ଭୁବନେଶ୍ବର: ରଣଜୀ ଟ୍ରଫିର କ୍ରମାଗତ ମ୍ୟାଚ୍‌ରେ ଓଡ଼ିଶା ପ୍ରଭାବୀ ବ୍ୟାଟିଂ କରିବାରେ ବିଫଳ ହୋଇଛି। ବାରବାଟୀରେ ବରୋଦା ନିକଟରୁ ହାରି କାନପୁର ଯାଇଥିବା ଶୁଭ୍ରାଂଶୁ‌ ସେନାପତିଙ୍କ ଦଳ ଉତ୍ତରପ୍ରଦେଶ ବିପକ୍ଷ ପ୍ରଥମ ପାଳିରେ ୨୪୩ ରନ୍‌ କରି ସମସ୍ତ ୱିକେଟ୍ ହରାଇଛି। ଶୀର୍ଷକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ୩୬/୩ରେ ସଂଘର୍ଷ କରିଥିବା ଓଡ଼ିଶାକୁ ସନ୍ଦୀପ ପଟ୍ଟନାୟକ (୫୩ ରନ୍‌, ୧୩୮ ବଲ୍‌, ୮ ଚୌକା) ଏବଂ ଗୋବିନ୍ଦ ପୋଦ୍ଦାର (୬୪ ରନ୍, ୧୦୯ ବଲ୍‌, ୭ ଚୌକା) ବିପଦରୁ ବାହାର କରିଥିଲେ। ଉଭୟ ଚତୁର୍ଥ ୱିକେଟ୍ ପାଇଁ ୯୨ ରନ୍ ଯୋଡ଼ିଥିଲେ।  ଅପରାହ୍ଣରେ ଉଭୟ କ୍ରିଜ୍‌ରୁ ବିଦାୟ ନେବା ପରେ ଓଡ଼ିଶା ପୁଣି ୧୩୧/୬ରେ ସଂଘର୍ଷ କରିଥିଲା। ପ୍ରଥମ ପଦାର୍ପଣ କରିଥିବା ସମ୍ବିତ ବରାଳ (୯୦ ବଲରୁ ୫୯* ରନ୍‌, ୭ ଚୌକା, ୩ ଛକା) ଶେ‌ଷ ପର୍ଯ୍ୟନ୍ତ ଲଢ଼ିଥିଲେ।

Advertisment

ପ୍ରଥମ ପଦାର୍ପଣରେ ଅର୍ଦ୍ଧଶତକ ହାସଲ କରିଥିବା ସମ୍ବିତ ବରାଳଙ୍କୁ ରଣଜୀ କ୍ୟାପ୍‌ ପ୍ରଦାନ କରୁଛନ୍ତି ପ୍ରବନ୍ଧକ ସଂଗ୍ରାମ କେଶରୀ ଗୁମାନସିଂହ

ରାଜେଶ ମହାନ୍ତି (୫୭ ବଲ୍‌ରୁ ୪୮ ରନ୍, ୫ ଚୌକା, ୩ ଛକା)ଙ୍କ ସହ ସେ  ୯୪ ରନ୍ ଭାଗୀଦାର ଗଢ଼ିଥିଲେ ମଧ୍ୟ ଓଡ଼ିଶା ଶେଷ ୫ ୱିକେଟ୍ ମାତ୍ର ୧୨ ରନ୍ ଭିତରେ ହରାଇ ସୁଯୋଗ ହାତଛଡ଼ା କରିଥିଲା। ରାଜେଶ ମାତ୍ର ୨ ରନ୍ ପାଇଁ ତାଙ୍କ ଦ୍ବିତୀୟ ଅର୍ଦ୍ଧଶତକରୁ ବଞ୍ଚିତ ରହିଥିଲେ। ତେବେ ୪ ପ୍ରମୁଖ ବ୍ୟାଟର୍‌ ସ୍ବସ୍ତିକ ସାମଲ (୪), ଆଶୀର୍ବାଦ ସ୍ବାଇଁ (୪), ଶୁଭ୍ରାଂଶୁ ସେନାପତି (୩), ରାଜେଶ ଧୂପର (୦) ବିଫଳ ହେବା ଓଡ଼ିଶାକୁ ଅଡୁଆରେ ପକାଇଛି। ଜବାବରେ ପ୍ରଥମ ଦିନ ଶେଷ ସୁଦ୍ଧା ଘରୋଇ ଉତ୍ତରପ୍ରଦେଶ କୌଣସି ୱିକେଟ୍ ନହରାଇ ୧୭ ରନ୍ ସଂଗ୍ରହ କରି ନେଇଛି।

ସଂକ୍ଷିପ୍ତ ସ୍କୋର:ଓଡ଼ିଶା ପ୍ରଥମ ପାଳି: ୭୭.୧ ଓଭରରେ ୨୪୩/୧୦ ( ଗୋବିନ୍ଦ ପୋଦ୍ଦାର-୬୪, ସମ୍ବିତ ବରାଳ-୫୯*, ସନ୍ଦୀପ ପଟ୍ଟନାୟକ-୫୩, ରାଜେଶ ମହାନ୍ତି-୪୮, ଶିବମ ଶର୍ମା-୩/୬୫, ଶିବମ ମାଭି-୨/୪୬, ପ୍ରଶାନ୍ତ ବୀର-୨/୧, ବିପ୍ରଜ ନିଗମ-୨/୩୯, କୁନାଲ ତ୍ୟାଗୀ-୧/୨୯)। ଉତ୍ତରପ୍ରଦେଶ ପ୍ରଥମ ପାଳି: ୭ ଓଭରରେ ୧୭/୦ (ମାଧବ କୌଶିକ-୯*, ଅଭିଷେକ‌ ଗୋସ୍ବାମୀ-୬*)।