦୧୨-୧୨ ଋତୁରେ ପଞ୍ଚମ ଵିକେଟ୍ରେ ଅମ୍ବାତି ରାୟୁଡୁ ଓ ପିନାଲ ଶାହଙ୍କ ମଧ୍ୟରେ ୧୦୨ ରନ୍ର ଭାଗୀଦାରି ହୋଇଥିଲା। ବସନ୍ତ ଆହତ, ଶେଷ ଦିନରେ ଖେଳିବା ନେଇ ଆଶଙ୍କା
ତୃତୀୟ ଦିନର ମଧ୍ୟାହ୍ନ ବିରତି ପୂର୍ବରୁ ୩୮ତମ ଓଭର ବୋଲି˚ କରୁଥିଲା ବେଳେ ଓଡ଼ିଶାର ବରିଷ୍ଠ ଦ୍ରୁତ ବୋଲର ବସନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ବୋଲି˚ କରିବାକୁ ଯାଉଥିବା ବେଳେ ତାଙ୍କ ବାମ ଗୋଡ଼ ଗୋଇଠି ମୋଡ଼ି ହୋଇଯାଇଥିଲା। ଆଘାତ ଅଧିକ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ସେଠାରେ ତାଙ୍କର ସ୍କାନି˚ କରାଯାଇଛି। ଏଥିଯୋଗୁଁ ବସନ୍ତଙ୍କ ଓଭରର ଅବଶିଷ୍ଟ ଦୁଇଟି ବଲ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ପକାଇଥିଲେ। ତଥାପି ଚତୁର୍ଥ ଦିନ ବେଳକୁ ବସନ୍ତ ଖେଳିବା ନେଇ ଆଶଙ୍କା ରହିଛି। ତାଙ୍କ ଆଘାତ ଅଧିକ ଗୁରୁତର ନଥିଲେ ବି ଗୋଇଠି ଫୁଲି ଯାଇଥିବାରୁ ଯନ୍ତ୍ରଣା ଅଧିକ ହେଉଛି। ଚାଲିବାରେ କଷ୍ଟ ଅନୁଭବ ହେଉଛି। ଶୁକ୍ରବାର ସକାଳେ ସ୍ଥିତି ଦେଖିବା ପରେ ତାଙ୍କ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।