ଭୁବନେଶ୍ବର: ଆନ୍ତର୍ଜାତିକ କ୍ରିକେଟର୍‌ ତଥା ଆଇପିଏଲ୍‌ ତାରକା ଶ୍ରେୟସ ଆୟର ଚଳିତ ରଣଜୀ ଋତୁରେ ଲଗାତାର ଦୁଇଟି ଶତକ ଅର୍ଜନ କରିଛନ୍ତି। ମହାରାଷ୍ଟ୍ର ବିପକ୍ଷରେ ୧୪୨ ରନ୍‌ କରିଥିବା ଶ୍ରେୟସ ବୁଧବାର ଓଡ଼ିଶା ବିପକ୍ଷରେ ୧୫୨* ରନ୍‌ର ଅପରାଜିତ ବ୍ୟାଟିଂ କରିଛନ୍ତି। ମୁମ୍ବାଇର ଶରଦ ପାୱାର କ୍ରିକେଟ୍‌ ଏକାଡେମି ପଡ଼ିଆରେ ଓଡ଼ିଶା ବିପକ୍ଷରେ ଖେଳାଯାଉଥିବା ଏହି ରଣଜୀ ମ୍ୟାଚ୍‌ରେ ଶ୍ରେୟସଙ୍କ ସହିତ ସିଦ୍ଦେଶ ଲାଡ୍‌ ମଧ୍ୟ ଶତକୀୟ ପାଳି ଖେଳିଥିଲା ବେଳେ ଘରୋଇ ଦଳର ସ୍ଥିତି ଅଧିକ ଦୃଢ଼ କରିପାରିଛନ୍ତି। ପ୍ରଥମ ଦିନ ଶେଷ ସୁଦ୍ଧା ମୁମ୍ବାଇ ପ୍ରଥମ ପାଳିରେ ୩୮୫/୩ ସ୍କୋର କରିଛି। 

Advertisment

ଶ୍ରେୟସଙ୍କ ଶତକ, ମୁମ୍ବାଇ ୩୮୫/୩: ବିପ୍ଳବ ହାଟ୍ରିକ୍‌ରୁ ବଞ୍ଚିତ

୪୦୦ ୱିକେଟ୍‌, ୬୦୦୦ ରନ୍‌ କରିବାରେ ଜଲଜ ପ୍ରଥମ
ମଧ୍ୟପ୍ରଦେଶର ‌ଅଲ୍‌ରାଉଣ୍ଡର ଜଲଜ୍‌ ସକ୍ସେନା ରଣଜୀ ଟ୍ରଫିରେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ପ୍ରତିଯୋଗିତାରେ ୪୦୦ ୱିକେଟ୍‌ ଓ ୬୦୦୦ ରନ୍‌ କରିବାରେ ସେ ପ୍ରଥମ ଖେଳାଳି ହୋଇଯାଇଛନ୍ତି। ଚଳିତ ରଣଜୀ ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିବା ଜଲଜ ବୁଧବାର ଏହି କୀର୍ତ୍ତିମାନ କରଛନ୍ତି। ଉତ୍ତରପ୍ରଦେଶ ବିପକ୍ଷରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନରେ ସେ ୫ ୱିକେଟ୍‌ ଅକ୍ତିଆର କରିଛନ୍ତି। ନୀତୀଶ ରାଣାଙ୍କୁ ଆଉଟ୍‌ କରିବା ପରେ ଜଳଜ୍‌ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏପରି କରିବାରେ ରଣଜୀ ଟ୍ରଫି ଇତିହାସରେ ସେ ତ୍ରୟୋଦଶ ଖେଳାଳି ହୋଇଥିଲା ବେଳେ ସକ୍ରିୟଙ୍କ ମଧ୍ୟରେ ଏକମାତ୍ର ଖେଳାଳି ହୋଇପାରିଛନ୍ତି। ୨୦୦୫ରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିବା ଜଲଜ‌ ଗତ ଋତୁରେ କୋଲକାତାରେ ୬୦୦୦ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଯାଇଥିଲେ। ମଧ୍ୟପ୍ରଦେଶ ପାଇଁ ପାଖାପାଖି ୧୦ ବର୍ଷ ଖେଳିବା ପରେ ୨୦୧୬-୧୭ ଋତୁଠାରୁ ସେ କେରଳ ପକ୍ଷରୁ ଖେଳିଆସୁଛନ୍ତି। ସେବେଠାରୁ କେଏନ୍‌ ଅନନ୍ତପଦ୍ମନାଭନ୍‌ଙ୍କ ପଛକୁ ସେ କେରଳର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ସଂଗ୍ରହକାରୀ ହୋଇଯାଇଛନ୍ତି।

ପିଚ୍‌ରେ ଘାସକୁ ଦେଖି ପ୍ରାରମ୍ଭିକ ୱିକେଟ୍‌ ଖସାଇବା ଲକ୍ଷ୍ୟ ‌ନେଇ ଗୋବିନ୍ଦ ପୋଦ୍ଦାର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍‌ରେ ଓଡ଼ିଶା ଦୁଇଟି ପରିବର୍ତ୍ତନ କରିଥିଲା। ଦ୍ରୁତ ବୋଲର ଦେବବ୍ରତ ପ୍ରଧାନ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ସୁମିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ବାରମ୍ବାର ବିଫଳ ହେଉଥିବା ଶାନ୍ତନୁ ମିଶ୍ରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇ ଲେଗ୍‌ ସ୍ପିନର ଅଲ୍‌ରାଉଣ୍ଡର ସ୍ବସ୍ତିକ ସାମଲଙ୍କୁ ଏକାଦଶରେ ସାମିଲ କରାଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ଅଧିନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପଞ୍ଚମ ଓଭରରେ ଆୟୁଷ ମହାତ୍ରେ (୧୮)ଙ୍କୁ ଆଉଟ୍‌ କରି ଓଡ଼ିଶାକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। କିନ୍ତୁ ଅଙ୍ଗକ୍ରିଶ ରଘୁବଂଶୀ ଓ ସିଦ୍ଦେଶ ଲାଡ୍‌ ମିଳିତ ଭାବେ ପାଖାପାଖି ୩୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବା ସହ ୧୩୫ ରନ୍‌ର ମହତ୍ତ୍ବପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ୪୧ତମ ଓଭରର ଓଡ଼ିଶା ଯୁଗଳ ସଫଳତା ପାଇଥି‌ଲା। ଶତକ ଆଡ଼କୁ ଅଗ୍ରସର ହେଉଥିବା ରଘୁବଂଶୀଙ୍କୁ ବିପ୍ଳବ ସାମନ୍ତରାୟ ପ୍ରଥମ ବଲ୍‌ରେ ବୋଲ୍ଡ କରିବାରୁ ଯୋଡ଼ି ଭାଙ୍ଗିଥିଲା। ରଘୁବଂଶୀ ଶତକଠୁ ମାତ୍ର ୮ ରନ୍‌ ଦୂରରେ ରହିଯାଇଥିଲେ। ପରବର୍ତ୍ତୀ ‌ବଲ୍‌ରେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରିବାରୁ ବିପ୍ଳବ ହାଟ୍ରିକ୍‌ ୱିକେଟ୍‌ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ଶ୍ରେୟସ ଆୟର ଏହାକୁ ନିଷ୍ଫଳ କରିଦେଇଥିଲେ। ଓଡ଼ିଶା ବୋଲର୍‌ଙ୍କୁ ଆଉ ସୁଯୋଗ ନଦେଇ ଦିନର ଅବଶିଷ୍ଟ ପାଖାପାଖି ୫୦ ଓଭର ଶ୍ରେୟସ ଓ ସିଦ୍ଦେଶ ବ୍ୟାଟିଂ କରିଥିଲେ। ୧୦୧ ବଲ୍‌ରୁ ପଞ୍ଚଦଶ ପ୍ରଥମ ଶ୍ରେଣୀ ଶତକ ଅର୍ଜନ କରିବା ପରେ ସିଦ୍ଦେଶ (୧୧୬*) ଙ୍କ ସହ ମିଶି ଶ୍ରେୟସ ଚତୁର୍ଥ ୱିକେଟ୍‌ରେ ୨୩୧* ରନ୍‌ର ଭାଗୀଦାରି ଗଢ଼ିସାରିଲେଣି। 

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ପ୍ରଥମ ପାଳି ୯୦ ଓଭରରେ ୩୮୫/୩ (ଶ୍ରେୟସ ଆୟର-୧୫୨*, ସିଦ୍ଦେଶ ଲାଡ୍‌-୧୧୬*, ଅଙ୍ଗକ୍ରିଶ ରଘୁବଂଶୀ-୯୨, ବିପ୍ଳବ ସାମନ୍ତରାୟ-୨/୩୬, ସୂର୍ଯ୍ୟକାନ୍ତ ପ୍ରଧାନ- ୧/୩୬)।